ଅବ୍ୟବସ୍ଥାରେ ଅଙ୍ଗନବାଡି କେନ୍ଦ୍ର, ଅସନ୍ତୋଷରେ ଗ୍ରାମବାସୀ

୭ ମାସରୁ ଉର୍ଦ୍ଧ ସମୟ ହେବ ଗର୍ଭବତୀଙ୍କୁ ମିଳୁନାହିଁ ପୃଷ୍ଟିକର ଖାଦ୍ୟ କି ସରକାରୀ ସହାୟତା । ଏପରିକି ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା କୁନି କୁନି ପିଲାଙ୍କୁ ଦିଆଯାଉ ନାହିଁ ସକାଳ ଜଳଖିଆ । ଖାଦ୍ୟରେ ଅଣ୍ଡା ଦେବା ଅଙ୍ଗନବାଡି ଦିଦି ଏକ ପ୍ରକାର ଭୁଲିଯାଇଛନ୍ତି । ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଗୁଣ୍ଡୁଣିଆ ପଞ୍ଚାୟତରେ ରହିଥିବା ହାତୀଆନସା ଅଙ୍ଗନବାଡି କେନ୍ଦ୍ର ବିରୋଧରେ । ଅଙ୍ଗନବାଡି ଦିଦିଙ୍କ ମନ ମର୍ଜିରେ କେନ୍ଦ୍ର ଚାଲୁଥିବାରୁ ଏହାକୁ ନେଇ ତେଜୁଛି ଅସନ୍ତୋଷ । ସେପଟେ ଏହି ଅବ୍ୟସ୍ଥାକୁ ନେଇ ଅଙ୍ଗନବାଡି ଦିଦିଙ୍କ ଉତ୍ତରରେ କେହି ସନ୍ତୁଷ୍ଟ ନୁହନ୍ତି ।

କେନ୍ଦ୍ରକୁ ଆସୁଥିବା କୁନିକୁନି ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ତ ଦୂରର କଥା ସକାଳର ଜଳଖିଆ ମଧ୍ୟ ମିଳୁନାହିଁ । ଗ୍ରାମର ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ କୌଣସି ପୃଷ୍ଟିକର ଖାଦ୍ୟ ଦିଆଯାଉ ନାହିଁ । ସେହିପରି ଜନ୍ମ ମୃତ୍ୟୁର ପଞ୍ଜିକରଣ କରାଯାଉ ନଥିବାରୁ ଗ୍ରାମର ଲୋକେ ପ୍ରମାଣପତ୍ର ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ବହୁବାର ଚମ୍ପୁଆ ଉପଜିଲ୍ଲାପାଳ ତଥା ଝୁମ୍ପୁରା ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ସମ୍ପୃକ୍ତ ଅଙ୍ଗନବାଡି ଦିଦିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖା ଦେଉଛି । ଏଥିସହ ଆଜି ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରରେ ହୋ-ହାଲ୍ଲା କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *