Blog

  • IPLରେ ଆଜି ଡବଲ ଲଢ଼େଇ, ପଞ୍ଜାବ-ବାଙ୍ଗାଲୋର ଓ ଦିଲ୍ଲୀ-କୋଲକାତା ମୁକାବିଲା

    IPLରେ ଆଜି ଡବଲ ଲଢ଼େଇ, ପଞ୍ଜାବ-ବାଙ୍ଗାଲୋର ଓ ଦିଲ୍ଲୀ-କୋଲକାତା ମୁକାବିଲା

    IPLରେ ଆଜି ଡବଲ ମୁକାବିଲା । ପ୍ରଥମ ମ୍ୟାଚ୍ ଅପରାହ୍ଣ ୩.୩୦ରେ ମୋହାଲିରେ ଖେଳାଯିବ । ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ମୁହାଁମୁହିଁ ହେବେ । ସେହିପରି ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ଅନୁଷ୍ଠିତ ହେବ ଯେଉଁଥିରେ ଦିଲ୍ଲୀର ସାମ୍ନା କରିବ କୋଲକାତା ।

    ପଞ୍ଜାବ ୫ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇଥିବା ବେଳେ ଆଜି ମଧ୍ୟ ଜିତିବାକୁ ଆଶା ରଖିଛି । ଦଳ ବ୍ୟାଟିଂ ଓ ବୋଲିଂରେ କମାଲ କରୁଛି । ତେଣୁ ଆରସିବି ବିରୋଧରେ ଭଲ ପ୍ରଦର୍ଶନ ପାଇଁ ଟିମ୍ ଆଶା ରଖିଛି । ସେପଟେ, ଭଲ ବ୍ୟାଟିଂ କରି ମଧ୍ୟ ଜିତିବାରେ ଫେଲ୍ ମାରୁଛି ବାଙ୍ଗାଲୋର । ଦୁଇଟି ମ୍ୟାଚରେ ବିଜୟର ନିକଟତର ହୋଇ ମଧ୍ୟ ମ୍ୟାଚ୍ ହାତଛଡ଼ା କରିଛି ଦଳ । ବୋଲିଂ ଡିପାର୍ଟମେଣ୍ଟରେ ସାମାନ୍ୟ ଉନ୍ନତି ଆଣିବାକୁ ପ୍ରୟାସ କରିବ ବାଙ୍ଗାଲୋର । ୫ଟି ମ୍ୟାଚରେ ମାତ୍ର ୨ଟିରେ ବିଜୟୀ ହୋଇଛି ଟିମ୍ ।

    ସନ୍ଧ୍ୟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ମୁକାବିଲା ହେବ । ଚଳିତ ସିଜିନରେ ଏଯାଏ ଖାତା ଖୋଲିପାରିନି ଦିଲ୍ଲୀ । ଖେଳିଥିବା ସମସ୍ତ ୫ ମ୍ୟାଚରେ ପରାସ୍ତ ହୋଇଛି ଦଳ । ତେଣୁ ଆଜି କମବ୍ୟାକ୍ କରିବାକୁ ଉଦ୍ୟମ କରିବ । ସେପଟେ, କୋଲକାତା ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଆଜିର ଦିଲ୍ଲୀ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ପାଇଁ ଆଶା ରଖିଛି ।

  • ରାଜ୍ୟରେ ଅସହ୍ୟ ତାତି, ଆସନ୍ତାକାଲି ଠାରୁ ଗ୍ରୀଷ୍ମଛୁଟି

    ରାଜ୍ୟରେ ଅସହ୍ୟ ତାତି, ଆସନ୍ତାକାଲି ଠାରୁ ଗ୍ରୀଷ୍ମଛୁଟି

    ଆସନ୍ତାକାଲି ଠାରୁ ଗ୍ରୀଷ୍ମଛୁଟି । ରାଜ୍ୟର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଆଜି ସରକାର ବିଧିବଦ୍ଧ ଭାବେ ଗ୍ରୀଷ୍ମଛୁଟି ଘୋଷଣା କରିବେ ।

