SBIରେ ୧୫୩୮ କ୍ଲର୍କ ପଦବୀ ପାଇଁ ନିଯୁକ୍ତି, ଓଡ଼ିଶାରେ ୧୧୧ ସିଟ୍‌; ଅଗଷ୍ଟ ୨୭ ଆବେଦନର ଶେଷ ତାରିଖ

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ବଡ଼ ଖବର। ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଅର୍ଥାତ୍ SBI ପକ୍ଷରୁ କ୍ଲର୍କ ବା ଜୁନିଅର ଆସୋସିଏଟ୍ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ନିଯୁକ୍ତି ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୫୩୮ଟି ପଦବୀ ପୂରଣ କରାଯିବ। ଅନଲାଇନ୍ ଆବେଦନ ପ୍ରକ୍ରିୟା ଅଗଷ୍ଟ ୭ରୁ ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୨୭।ଏହି ୧୫୩୮ ପଦବୀ ମଧ୍ୟରୁ ଓଡ଼ିଶା ପାଇଁ ୧୧୧ଟି ପଦବୀ ରହିଛି। ସେହିପରି ମହାରାଷ୍ଟ୍ରରେ ୧୬୫, ମଧ୍ୟପ୍ରଦେଶରେ ୧୩୪, ରାଜସ୍ଥାନରେ ୧୦୬ ଏବଂ ଗୁଜରାଟରେ ସର୍ବାଧିକ ୨୮୯ଟି ପଦବୀ ପାଇଁ ନିଯୁକ୍ତି ହେବ।

କିଏ କରିପାରିବେ ଆବେଦନ?

ଏହି ପଦବୀ ପାଇଁ ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଶେଷ ବର୍ଷ କିମ୍ବା ଶେଷ ସେମିଷ୍ଟାରରେ ପଢୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଆବେଦନ କରିପାରିବେ। ତେବେ ସେମାନଙ୍କୁ ୩୧ ଡିସେମ୍ବର ୨୦୨୬ ସୁଦ୍ଧା ନିଜର ଡିଗ୍ରୀ ପାସ୍ କରିଥିବାର ପ୍ରମାଣ ଦେବାକୁ ପଡ଼ିବ।

ବୟସ ସୀମା

ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୨୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ସରକାରୀ ନିୟମ ଅନୁସାରେ OBC ପ୍ରାର୍ଥୀଙ୍କୁ ୩ ବର୍ଷ, SC/ST ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ବୟସରେ କୋହଳ ମିଳିବ।

ଦରମା କେତେ?

ଚୟନ ପରେ ଜୁନିଅର ଆସୋସିଏଟ୍ ପଦବୀରେ ନିଯୁକ୍ତ ପ୍ରାର୍ଥୀଙ୍କୁ ମାସିକ ୨୪,୦୫୦ ଟଙ୍କାରୁ ୬୪,୪୮୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।

ଆବେଦନ ଫି

ସାଧାରଣ ଏବଂ OBC ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୭୫୦ ଟଙ୍କା ରହିଛି। ଅନ୍ୟପକ୍ଷରେ SC, ST ଏବଂ ପୂର୍ବତନ ସୈନିକ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି।

କେମିତି କରିବେ ଆବେଦନ?

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ SBIର ଅଫିସିଆଲ୍ ରିକ୍ରୁଟମେଣ୍ଟ ୱେବସାଇଟ୍ recruitment.sbi.bank.inକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ସମୟରେ ପ୍ରାର୍ଥୀଙ୍କୁ ନିଜର ଫଟୋ, ସିଗନେଚର୍ ଏବଂ ଆବଶ୍ୟକ ପ୍ରମାଣପତ୍ର ଅପଲୋଡ୍ କରିବାକୁ ପଡ଼ିବ।ତେଣୁ SBIରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ଯୋଗ୍ୟ ପ୍ରାର୍ଥୀମାନେ ସମୟ ନଷ୍ଟ ନକରି ଅଗଷ୍ଟ ୨୭ ତାରିଖ ପୂର୍ବରୁ ଆବେଦନ କରିବା ସହ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବା ଉଚିତ୍।