Odisha Vigilance : ସାତକୋଶିଆ ବନ ବିଭାଗରେ କୋଟିଏରୁ ଅଧିକ ଟଙ୍କା ହେରଫେର, ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ !

ଅନୁଗୋଳ: ସାତକୋଶିଆ ବନ ବିଭାଗରେ ବଡ଼ଧରଣର ଅର୍ଥ ହେରଫେର ଘଟଣାର ପର୍ଦ୍ଦାଫାସ। କୋଟିଏରୁ ଅଧିକ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବନ ବିଭାଗର ଜଣେ ବରିଷ୍ଠ ସହାୟକ। ଅନୁଗୋଳ ସାତକୋଶିଆ ବନ୍ୟପ୍ରାଣୀ ବିଭାଗର ଡିଏଫଓ କାର୍ଯ୍ୟାଳୟ ଅଧୀନ ଏଷ୍ଟାବ୍ଲିସମେଣ୍ଟ ସେକ୍ସନର ବରିଷ୍ଠ ସହାୟକ ଅଜୟ କୁମାର ନାଏକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କ ବିରୋଧରେ ୧ କୋଟି ୨୩ ଲକ୍ଷରୁ ଅଧିକ ସରକାରୀ ଟଙ୍କା ହେରଫେର କରିଥିବା ଅଭିଯୋଗ ରହିଛି।

ସୂଚନା ଅନୁସାରେ, ଅର୍ଥ ହେରଫେର ଘଟଣା ସାମ୍ନାକୁ ଆସିବା ପରଠାରୁ ଅର୍ଥାତ୍ ଅକ୍ଟୋବର ମାସରୁ ଅଜୟ ଫେରାର ଥିଲେ। ତାଙ୍କ ଗତିବିଧି ଉପରେ ଭିଜିଲାନ୍ସ ଅଧିକାରୀମାନେ ନଜର ରଖିଥିଲେ। ଶେଷରେ ଶୁକ୍ରବାର ରାତିରେ ଅନୁଗୋଳ ସହରରେ କାର୍‌ ଯୋଗେ ନିଜ ଘରକୁ ଯାଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।

ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ୨୦୧୯ ଜାନୁଆରୀ ୧ ତାରିଖରୁ ୨୦୨୫ ଜୁନ୍ ୩୦ ତାରିଖ ମଧ୍ୟରେ ମୋଟ ୧ କୋଟି ୨୩ ଲକ୍ଷ ୫୨ ହଜାର ୫୪୭ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ରହିଛି। ଅଜୟ କାର୍ଯ୍ୟାଳୟର କର୍ମଚାରୀଙ୍କ ଦରମା, ଛୁଟି ବାବଦ ଦରମା ଓ ବକେୟା ଅର୍ଥ ପ୍ରଦାନ ସମ୍ପର୍କିତ କାର୍ଯ୍ୟ ଦାୟିତ୍ୱରେ ଥିଲେ।

ଅଭିଯୋଗ ଅନୁଯାୟୀ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଜାଲ୍‌ ବିଲ୍ ପ୍ରସ୍ତୁତ କରାଯାଇଥିଲା। ପରେ ଟ୍ରେଜେରି ମାଧ୍ୟମରେ ଏନ୍‌ଇଏଫ୍‌ଟି ଜରିଆରେ ସେହି ଟଙ୍କାକୁ ଅଜୟଙ୍କ ନିଜ ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା।

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ୪୪/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଭିଜିଲାନ୍ସ। ଗିରଫ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯିବାର ସୂଚନା ରହିଛି।