ଅଶାନ୍ତ ମଣିପୁର, ଜଳୁଛି ନିଆଁ

ଆଦିବାସୀ- ଅଣଆଦିବାସୀ ଲଢେଇରେ ଅଶାନ୍ତ ହୋଇ ଉଠିଛି ମଣିପୁର। ଗତକାଲିର ମୁହାଁମୁହିଁ ପରିସ୍ଥିତି ପରେ ରାଜ୍ୟସରକାର ସେଠାରେ ୮ ଜିଲ୍ଲାରେ କର୍ଫ୍ୟୁ ଜାରି କରିବା ସହ ରାଜ୍ୟରେ ଇଣ୍ଟରନେଟ ବନ୍ଦ କରିଦେଇଛି। ଏସବୁ ସତ୍ତ୍ୱେ ଗୁରୁବାର ପୁଣି ହିଂସା ଦେଖିବାକୁ ମିଳିଛି। ଚୁରାଚାନ୍ଦପୁରରୁ ଆରମ୍ଭ ହୋଇଥିବା ହିଂସା ରାଜ୍ୟର ବିଭିନ୍ନ ସ୍ଥାନରେ ଉଗ୍ର ହୋଇଛି।  ରାଜ୍ୟର ମୈତେଇ ସମୁଦାୟ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ହେବା ଦାବି ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି।

ରାଜ୍ୟରେ ଥିବା ମୈତେଇ ସମୁଦାୟ ଅନୁସୂଚିତ ଜନଜାତି ଶ୍ରେଣୀରେ ସାମିଲ ହେବାକୁ ଦାବି କରିଥିଲେ, ଯାହାକୁ ରାଜ୍ୟର ଆଦିବାସୀ ଏକତା ମୋର୍ଚ୍ଚା ବିରୋଧ କରିଥିଲା। ଏନେଇ ମୋର୍ଚ୍ଚା ପକ୍ଷରୁ ବୁଧବାର ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭଯାତ୍ରା ବେଳେ ଉଭୟ ଆଦିବାସୀ ଓ ଅଣଆଦିବାସୀ ଭିତରେ  ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ଏହା ଉଗ୍ର ରୂପ ନେଇଥିଲା। ଫଳରେ ଗତ ରାତିରୁ ୮ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ମୋବାଇଲ ଇଣ୍ଟରନେଟ ସେବାକୁ ୫ ଦିନ ଲାଗି ବନ୍ଦ କରି ଦିଆଯାଇଛି।

କିନ୍ତୁ ହିଂସା ଥମିବା ବଦଳରେ ଆହୁରି ଉଗ୍ର ହୋଇଛି। ଗୁରୁବାର ମଧ୍ୟାହ୍ନରେ ରାଜ୍ୟର ଉତ୍ତର ପୂର୍ବାଞ୍ଚଳକୁ ବ୍ୟାପିଛି ହିଂସା। କୁକି ସମ୍ପ୍ରଦାୟଙ୍କ ଘରରେ ନିଆଁ ଲଗାଇଦେବା ସହ ବିଭିନ୍ନ ସ୍ଥାନରେ ହିଂସାକାରୀ ଗାଡି ମୋଟରରେ ନିଆଁ ଲଗାଇଦେବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସେନା ଓ ପାରାମିଲିଟାରୀ ବାହିନୀ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ମୁତୟନ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର 90% ପାହାଡ ପର୍ବତ ଘେରା ଅଞ୍ଚଳରେ ଆଦିମ ନାଗା ଓ କୁକୁ-ଚିନ-ମିଜୋ ବା ଜୋ ଜନଜାତିଙ୍କ ବସତି ରହିଛି। ତେବେ ଉପତ୍ୟକା ଉପରେ ମୈତେଇ ସମ୍ପ୍ରଦାୟ ନିଜର ଆଧିପତ୍ୟ ବିସ୍ତାର କରିବା ସହ ବର୍ତ୍ତମାନ ନିଜକୁ ଜନଜାତି ଶ୍ରେଣୀଭୂକ୍ତ କରିବାକୁ ଦାବି କରୁଛନ୍ତି। ଯାହାକୁ ଆଦିମ ଜନଜାତି ବିରୋଧ କରୁଛନ୍ତି।  

ହିଂସା ପରେ ବକ୍ସିଂ ଚାମ୍ପିୟନ ମାରି କମ୍‌ ଟ୍ୱିଟ କରି ମୋ’ ରାଜ୍ୟ ମଣିପୁର ଜଳୁଛି। ତେଣୁ ତୁରନ୍ତ ସାହାଯ୍ୟ ଭିକ୍ଷା କରିଛନ୍ତି କେନ୍ଦ୍ର ସରକାରଙ୍କୁ । ଏଥିସହ ମାରି କମ ହିଂସାର ଫଟୋ ଟ୍ୱିଟ କରି, ତାକୁ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି । ସେପଟେ ରାଜ୍ୟବାସୀଙ୍କ ହିତକୁ ଉର୍ଦ୍ଧ୍ୱରେ ରଖାଯିବ ବୋଲି ଟ୍ୱିଟ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ।

Leave a Reply

Your email address will not be published. Required fields are marked *