କଟକ : ବାଣ ଫୁଟାକୁ ନେଇ କଟକରେ ତୁମୁଳକାଣ୍ଡ। ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇବାକୁ ବାରଣ କରିବାରୁ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତେଜନା। ଏପରିକି ମହିଳା ଏସିପିଙ୍କୁ ଧସ୍ତାଧସ୍ତି କରିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। କଟକ ନୟାସଡ଼କ ଅଞ୍ଚଳରେ ଘଟିଥିବା ଏହି ଗଣ୍ଡଗୋଳ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଲାଲବାଗ ଥାନା ପୋଲିସ। ଅଟକ ଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁସାରେ, ନୟାସଡ଼କ ଅଞ୍ଚଳରେ ନିର୍ଦ୍ଧାରିତ ସମୟସୀମା ଶେଷ ହେବା ପରେ ମଧ୍ୟ କିଛି ଲୋକ ବାଣ ଫୁଟାଉଥିଲେ। ଏହାକୁ ରୋକିବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମହିଳା ଏସିପି ଅନନ୍ୟା ଅୱସ୍ତି ବାଣ ଫୁଟାଇବାକୁ ବାରଣ କରିବା ପରେ କିଛି ଲୋକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଏହାପରେ ପୋଲିସ ଓ ଉପସ୍ଥିତ ଲୋକଙ୍କ ମଧ୍ୟରେ କଥା କଟାକଟି ହେବା ସହ ଧସ୍ତାଧସ୍ତି ହୋଇଥିଲା।
ଘଟଣାକୁ ନେଇ ଲାଲବାଗ ଥାନା ପୋଲିସ ତଦନ୍ତ ଜୋରଦାର କରିଛି। ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ସନ୍ଦେହରେ ପ୍ରଥମେ ୯ ଜଣଙ୍କୁ ଅଟକ ରଖାଯାଇଥିଲା। ପଚରାଉଚରା ପରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି।
ଅନ୍ୟପଟେ ଏହି ଗଣ୍ଡଗୋଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓ ସହ ଘଟଣାସ୍ଥଳ ଆଖପାଖର ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ। ଭିଡିଓ ଆଧାରରେ ଗଣ୍ଡଗୋଳରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି।
କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି, ଏହି ଘଟଣାରେ ଆଉ ଯେଉଁମାନଙ୍କର ସମ୍ପୃକ୍ତି ରହିଛି, ସେମାନଙ୍କୁ ମଧ୍ୟ ଧରାଯିବ। ତେବେ ବାଣ ଫୁଟାକୁ ନେଇ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଏବେ ପୋଲିସ ତଦନ୍ତର ପ୍ରମୁଖ ବିଷୟ ପାଲଟିଛି।