ଅମୃତପାଲଙ୍କ ଆତ୍ମସମର୍ପଣ ପଛର ରହସ୍ୟ…

ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ପଞ୍ଜାବ ପୋଲିସକୁ ନାକରେ ପାଣି ପିଆଇଦେଇଥିବା ଖଲିସ୍ଥାନୀ ସମର୍ଥକ ଅମୃତପାଲ ଶେଷରେ ରବିବାର ଦିନ ପୋଲିସ ହାତରେ ଲାଗିଛନ୍ତି। ମୋଗା ପୋଲିସ ଦ୍ୱାରା ଅମୃତପାଲକୁ ଗିରଫ କରାଯିବା ସହ ଆସାମର ବିଦ୍ରୁଗଡ ଜେଲକୁ ନିଆଯାଇଛି। ତେବେ ଏମିତି ହଠାତ୍ ଅମୃତପାଲ ନିଜକୁ ଧରାଇ ଦେବା ପଛରେ କି କାରଣ ରହିଛି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆତ୍ମସମର୍ପଣ ଓ ଗିରଫଦାରୀ ପଛରେ ଅମୃତପଲର କିଛି ପ୍ଲାନ ରହିଥିବା ବିଶେଷଜ୍ଞ କହୁଛନ୍ତି।

36 ଦିନ ଧରି ପଞ୍ଜାବ ପୋଲିସକୁ ହରିଆଣା, ଉତ୍ତରାଖଣ୍ଡ, ଦିଲ୍ଲୀ, ୟୁପି ଆଦି ବିଭିନ୍ନ ରାଜ୍ୟରେ ଦୌଡାଇବା ପରେ ଶେଷରେ ଯେଉଁଠୁ ଚର୍ଚ୍ଚାକୁ ଆସିଥିଲେ ସେଠାରେ ଆତ୍ମସମର୍ପଣ କରିଛନ୍ତି ୱାରିସ ସଂଗଠନର ପ୍ରମୁଖ ଅମୃତପାଲ। ଏହାକୁ ନେଇ  ପଞ୍ଜାବ ପୋଲିସ ଆଶ୍ୱସ୍ତି ଅନୁଭବ କରିଥିବା ବେଳେ କିନ୍ତୁ ଏହା ପଛରେ କିଛି ବଡ ରହସ୍ୟ ଥିବା ବିଶେଷଜ୍ଞ କହୁଛନ୍ତି। ଆତ୍ମସମର୍ପଣ ସହ ଅମୃତପାଲଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଯୋଡା ଯାଉଛି।

ପଞ୍ଜାବର ପୂର୍ବତନ ଆଇପିଏସ ସୁରେନ୍ଦ୍ର ସିଂହ କହିଛନ୍ତି କି, ଯେମିତି ଅମୃତପାଲଙ୍କୁ ଗିରଫ କରାଯାଇଛି, ଦେଖିଲେ ସ୍ପଷ୍ଟ ହେଉଛି ସେ ଜାଣି ଜାଣି ନିଜକୁ ଧରାଇଛନ୍ତି। ପୋଲିସ ମୋଗା ଜିଲ୍ଲାର ଗଳି କନ୍ଦିରେ ଛାପା ମାରିଥିଲା, କିନ୍ତୁ ତାଙ୍କୁ ପାଇ ନ ଥିଲା। ଏବେ ସେହି ସ୍ଥାନରେ ଅମୃତପାଲ ଧରାଦେଇଛନ୍ତି। ପୂର୍ବତନ ଆଇପିଏସ କହିଛନ୍ତି, ଏହା ପଛରେ କିଛି ବଡ ଯୋଜନା ରହିଛି ଅମୃତପାଲଙ୍କର। କାରଣ, କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ କିରଣଦୀପ ଲଣ୍ଡନ ଚାଲି ଯିବାକୁ ପ୍ଲାନ କରିଥିବା ବେଳେ ପୋଲିସ ତାଙ୍କୁ ବିମାନବନ୍ଦରରୁ ଧରି ତାଙ୍କ ଶ୍ବଶୁର ଘରେ ଛାଡି ଦେଇଥିଲା। ଆଜି ଅମୃତପାଲ ଆତ୍ମସମର୍ପଣ କରୁଛନ୍ତି।

ହୁଏତ ପତ୍ନୀ ଓ ପରିବାର ଲୋକଙ୍କୁ ପୋଲିସ ହଇରାଣ ନ କରୁ ଏଥିପାଇଁ ସେ ଆପଣା ଛାଁ ଧରାପଡିଛନ୍ତି। କିଛି ଦିନ ପରେ ପରିସ୍ଥିତି ସାମାନ୍ୟ ହୋଇଗଲେ କିରଣଦୀପ ଲଣ୍ଡନ ଚାଲିଯିବେ ଓ ସେଠାରୁ ଅମୃତାପାଲଙ୍କୁ ସାହାଯ୍ୟ କରିବେ। ଅଥବା ଅମୃତପାଲ ସୁଯୋଗ ଦେଖି ଜେଲରୁ ନିଜକୁ ମୁକୁଳାଇ ନେବେ ବୋଲି ପୂର୍ବତନ ଆଇପିଏସ ଅନୁମାନ କରୁଛନ୍ତି।

Leave a Reply

Your email address will not be published. Required fields are marked *