ୱାଶିଂଟନ, ୧୦ ନଭେମ୍ବର: ଇରାନ ଓ ଆମେରିକା ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ପ୍ରାୟ ଶେଷ ହୋଇସାରିଛି ବୋଲି ଦାବି କରିଛନ୍ତି ଟ୍ରମ୍ପ। ଏହାସହିତ ଇରାନର ସାମରିକ ନେତୃତ୍ୱକୁ ଧ୍ୱଂସ କରିଦିଆଯାଇଥିବା ମଧ୍ୟ ସେ କହିଛନ୍ତି। ତେବେ ପରିସ୍ଥିତି ବଦଳିଲେ ଆମେରିକୀୟ ସେନା ପୁଣି ଆକ୍ରମଣ କରିବାକୁ ପ୍ରସ୍ତୁତ ଥିବା ସେ ଚେତାବନୀ ଦେଇଛନ୍ତି।
ସୋମବାର କତାର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲରହମାନ ବିନ୍ ଜାସିମ୍ ଅଲ୍ ଥାନିଙ୍କ ସହ ସାକ୍ଷାତ ପରେ ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି ଟ୍ରମ୍ପ। ହଠାତ୍ ପ୍ରେସ୍ ବ୍ରିଫିଂ ରୁମ୍ରେ ପହଞ୍ଚି ସେ କହିଥିଲେ, ଇରାନ ବିରୋଧରେ ସାମରିକ ଅଭିଯାନ ପ୍ରାୟ ଶେଷ ହୋଇଛି। ବର୍ତ୍ତମାନ ଆମେରିକା ପୂର୍ବ ସ୍ଥିତି ବଜାୟ ରଖିବାକୁ ଚାହୁଁଛି।
ଟ୍ରମ୍ପ କହିଛନ୍ତି, ଇରାନ ଯେପରି ଭବିଷ୍ୟତରେ ପରମାଣୁ ଅସ୍ତ୍ର ତିଆରି କରିପାରିବ ନାହିଁ, ତାହା ସୁନିଶ୍ଚିତ କରିବା ଆମେରିକାର ପ୍ରମୁଖ ଲକ୍ଷ୍ୟ। ଏଥିପାଇଁ ଏକ ଦୀର୍ଘମିଆଦୀ ସମାଧାନ ଆବଶ୍ୟକ। କୂଟନୈତିକ ଆଲୋଚନା ମାଧ୍ୟମରେ ଯୁଦ୍ଧ ଶେଷ କରିବା ଦିଗରେ ସକାରାତ୍ମକ ଅଗ୍ରଗତି ହେଉଥିବା ସେ ଦାବି କରିଛନ୍ତି।
ଅନ୍ୟପଟେ ଇରାନ ଉପରେ ଆମେରିକାର ନୌସେନା ଅବରୋଧ ଏବେ ମଧ୍ୟ ଜାରି ରହିଛି। ଇରାନ ନିକଟବର୍ତ୍ତୀ ଅଞ୍ଚଳରେ ହଜାର ହଜାର ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି। ପରିସ୍ଥିତି ବଦଳିଲେ ପୁଣି ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।
ତେବେ ଯୁଦ୍ଧ ଶେଷ ହେବାର ଆଶା ଦେଖାଦେଇଥିଲେ ମଧ୍ୟ ଆନୁଷ୍ଠାନିକ ଶାନ୍ତିଚୁକ୍ତି ହୋଇନାହିଁ। ଇରାନ ପକ୍ଷରୁ ନୌସେନା ଅବରୋଧ ହଟାଇବା ସହ ଆର୍ଥିକ କଟକଣା ପ୍ରତ୍ୟାହାର ଦାବି କରାଯାଉଛି। ଏବେ ସମସ୍ତଙ୍କ ନଜର ଆମେରିକା ଓ ଇରାନ ମଧ୍ୟରେ ଆଗାମୀ କୂଟନୈତିକ ଆଲୋଚନା ଉପରେ।