ଘରେ ଓ ଦୋକାନରେ ଚାଲିଛି ବେଧଡକ ମଦ କାରବାର, ଯାହାକୁ ନେଇ ଗର୍ଜିଲେ ମହିଳା

ମଦକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳ ପରେ ତାତିଲେ ମହିଳା । ଘର ଓ ଦୋକାନରୁ ଚୋରା ମଦ ବାହାର କରି ସରସମ୍ମୁଖରେ କଚାଡି ଭାଙ୍ଗିଲେ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅଧିନ ଫତେପୁର ପଞ୍ଚାୟତ ଶ୍ରୀରାମପୁର ଛକ ନିକଟରେ । ସୂଚନା ଅନୁଯାୟୀ, ଶ୍ରୀରାମପୁର ଛକ ନିକଟରେ କେତକ ସାଧାରଣ ଦୋକାନ ଓ ଘରେ ଅନେକ ଦିନ ଧରି ଚୋରାରେ ମଦ ବିକ୍ରି ହୋଇଆସୁଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ମଦ୍ୟପ ମାନେ ନିଜ ନିଜ ଭିତରେ ଗଣ୍ଡଗୋଳ କରିଥିଲେ ।

ଯାହାର ପ୍ରଭାବ ସ୍ଥାନୀୟ ଲୋକଙ୍କ ଉପରେ ପଡିଥିଲା । ଏହି ଘଟଣା ପରେ ଗାଁର କିଛି ମହିଳା ଏକାଠି ହୋଇ ଚୋରାରେ ମଦ ବିକ୍ରି କରାଯାଉଥିବା ଦୋକାନ ଓ ଘର ଉପରେ ମିଳିତ ଭାବେ ଚଢ଼ାଉ କରିଥିଲେ ।

ଉତ୍ୟକ୍ତ ଲୋକମାନେ ଯେଉଁ ମଦ ଗୁଡିକ ଜବତ କରିଥିଲେ ସେଗୁଡିକୁ ସମସ୍ତଙ୍କ ସାମ୍ନାରେ କଚାଡି ଭାଙ୍ଗି ଦେଇଥିଲେ । ପରେ ଖବର ପାଇଁ ଧୁସୁରି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ତେବେ ଜଣେ ଚୋରା ମଦ ବେପାରୀକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *