Pawan kalyan Anna Divorce :୧୩ ବର୍ଷର ବୈବାହିକ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ତୃତୀୟ ପତ୍ନୀ ଆନ୍ନାଙ୍କଠାରୁ ଅଲଗା ହେଲେ ପବନ କଲ୍ୟାଣ

ଦକ୍ଷିଣ ଭାରତୀୟ ସିନେମା ଜଗତରୁ ଆସିଛି ଏକ ବଡ଼ ଖବର। ଲୋକପ୍ରିୟ ତେଲୁଗୁ ଅଭିନେତା ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ବ୍ୟକ୍ତିଗତ ଜୀବନରେ ଆସିଛି ବଡ଼ ପରିବର୍ତ୍ତନ। ଦୀର୍ଘ ୧୩ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ନିଜର ତୃତୀୟ ପତ୍ନୀ ଆନ୍ନା କୋନିଡେଲାଙ୍କଠାରୁ ଅଲଗା ହେବାକୁ ଘୋଷଣା କରିଛନ୍ତି ପବନ କଲ୍ୟାଣ। ଏହି ଖବର ସାମ୍ନାକୁ ଆସିବା ପରେ ସିନେମା ଜଗତଠାରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି।

ନଭେମ୍ବର ୯ ତାରିଖରେ ପବନ କଲ୍ୟାଣ ଓ ଆନ୍ନା ଏକ ମିଳିତ ବିବୃତ୍ତି ଜାରି କରି ଅଲଗା ହେବାର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପାରସ୍ପରିକ ବୁଝାମଣା ଓ ସମ୍ମାନର ସହିତ ଉଭୟ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ବୈବାହିକ ସମ୍ପର୍କ ଶେଷ ହେଉଥିଲେ ମଧ୍ୟ ଦୁହେଁ ଭଲ ବନ୍ଧୁ ହୋଇ ରହିବେ। ଏଥିସହିତ ଦୁଇ ସନ୍ତାନଙ୍କ ଲାଳନପାଳନ ଓ ଭବିଷ୍ୟତ ପ୍ରତି ଉଭୟଙ୍କ ସମାନ ଦାୟିତ୍ୱ ରହିବ ବୋଲି ସ୍ପଷ୍ଟ କରିଛନ୍ତି।

୨୦୧୩ ମସିହା ସେପ୍ଟେମ୍ବରରେ ରୁଷୀୟ ମୂଳର ଆନ୍ନାଙ୍କୁ ବିବାହ କରିଥିଲେ ପବନ କଲ୍ୟାଣ। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତେବେ ଆନ୍ନା ହେଉଛନ୍ତି ପବନଙ୍କ ତୃତୀୟ ପତ୍ନୀ। ଏହାପୂର୍ବରୁ ୧୯୯୭ ମସିହାରେ ନନ୍ଦିନୀଙ୍କୁ ପ୍ରଥମ ବିବାହ କରିଥିଲେ ପବନ। ୨୦୦୮ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ପରେ ୨୦୦୯ରେ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ୨୦୧୨ରେ ସେହି ସମ୍ପର୍କ ମଧ୍ୟ ଭାଙ୍ଗିଯାଇଥିଲା।

ଅନ୍ୟପଟେ ହଠାତ୍ କାହିଁକି ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଲେ, ସେନେଇ କୌଣସି କାରଣ ସାର୍ବଜନୀନ କରାଯାଇନାହିଁ। ନିଜ ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ସମ୍ମାନ ଦେବାକୁ ଉଭୟ ଅନୁରୋଧ କରିଛନ୍ତି। ତେବେ ୧୩ ବର୍ଷ ପରେ ପବନ କଲ୍ୟାଣଙ୍କ ତୃତୀୟ ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।