    ଗତ କିଛି ଦିନ ହେଲା ରାଜ୍ୟରେ ତାତି ଅସହ୍ୟ ହେଲାଣି । ଗୁଳୁଗୁଳି ସହ ତାପମାତ୍ରା ବଢୁଛି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହେଉଛି । ସ୍କୁଲ ବାରମ୍ବାର ଛୁଟି ଘୋଷଣା ହେଉଛି । ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରୁଛି । ଦିନ ବଢ଼ିବା ସହ ତାତି ମଧ୍ୟ ବଢୁଛି । ସକାଳ ୮ଟା ପରଠୁ ଧୀରେ ଧୀରେ ରାଜଧାନୀ ରାସ୍ତା ଶୂନଶାନ ହେଉଛି । ଆହୁରି କିଛି ଏଭଳି ସ୍ଥିତି ଲାଗି ରହିବ । ତେଣୁ ଆଗୁଆ ପିଲାଙ୍କ ସ୍କୁଲ ଛୁଟି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେତେଦିନ ଯାଏ ସ୍କୁଲ ଛୁଟି ରହିବ, ଏହାର ନିୟମାବଳୀ କ’ଣ ସେ ନେଇ ଆଜି ବିସ୍ତୃତ ଭାବେ ଘୋଷଣା କରିବେ ସରକାର ।

  • ବିଶ୍ୱ ଜନସଂଖ୍ୟାରେ ଭାରତ ବନିଲା ନଂ-୧

    ବିଶ୍ୱ ଜନସଂଖ୍ୟାରେ ଭାରତ ବନିଲା ନଂ-୧

    ଶେଷରେ ଚୀନକୁ ପଛରେ ପକାଇଲା ଭାରତ । ଚୀନ ଅପେକ୍ଷା ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ବର୍ତ୍ତମାନ ଭାରତରେ ଅଛନ୍ତି । ଜନସଂଖ୍ୟାରେ ଭାରତ ଏବଂ ଚୀନ ଦୁଇ ରାଷ୍ଟ୍ର ପାଖାପାଖି ଥିବାବେଳେ ଶେଷରେ ବେଜିଂକୁ କ୍ରସ୍ କରିଛି ନୂଆଦିଲ୍ଲୀ ।

    ଏବେ ଭାରତର ଏହି ନୂଆ ଜନସଂଖ୍ୟା ଉପରେ ମୋହର ମାରିଛି ଜାତିସଂଘ । ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ହୋଇଥିବା ବେଳେ ଚାଇନା ତୁଳନାରେ ୩୦ ଲକ୍ଷରୁ ଅଧିକ ଲୋକ ହିନ୍ଦୁସ୍ତାନରେ ଅଛନ୍ତି । ଭାରତର ଜନସଂଖ୍ୟା ଏବେ ୧୪୨ କୋଟି ୮୬ ଲକ୍ଷ ଥିବା ନେଇ ରିପୋର୍ଟ ଜାରି କରିଛି ୟୁଏନଏଫପିଏର ଦ ଷ୍ଟେଟ୍ ଅଫ୍ ୱାର୍ଲଡ ପପୁଲେସନ୍ । ଚୀନର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ୧୯୫୦ ପରେ ପ୍ରଥମ ଥର ପାଇଁ ଭାରତର ଜନସଂଖ୍ୟା ଚୀନଠାରୁ ଅଧିକ ରହିଛି ।

    ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତର ୨୫% ଜନସଂଖ୍ୟା ୧୪ ବର୍ଷ ମଧ୍ୟରେ ଥିବାବେଳେ ୨୬% ଲୋକ ୧୦ରୁ ୨୪ ବର୍ଷୀୟ । ସେହିପରି ୬୮%ଙ୍କ ବୟସ ୧୫ରୁ ୬୪ ବର୍ଷ ମଧ୍ୟରେ ରହିଛି । ୬୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସଂଖ୍ୟା ରହିଛି ମାତ୍ର ୭% । ୨୦୧୧ ଜନଗଣନା ଅନୁଯାୟୀ ବାର୍ଷିକ ଜନସଂଖ୍ୟା ବୃଦ୍ଧି ହାର ୧.୨% ଥିଲା । ୨୦୧୫ରେ ଭାରତର ମୋଟ ଜନସଂଖ୍ୟା ଥିଲା ୧୨୮ କୋଟି । ଦେଶରେ ଜନସଂଖ୍ୟା ଯେମିତି ବୃଦ୍ଧି ପାଉଛି ଆଉ କିଛି ବର୍ଷ ପରେ ଏହା ଚୀନ ଠାରୁ ଢେର ଅଧିକ ହୋଇଯିବ ।

  • ଭିତରକନିକାରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା ଶେଷ

    ଭିତରକନିକାରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା ଶେଷ

    ଭିତରକନିକା ଜାତୀୟ ଉଦ୍ୟାନରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ବା ନବରଙ୍ଗୀ ଚଢ଼େଇଙ୍କ ଗଣନା ଶେଷ ହୋଇଛି । ଏହା ଭିତରକନିକାରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବାବେଳେ ୫ଟି ରେଞ୍ଜରେ ଏହି ମ୍ୟାନଗ୍ରୁଭ ପିଟା ପକ୍ଷୀଙ୍କ ଗଣନା କରାଯାଇଛି ।

    ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ପ୍ରଥମ ଥର ପାଇଁ ବିରଳ ପ୍ରଜାତିର ପକ୍ଷୀ ମ୍ୟାନଗ୍ରୁଭ ପିଟାଙ୍କ ଗଣନା ହୋଇଛି । ରାଜନଗର ରେଞ୍ଜରେ ୧୧ଟି ଟିମ୍, କନିକାରେ ୧୦ଟି,ମହାକାଳପଡ଼ାରେ ୬ଟି, କୁଜଙ୍ଗରେ ୪ଟି ଏବଂ ଗହୀରମଥା ରେଞ୍ଜରେ ଗୋଟିଏ ଟିମ୍ ଗଣନା କରିଥିଲେ । ୩୨ଟି ଟିମରେ ଥିଲେ ୧୦୦ ବନ କର୍ମଚାରୀ । ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କ ନେତୃତ୍ୱରେ ଗଣନା ସରିଛି । ମ୍ୟାନଗ୍ରୁଭ ପିଟା ପକ୍ଷୀ ଘଞ୍ଚ ହେନ୍ତାଳ ଜଙ୍ଗଲରେ ସାଧାରଣତଃ ଦେଖାଯାଇଥାଏ । ଏସବୁ ପକ୍ଷୀ ଦେହରେ ଇନ୍ଦ୍ରଧନୁ ଭଳି ବିଭିନ୍ନ ରଙ୍ଗ ଦେଖାଯାଇଥାଏ । ଜଙ୍ଗଲରେ ବାସ କରୁଥିବାରୁ ଏହାର ନାଁ ମ୍ୟାନଗ୍ରୁଭ ପିଟା । ଏଥର ଭିତରକନିକାରେ ୧୭୯ଟି ମ୍ୟାନଗ୍ରୁଭ୍ ପିଟାଙ୍କୁ ଚିହ୍ନଟ କରାଯାଇଛି ।

    ଦେଶର ମାତ୍ର ୨ଟି ସ୍ଥାନରେ ଦେଖାଯାଉଥିବା ବେଳେ ମ୍ୟାନଗ୍ରୁଭ ପିଟା ଭିତରକନିକାର ସବୁଠୁ ସୁନ୍ଦରତମ ପକ୍ଷୀ । ୨ ପ୍ରକାର ପିଟାଙ୍କ ମଧ୍ୟରୁ ପ୍ରଥମଟି ଇଣ୍ଡିଆନ ପିଟା ଯାହା ଓଡ଼ିଶାର ପ୍ରାୟ ସବୁ ଜଙ୍ଗଲରେ ଦେଖାଯାଏ । ଦ୍ୱିତୀୟଟି କେବଳ ଭିତରକନିକା ଓ ସୁନ୍ଦରବନରେ ଦେଖାଦିଏ । ଏହି ପକ୍ଷୀ ଛୋଟ କଙ୍କଡ଼ା ଓ ଶିଉଳି ଖାଇଥାନ୍ତି । ଏହି ପକ୍ଷୀଠାରେ ୯ଟି ରଙ୍ଗ ଥିବାରୁ ଏହାକୁ କୁହାଯାଏ ନବରଙ୍ଗୀ । ଭିତରକନିକାର ରାଣୀ ଓ ଗର୍ବ ବୋଲି ମଧ୍ୟ ବେଶ୍ ଜଣାଶୁଣା । ମ୍ୟାନଗ୍ରୁଭ ପିଟା ପକ୍ଷୀଙ୍କ ଗଣନା ପ୍ରତିବର୍ଷ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ….