ଘର ଖଣ୍ଡିଏ ପାଇଁ ଦୌଡି ଦୌଡି ନିରାଶ ବିପିନ…

ରାଜ୍ୟ ପାଇଛି ସ୍ଥିର ସରକାର। ଏହି ସରକାର ପ୍ରତି ପରିବାର ମୁଣ୍ଡ ଉପରେ ଛାତ ଦେଇଥିବା ପିଟୁଛି ଡିଣ୍ଡିମ। ହେଲେ ଏହି ଡିଣ୍ଡିମ ବା ବାସ୍ତବତା ମଧ୍ୟରେ ରହିଛି ଆକାଶ ପାତାଳ ଫରକ। ଏଠି ମଣିଷ ବର୍ଷା ଦିନେ ପର ଦୁଆରେ ଆଶ୍ରା ନେଉଥିବା ବେଳେ ଖରା ଓ ଶୀତରେ ଭଙ୍ଗା ଦଦରା, ପାଲ ଟଣା ଘରେ କଟେ ଜୀବନ। ଦିନ ତମାମ ହାଡ ଭଙ୍ଗା ପରିଶ୍ରମ ପରେ ବି ତା କୁଟୁମ୍ବ ପ୍ରତିପୋଷଣ କାଠିକର ପାଠ। ପଖାଳ କଂସାଏ ତା ପାଇଁ ଷାଠିଏ ପଉଠିକୁ ବଳି ହୋଇଯାଇଥିବା ବେଳେ ଘର ଖଣ୍ଡେ ତୋଳିବା ତା ପାଇଁ ସାତ ସ୍ବପ୍ନ। ହେଲେ ତା ଦୁଃଖ ଶୁଣିବାକୁ ନାହିଁ ବାବୁ ଭାୟାଙ୍କ ତର। ସରପଞ୍ଚଙ୍କୁ କହିଲେ ସେ ବିନା ହାତଗୁଞ୍ଜାରେ କାମ କରିବାକୁ ନାରାଜ। ହେଲେ ହାତଗୁଞ୍ଜା ଆସିବ କେଉଁଠୁ। ସେଥିପାଇଁ ଏହି ଚାଳଛପର, ଦରିପାଲ ଖେରା ଘରେ ବହୁ କଷ୍ଟରେ ବୁତିଛି ଜୀବନ।

ଆମେ କହୁଛୁ ବିପିନ ସେଠୀଙ୍କ କଥା। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ କରଞ୍ଜ ପଞ୍ଚାୟତ କରଞ୍ଜ ଗ୍ରାମରେ ବିପିନ ଓ ତାଙ୍କ ପରିବାର ବସବାସ କରନ୍ତି। ଝାଟିମାଟି ଦୁଇ ବଖରା ଘର ସାଙ୍ଗକୁ ଗୋଟିଏ ପଲା। କାନ୍ଥରୁ ମାଟି ଖସିଗଲାଣି। ତେଣୁ ପାଲ ଟଣାହୋଇଛି।

ବହୁ ଦୁର୍ଦିନରେ କାଳ କାଟୁଛନ୍ତି ବିପିନ, ତାଙ୍କ ସ୍ତ୍ରୀ ଓ ମାଙ୍କୁ ନେଇ ତାଙ୍କ ତିନି ପ୍ରାଣୀ କୁଟୁମ୍ବ। ସରକାର ଗରିବଙ୍କୁ ବିଭିନ୍ନ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା ବେଳେ ଏହି ପରିବାର ସେହି ଯୋଜନାରୁ ପଡିଛି ବାଦ। ଏନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଥକିଲେଣି ହେଲେ ଘର ମିଳୁନି। ସେପଟେ ସରପାଞ୍ଚ ଘର ଦେବାକୁ ମୋଟା ଅଙ୍କର ଲାଞ୍ଚ ମାଗୁଥିବା ଅଭିଯୋଗ କରନ୍ତି ବିପିନ। ପ୍ରଶାସନକୁ କହି ନିରାଶ ହେବା ପରେ ସେମାନଙ୍କ ଶେଷ ଆଶା ସ୍ଥାନୀୟ ବିଧାୟକ। ବିଧାୟକ ଚାହିଁଲେ ଘର ଖଣ୍ଡେ ମିଳନ୍ତା ବୋଲି ଆଶାବାଦୀ ବିପିନଙ୍କ ପରିବାର।

ଏଠାରେ କହି ରଖୁଛୁ କି, ବର୍ଷା ଦିନ ହେଲେ ପାଣି ପଶିଯିବାରୁ ଏହି କୁଡିଆରେ ଚଳପ୍ରଚଳ ଏମାନଙ୍କ ପାଇଁ ଅସମ୍ଭବ ହୋଇପଡେ। ତେଣୁ ବର୍ଷା ଋତୁରେ ସାହି ପଡିଶାଙ୍କ ବାରଣ୍ଡାରେ ମୁଣ୍ଡ ଗୁଞ୍ଜନ୍ତି ଏହି ଗରିବ ପରିବାର। ପଞ୍ଚାୟତରେ ଅନେକ ଥିଲାବାଲା ସରକାରୀ ଯୋଜନାରେ ଘର ପାଇଥିବା ବେଳେ ଗରିବ ଏସବୁରୁ ବଞ୍ଚିତ ବୋଲି ଅଭିଯୋଗ କରି ସେମାନଙ୍କ ଗୁହାରୀ ଶୁଣିବାକୁ ବିଧାୟକଙ୍କୁ ଗଣମାଧ୍ୟମ ଜରିଆରେ ଗୁହାରି କରୁଛି ଏହି ଗରିବ ପରିବାର ।

Leave a Reply

Your email address will not be published. Required fields are marked *