ମୂଷା ହତ୍ୟାକାରୀ ବିରୋଧରେ ଚାର୍ଜସିଟ ଦାଖଲ କଲା ୟୁପି ପୋଲିସ

ମୂଷା ମାରିବା ଅଭିଯୋଗରେ 30 ବର୍ଷୀୟ ଯୁବକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ୟୁପି ପୋଲିସ। ଗତ ନଭେମ୍ବର ମାସରେ ବ୍ୟକ୍ତି ଜଣକ ଗୋଟିଏ ମୂଷାକୁ ଡ୍ରେନରେ ପକାଇ ମାରିଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଏପରି ଘଟଣାକୁ ନେଇ ଚାର୍ଜ ସିଟ ଦାଖଲ କରିବା ପ୍ରଥମ ବୋଲି କହିଛନ୍ତି ପୋଲିସ ଅଧିକାରୀ।

ସୂଚନା ମୁତାବକ, ମନୋଜ କୁମାର ଜଣେ କୁମ୍ଭାର। ଏକ ଛୋଟ ଘର କରି ସେ ନିଜ 3 ଝିଅଙ୍କ ସହ ରହୁଥିଲେ। କିନ୍ତୁ 2022 ନଭେମ୍ବର ମାସରେ ତାଙ୍କ ବିରୋଧରେ ସ୍ଥାନୀୟ ଜଣେ ପଶୁ ସୁରକ୍ଷା ଅଧିକାରୀ ସିଭିଲ ଲାଇନ ଥାନାରେ ଅଭିଯୋଗ  କରିଥିଲେ କି ସେ ଏକ ମୂଷାକୁ ଅତି ନିର୍ଦ୍ଦୟ ଭାବେ ମାରି ଦେଇଛନ୍ତି। ଯାହାକୁ ନେଇ ମନୋଜଙ୍କ ବିରୋଧରେ ଆଇପିସିର ଧାରା 429 ସେକ୍ସନ 11(1) ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା।

ମନୋଜ ମୂଷା ମାରିବାର ଏକ  ଭିଡିଓ ସାମ୍ନାକୁ ଆସିଥିଲା, ସେଥିରେ ମନୋଜ ଏକ ମୂଷାର ଲାଞ୍ଜକୁ ସୂତାରେ ବାନ୍ଧି ଅନ୍ୟ ପଟରେ ଏକ ପଥର ବାନ୍ଧିଦେଇ ଡ୍ରେନରେ ମୂଷାକୁ ଝୁଲାଇ ଦେଇଥିଲେ, ଯେଉଁଥିରେ ମୂଷାର ମୃତ୍ୟୁ ହୋଇଥିଲା। ଏପରି କାର୍ଯ୍ୟକୁ ପଶୁ ସୁରକ୍ଷା କର୍ମୀ ବିରୋଧ କରିବା ସହ ପଶୁଙ୍କ ପ୍ରତି କ୍ରୁରତା ବୋଲି ଥାନାରେ ଅଭିଯୋଗ କରିଥିଲେ। ମାମଲାରେ ପୋଲିସ ମନୋଜଙ୍କୁ ଗିରଫ କରିଥିଲା। ତେବେ ପରବର୍ତ୍ତୀ ସମୟରେ ମୂଷାର ଅଟୋସ୍ପି ରିପୋର୍ଟରେ ବାହାରି ଥିଲା କି ମୂଷାର ମୃତ୍ୟୁ ‘ଡ୍ରାଏ ଡ୍ରାଉନିଂ’ ପାଇଁ ହୋଇଥିଲା। ରିପୋର୍ଟ ତଥା ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ପୋଲିସ ଚାର୍ଜସିଟ ପ୍ରସ୍ତୁତ କରିଛି।

ତେବେ ମନୋଜ ମୁଷା ମାରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ଝିଅ ମୂଷା ମାରି ନାଳରେ ପକାଇ ଦେଇଥିବାରୁ ସେ ତାକୁ ବାହାର କରିଥିଲେ ଓ କେହି ତାର ଭିଡିଓ କରିଥିଲା ବୋଲି କହିଥିଲେ ମନୋଜ। ଅନ୍ୟପଟେ ଅଭିଯୋଗକାରୀ କହିଛନ୍ତି କି, ଏହା ସେପରି କୌଣସି ବଡ ଘଟଣା ନୁହେଁ, କିନ୍ତୁ ଯେଉଁଭଳି ଭାବେ ପଶିଙ୍କ ପ୍ରତି ଅତ୍ୟାଚାର ବଢିଚାଲିଛି, ଏହା ଏକ ଶିକ୍ଷା ହେବ।

Leave a Reply

Your email address will not be published. Required fields are marked *