ଭୋଟଦାନରୁ ବଞ୍ଚିତ ହେବା ପରେ ବିଧି ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

ଭାରତ ବିଶ୍ବର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ନିର୍ବାଚନ ଏହାର ମହାପର୍ବ। ଏହି ମହାପର୍ବରେ ସାମିଲ ହୋଇ ସରକାର ଗଠନରେ ନିଜ ନିଜର ଭାଗଦାରୀ ସାବ୍ୟସ୍ତ କରିବା ପ୍ରତ୍ୟକ ନାଗରିକଙ୍କ କର୍ତ୍ତବ୍ୟ ଓ ମୌଳିକ ଅଧିକାର। ହେଲେ ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀର ଗରେଇ ପଞ୍ଚାୟତରେ ନାଗରିକଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିବାର ଅଭିଯୋଗ ଆସିଛି। ପଞ୍ଚାୟତର ନାଳିଆ ପାଳ ଗ୍ରାମର ନନ୍ଦିନୀ ପରିଡ଼ା ୧ ଜୁନରେ ହୋଇଥିବା ନିର୍ବାଚନରେ ମତଦାନ କରିବାକୁ ଯାଇ ରାଜନୈତିକ ଆକ୍ରୋଶ ପାଇଁ ନିରାଶ ହୋଇଫେରିଥିବା ଅଭିଯୋଗ କରୁଛନ୍ତି। ନନ୍ଦିନୀ ଅଭିଯୋଗ କରିଛନ୍ତି କି, ଜମି ବାଡ଼ି ବିବାଦକୁ ନେଇ ତାଙ୍କୁ ୨ ବର୍ଷ ହେବ ବାସନ୍ଦ କରାଯାଇଛି। ଏନେଇ ସେ ଥାନାରେ ମଧ୍ୟ ଏକାଧିକବାର ଅଭିଯୋଗ କରିଛନ୍ତି ହେଲେ କିଛି ଫଳ ମିଳିନାହିଁ। ସେପଟେ ନନ୍ଦିନୀ ଶନିବାର ଦିନ ଭୋଟ ଦେବାକୁ ବୁଥ ନମ୍ୱର 76 କୁ ଯାଇ ପାଞ୍ଚ ଘଣ୍ଟା ଅପେକ୍ଷା କଲାପରେ ତାଙ୍କୁ ଭୋଟ ଦେବାର ସୁଯୋଗ ମିଳିନଥିଲା। ପ୍ରିଜାଇଡିଂ ଅଫିସର କହିଥିଲେ କି, ତାଙ୍କର ଭୋଟ ପୋଷ୍ଟାଲ ବାଲାଟରେ ରହିଛି। ତେଣୁ ବୁଥରେ ମତଦାନ କରି ପାରିବେ ନାହିଁ। ଏହାକୁ ନେଇ ସେ ଚରା ଉଚରା କରିବାରୁ ସେଠାରେ ଥିବା ଏଜେଣ୍ଟ, ଯିଏକି ତାଙ୍କ ବାସନ୍ଦର କାରଣ, ତାଙ୍କୁ ଗାଳିମନ୍ଦ କରିବା ସହ ସେଠାରୁ ବାହାରି ଯିବାକୁ ଧମକ ଚମକ ଦେଇଥିଲେ ବୋଲି ନନ୍ଦିନୀ ଅଭିଯୋଗ କରିଛନ୍ତି। ଏମିତି କି ସରପଞ୍ଚ ତଥା ସରପଞ୍ଚଙ୍କ ସମସ୍ତ ଦାୟିତ୍ବ ହାତେଇଥିବା ତାଙ୍କ ସ୍ବାମୀ ତାଙ୍କ ମତଦାନ ପାଇଁ କିଛି ପଦକ୍ଷେପ ନେଇନଥିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ଚନ୍ଦ୍ରଧୋଜପୁରର ଅବସରପ୍ରାପ୍ତ ଯବାନ ରଞ୍ଜିତ ଲେଙ୍କା ମଧ୍ୟ ମତଦାନ କେନ୍ଦ୍ରକୁ ଯାଇ ତାଙ୍କର ପଷ୍ଟଲ ବାଲାଟରେ ନାଁ ଥିବା ଜାଣି ନିରାଶ ହୋଇଛନ୍ତି। ଭୋଟ ଖଣ୍ଡିକ ଦେବାକୁ ଭୁବନେଶ୍ବରରୁ ଗାଁକୁ ଆସି ମଧ୍ୟ ନାଗରିକ ଭାବେ ମତଦାନ କରିପାରିନଥିବାରୁ ସାମ୍ପ୍ରତିକ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି ରଞ୍ଜିତ।

ତେବେ ଏପରି ଅନିୟମିତତାକୁ ନେଇ ବର୍ତ୍ତମାନର ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେ ବା ତାଙ୍କର ସମସ୍ତ କାମ ବୁଝାସୁଝା କରୁଥିବା ତାଙ୍କ ସ୍ବାମୀ ଏନେଇ କିଛି କହିବାକୁ ମନା କରିଦେଇଛନ୍ତି। ହେଲେ ଘଟଣାକୁ ନଇ ପୂର୍ବତନ ସରପଞ୍ଚ ଦୁଃଖ ବ୍ୟକ୍ତ କରିଛନ୍ତି।

ସେପଟେ ମତଦାନରୁ ବଞ୍ଚିତ ଦୁଇ ନାଗରିକ ସରକାରଙ୍କୁ ନିବେଦନ କରିଛନ୍ତି କି, ନିର୍ବାଚନ ପୂର୍ବରୁ ଯେମିତି ପ୍ରତ୍ୟେକ ନାଗରିକ ସେମାନଙ୍କ ମତଦାନର ମୌଳିକ ଦାୟିତ୍ବ ସୁରୁଖୁରୁରେ ତୁଲାଇ ପାରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସେହିପରି ଏପରି ଅନିୟମିତତା ପାଇଁ ଯଦି କେହି ଦାୟୀ, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ

Leave a Reply

Your email address will not be published. Required fields are marked *