ଭାରତୀୟ ସମୟ ଅନୁଯାୟୀ ସକାଳ ୫ଟି ୩୦। ହଠାତ୍ ଥରି ଉଠିଲା ସହର। ଦୋଳି ଖେଲିବାରେ ଲାଗିଲା ପୋଲ। ଛାତରେ ମନକୁ ମନ ଝୁଲିଲା ପଙ୍ଖା। କାକୁସ୍ଥ କୁକୁର ବିଲେଇ ପ୍ରାଣ ବିକଳରେ ଧାଇଁଲେ ସୁରକ୍ଷିତ ଆଶ୍ରୟ ସନ୍ଧାନରେ। ସୁଇମିଂ ପୁଲରେ ସୃଷ୍ଟି ହେଲା ଲହଡି। ଯିଏ ଯେଉଁଠି ଥିଲେ ସେଇଠି ରହିଗଲେ। ଏମିତି ଅବସ୍ଥା ଦେଖିବାକୁ ମିଳିଥିଲା ତାଇୱାନରେ ହୋଇଥିବା ଭୂମିକମ୍ପରେ। ଭୁମିକମ୍ପରେ ତାଇଓ୍ବାନ ଥରି ଉଠିଥିଲା। ବଡ ବଡ ବହୁ କୋଠା ଭାଙ୍ଗିବା ସହ ଅନେକ ନଇଁ ପଡିଛି। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୫ ରେକର୍ଡ ହୋଇଛି।
ପୂର୍ବ ତାଇୱାନର ହୁଲିଏନ ସହର ଭୂକମ୍ପର କେନ୍ଦ୍ର ସ୍ଥଳ ଥିବା ବେଳେ ଫିଲିପାଇନ୍ସ ଏବଂ ଜାପାନ ମଧ୍ୟ ଏହି ଭୂକମ୍ପଯାଏଁ ଲାଗିଥିଲା ଭୂକମ୍ପର ଝଟକା। ଏତେ ବଡ ଭୂକମ୍ପ ପରେ ପରେ ସୁନାମୀ ପାଇଁ ସତର୍କ କରାଯାଇଛି। ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହି ଭୂମିକମ୍ପ ଗତ ୨୫ ବର୍ଷରେ ସବୁଠାରୁ ବଡ ଭୂମିକମ୍ପ ବୋଲି କୁହାଯାଉଛି। ଏହି ଭୟଙ୍କର ଭୂମିକମ୍ପରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି। ବହୁ କୋଠା ଧୂଳିସାତ ହୋଇଛି। ୭୦ ଜଣ ଶ୍ରମିକ ଦୁଇଟି ଖଣିରେ କାମ କରୁଥିବା ବେଳେ ସେଥିରେ ଫସି ରହିଛନ୍ତି। ୧୫୦ରୁ ଅଧିକ ଲୋକଙ୍କ କୌଣସି ପତ୍ତା ମିଳୁନାହିଁ