ବନ୍ଦେ ଭାରତ ସ୍ଲିପର ଟ୍ରେନ୍ରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି କି? ତେବେ ଟିକେଟ୍ ବୁକିଂ ପୂର୍ବରୁ ଜାଣି ରଖନ୍ତୁ ରେଳବାଇର ଗୁରୁତ୍ୱପୂର୍ଣ୍ଣ ନିୟମ। କାରଣ ଏହି ଟ୍ରେନ୍ରେ ମିଳିବନି ତତ୍କାଳ ଟିକେଟ୍। ଏପରିକି ୱେଟିଂ ଲିଷ୍ଟ ଓ RAC ଟିକେଟ୍ରେ ମଧ୍ୟ ଯାତ୍ରା କରିପାରିବେ ନାହିଁ। ଅନ୍ୟପଟେ ଟିକେଟ୍ ବାତିଲ କରିବାରେ ବିଳମ୍ବ ହେଲେ ଆପଣଙ୍କୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ।
ଭାରତୀୟ ରେଳବାଇର ନିୟମ ଅନୁସାରେ, ବନ୍ଦେ ଭାରତ ସ୍ଲିପର ଏକ୍ସପ୍ରେସ୍ରେ ଯାତ୍ରା ପାଇଁ କେବଳ କନଫର୍ମ ଟିକେଟ୍ ଆବଶ୍ୟକ। ଏହି ଟ୍ରେନ୍ରେ ତତ୍କାଳ କୋଟାର ବ୍ୟବସ୍ଥା ନାହିଁ। ତେଣୁ ଯାତ୍ରୀମାନଙ୍କୁ ଆଗୁଆ ଟିକେଟ୍ ବୁକିଂ କରିବାକୁ ପଡ଼ିବ। RAC, ୱେଟିଂ ଲିଷ୍ଟ କିମ୍ବା ଆଂଶିକ କନଫର୍ମ ଟିକେଟ୍ ଥିଲେ ଟ୍ରେନ୍ରେ ଚଢ଼ିବାକୁ ଅନୁମତି ମିଳିବ ନାହିଁ।
ସବୁଠାରୁ ବଡ଼ କଥା ହେଉଛି ଟିକେଟ୍ କ୍ୟାନ୍ସେଲେସନ୍ ନିୟମ। ଟ୍ରେନ୍ ଛାଡ଼ିବାର ୭୨ ଘଣ୍ଟାରୁ ଅଧିକ ସମୟ ପୂର୍ବରୁ ଟିକେଟ୍ ବାତିଲ କଲେ ଭଡ଼ାର ୨୫ ପ୍ରତିଶତ କଟିବ। ସେହିପରି ୭୨ ଘଣ୍ଟାରୁ ୮ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କଲେ ୫୦ ପ୍ରତିଶତ ଟଙ୍କା କଟାଯିବ। କିନ୍ତୁ ଟ୍ରେନ୍ ଛାଡ଼ିବାକୁ ୮ ଘଣ୍ଟାରୁ କମ୍ ସମୟ ବାକିଥିଲେ ଟିକେଟ୍ ବାତିଲ କରିବା ପରେ ମଧ୍ୟ କୌଣସି ଟଙ୍କା ଫେରସ୍ତ ମିଳିବ ନାହିଁ।
ବନ୍ଦେ ଭାରତ ସ୍ଲିପର ଟ୍ରେନ୍ରେ ମୋଟ ୮୨୩ ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ ଥ୍ରୀ-ଟାୟାର ଏସିରେ ୬୧୧, ଟୁ-ଟାୟାର ଏସିରେ ୧୮୮ ଓ ଫାଷ୍ଟ ଏସିରେ ୨୪ଟି ବର୍ଥ ରହିଛି।
ତେଣୁ ଯାତ୍ରା ପୂର୍ବରୁ ନିଜର ଯୋଜନା ସୁନିଶ୍ଚିତ କରି ଟିକେଟ୍ ବୁକ୍ କରିବାକୁ ପରାମର୍ଶ ଦିଆଯାଉଛି। ନଚେତ୍ ଶେଷ ମୁହୂର୍ତ୍ତରେ ଯାତ୍ରା ବାତିଲ କଲେ ସମ୍ପୂର୍ଣ୍ଣ ଟିକେଟ୍ ଭଡ଼ା ହରାଇବାକୁ ପଡ଼ିପାରେ।