ଦୁଇ ପୃଥକ ସଡକ ଦୁର୍ଘଟଣାରେ ୩ ମୃତ

ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ସଡକ ଦୁର୍ଘଟଣା ଓ ସେଥିରେ ଘଟୁଥିବା ମୃତ୍ୟୁସଂଖ୍ଯା। କେନ୍ଦ୍ରେପଡାରେ ଜଣେ ଶିକ୍ଷୟିତ୍ରୀ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ଏକ ଲୁହା ବୋଝେଇ ଟ୍ରକ ପଥର ଖଣିକୁ ଖସିଯିବାରୁ ଚାଳକ ଓ ହେଲପରଙ୍କ ମୃତ୍ୟୁ ହୋଇଛି। ସୂଚନାମୁତାବକ, କେନ୍ଦ୍ରାପଡା ସଦର ଥାନା ଅଧୀନ ଇଟିପୁର ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଯମୁନା ସାମଲ ଓ ତାଙ୍କ ସହକର୍ମୀ ଶିକ୍ଷୟିତ୍ରୀ ସ୍କୁଲ ସାରି ସ୍କୁଟିରେ ଜଜାଙ୍ଗ ସ୍ଥିତ ନିଜ ନିଜ ଘରକୁ ଫେରୁଥିଲେ। କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଟ୍ଟାମୁଣ୍ଡାଇ ପଟୁ ଏକ ହାଇୱା ଦ୍ରୁତ ଗତିରେ ଆସି ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା |ଫଳରେ ସ୍କୁଟି ଚଳାଉଥିବା ଶିକ୍ଷୟିତ୍ରୀ ଜଣଙ୍କ ରାସ୍ତା କଡ଼କୁ ଛିଟିକି ପଡିଥିବାବେଳେ, ଯମୁନା ରାସ୍ତା ଉପରେ ପଡିଯାଇଥିଲେ ଓ ଯମୁନାଙ୍କ ଉପରେ ହାଇୱା ଚଢ଼ିଯାଇଥିଲା। ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା |

ସ୍ଥାନୀୟ ଲୋକେ ହାଇୱାକୁ ଗୋଡ଼ାଇ ଗୋଡାଇ ଗରାପୁର ଛକରୁ ଧରି ପୋଲିସ ଜିମା ଦେଇଥିଲେ। ଉତ୍ତ୍ୟକ୍ତ ଜନତା ତରାଣ୍ଡ ଛକରେ ରାସ୍ତାକୁ ଅବରୋଧ କରିଦେଇଥିବା ବେଳେ ପୋଲିସ ଲୋକଙ୍କୁ ବୁଝାଶୁଝା କରିବା ପରେ ଲୋକେ ରାସ୍ତାରୋକରୁ ଉଠିଥିଲେ ତଥା ଯାତାୟାତ ସ୍ବାଭାବିକ ହୋଇଥିଲା। ଯମୁନାଙ୍କ ମୃତଦେହ ଜବତ କରି ପୋଲିସ ଵେବ୍ୟଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ହାଇୱା ଜବତ କରି ତଦନ୍ତ ଜାରି ରଖିଛି |

ସେପରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧିନ ୧୬ ନମ୍ବର ଜାତୀୟ ରାଜପଥର ପଥରବନ୍ଧ ନର୍ସରୀ ଛକ ନିକଟରେ ଏକ ଲୁହା ଆଙ୍ଗେଲ ବୋଝୋଇ ଟ୍ରକ ଭାରସାମ୍ୟ ହରାଇ ନିକଟରେ ଥିବା ଏକ ପଥରଖଣି ଭିତରକୁ ପଶି ଯାଇଥିଲା। ଫଳରେ ଗାଡ଼ିରେ ଥିବା ଲୁହା ଆଙ୍ଗେଲ ଡ୍ରାଇଭର କ୍ୟାବିନ୍ ଉପରେ ଅଜାଡି ହୋଇପଡିଥିଲା। ଘଟଣାସ୍ଥଳରେ ଉଭୟ ଚାଳକ ଓ ହେଲପର୍ ଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଚାଳକ ଓ ହେଲପର୍ ଙ୍କର ମୃତ ଦେହକୁ ଉଦ୍ଧାର କରି ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ଟ୍ରକ ଟି କଲିକତା ରୁ ଲୁହା ଟାୱାର ନେଇ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଗାଡ଼ିଟି ଦୁର୍ଘଟଣା ର ଶିକାର ହୋଇଛି। ମୃତକ ଦ୍ଵୟଙ୍କ ପରିଚୟ ମିଳିପାରିନାହିଁ। ଟାଙ୍ଗୀ ପୋଲିସ ଗାଡ଼ି ଜବତ୍ କରିବା ସହିତ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *