ହଟିଲା ପ୍ରତିବନ୍ଧକ, ଆସନ୍ତା ୧୩ରୁ ସାମ୍ବାଦିକ ଲୋକସେବା ଭବନକୁ ଯାଇପାରିବେ

ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ ଥିବା ପ୍ରତିବନ୍ଧକ ଉଠିଲା। ଜୁନ୍ ୧୩ ତାରିଖରୁ ଲୋକସେବା ଭବନର ଗେଟ୍ ଉନ୍ମୁକ୍ତ ହେବ। ରାଜ୍ୟରେ ସରକାର ବଦଳିବା ସହ ବଦଳୁଛି ନିୟମ। ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ ଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି। ୧୨ରେ ନୂଆ ସରକାର ଗଠନ ପରେ ବିଜେଡି ସରକାର ଦ୍ବାରା ଲାଗୁ ହୋଇଥିବା ନିୟମ ହଟିବା ସହ ୧୩ ତାରିଖରୁ ସାମ୍ବାଦିକ ଲୋକସେବା ଭବନ ଭିତରକୁ ଖବର ସଂଗ୍ରହ ପାଇଁ ଯାଇପାରିବେ। ଏହି ପ୍ରତିବନ୍ଧକ କରୋନା ପାଇଁ ମାର୍ଚ୍ଚ ୨୦୨୦ରୁ ପୁରୁଣା ସରକାର ଲଗାଇଥିଲା। କରୋନା ଶେଷ ହେଲା, ହେଲେ ପ୍ରତିବନ୍ଧକ ବଳବତ୍ତର ରହିଥିଲା। ଯାହାକୁ ନେଇ ସାଧାରଣଜନତା, ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଥିଲା। ବିଜେପି ବାରମ୍ବାର ଦାବି କରିଥିଲା ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ଦେବାକୁ। କିନ୍ତୁ ଏହାକୁ ନବୀନ ସରକାର ଗୁରୁତ୍ବ ଦେଇନଥିଲା। ଏବେ ବିଜେପି ସରକାର ଆସିଥିବାରୁ ଏହି କଟକଣାକୁ ଉଠାଇ ଦିଆଯାଇଛି। ଯାହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଖୁସିର ଲହରୀ। ଗଣତନ୍ତ୍ରକୁ ସୁରୁଖୁରୁରେ ଆଗେଇ ନେବାକୁ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଆସୁଛି। ସରକାର ଓ ସାମ୍ବାଦିକ ମିଳିତ ଭାବେ କାମ କରିବା ଗଣତନ୍ତ୍ରପାଇଁ ଶୁଭଙ୍କର ହୋଇଥାଏ। ହେଲେ ଦୁର୍ନୀତିରେ ଲିପ୍ତ ସରକାର ଗଣତନ୍ତ୍ର ଉପରେ ପ୍ରତି ବନ୍ଧକ ଲଗାଇଥାଏ।

ରାଜ୍ୟରେ ବିଜେପି ସରକାର ଗଠନ ହେବା ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ହେଉଛି ବହୁ ପରିବର୍ତ୍ତନ । ନବୀନ ସରକାର ଦ୍ବାରା ଯେଉଁ ସବୁ କଟକଣା ଜାରି କରାଯାଇଥିଲା, ସେସବୁ ମଧ୍ୟରୁ ଅନେକକୁ ହଟା ଚାଲିଛି। ଯାହା ସ୍ପଷ୍ଟ କରୁଛି କି,ସବୁ କଟକଣା କିଛି ମୁଷ୍ଟିମେୟ ଲୋକଙ୍କ ଫାଇଦା ପାଇଁ ଥିଲା।

Leave a Reply

Your email address will not be published. Required fields are marked *