Category: ରାଜ୍ୟ ଖବର

  • ଏସଏଚଜି ମହିଳାଙ୍କ ୟୁନିଫର୍ମ ପାଇଁ ଟଙ୍କା ବଣ୍ଟନ

    ଏସଏଚଜି ମହିଳାଙ୍କ ୟୁନିଫର୍ମ ପାଇଁ ଟଙ୍କା ବଣ୍ଟନ

    ମହିଳାଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ବହୁ ଯୋଜନା ହୋଇଛି। ନିକଟରେ ମଧ୍ୟ ଅନେକ ଯୋଜନା କରିଛନ୍ତି ରାଜ୍ୟ ସରକାର। ମିଶନ ଶକ୍ତି ମହିଳାଙ୍କୁ ସ୍ବତନ୍ତ୍ର ପରିଚୟ ଦେବାକୁ ସେମାନଙ୍କ ପାଇଁ ୟୁନିଫର୍ମ ବ୍ୟବସ୍ଥା କରିବା ସହ ଏଥି ପାଇଁ ହଜାର ଟଙ୍କା ଓ କ୍ୟାଡରମାନଙ୍କ ବ୍ଲେଜର ପାଇଁ ୨ ହଜାର ଟଙ୍କା ବଣ୍ଟନ କରାଯାଉଛି। ଏହିକ୍ରମରେ ଯାଜପୁର ବ୍ଲକ ପରିସରରେ ମିଶନ ଶକ୍ତି ମହିଳା ମାନଙ୍କୁ ୟନିଫର୍ମ ଭତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସେମାନେ ନେଇଥିବା ଋଣର ସୁଧ ଛାଡ଼ ଘୋଷଣା କରାଯାଇଥିଲା। ବ୍ଲକର ୧୧୫୦ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ଏହି ସୁଧ ଛାଡ଼ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଯାଜପୁର ବ୍ଲକ ଅଧକ୍ଷା ସ୍ବର୍ଣ୍ଣଲତା ପରିଡା, ଯାଜପୁର ପୌରପାଳିକା ଅଧ୍ୟକ୍ଷା ରଞ୍ଜୁଲତା ହୋତା, ମିଶନ ଶକ୍ତି ବ୍ଲକ ପ୍ରୋଗ୍ରାମ ସଂଯୋଜିକା ଗୀତାରାଣୀ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏଭଳି ଯୋଜନାର ଲାଭ ଉଠାଇବାକୁ ଏସଏଚଜି ମହିଳାଙ୍କୁ ପରାମର୍ଶ ଦେଇଥିଲେ।

    ସରକାରଙ୍କ ସୁଧ ଛାଡ ଘୋଷଣା ପରେ ମିଶନ ଶକ୍ତି ମହିଳାଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦର ଲହରୀ। ଏଥିନେଇ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

  • ଟାଟାଷ୍ଟିଲର ଚଞ୍ଚକତା ପାଇଁ ସୌନ୍ଦର୍ଯ୍ୟ ହରାଇଲା ଯୋଡା ମୁଖଶାଳା

    ଟାଟାଷ୍ଟିଲର ଚଞ୍ଚକତା ପାଇଁ ସୌନ୍ଦର୍ଯ୍ୟ ହରାଇଲା ଯୋଡା ମୁଖଶାଳା

    କେନ୍ଦୁଝର ଜିଲ୍ଲାରେ ବହୁ ଗୁରୁତ୍ବ ବହନ କରୁଛି ଖଣିଜ ସମ୍ପତ୍ତିରେ ପୂର୍ଣ୍ଣ ଯୋଡା ଅଞ୍ଚଳ। ସହରର କଳାପାହାଡରେ ଥିବା ସ୍ଵାଗତ ତୋରଣ ଟାଟା ଷ୍ଟିଲ ପକ୍ଷରୁ ରୂପାନ୍ତରଣର ମାସେ କେଇଟା ନ ପୂରୁଣୁ ଫାଳଫାଳ ହୋଇ ଉଡି ପ୍ରବେଶ ପଥକୁ କରିଦେଇଛି ଅସୁନ୍ଦର । ଟାଟାଷ୍ଟିଲର ଆତ୍ମପ୍ରଚାର ନିଶା ଖୋଲିଦେଇଛି ନିମ୍ନମାନର କାର୍ଯ୍ୟର ପୋଲ୍। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯୋଡା ସହରର ଏହି ସ୍ଵାଗତତୋରଣର ରୂପାନ୍ତରଣ ପାଇଁ ଗତ ବର୍ଷ ଜୁଲାଇ ୨୪ରେ ଭୂମିପୂଜା କରିଥିଲେ ଖୋଦ୍ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଓ ଯୋଡା ନଗରପାଳ ଜଗଦୀଶ ସାହୁ। ହେଲେ ତୋରଣ ରୂପାନ୍ତରଣକୁ ବର୍ଷ ଗୋଟେ ହୋଇନି, ସେଥିରେ ଲାଗିଥିବା ଆଲୁମିନିୟମ ପ୍ଲେଟ ନିମ୍ନମାନର ହୋଇଥିବାରୁ ଭାରିଯାନ ଯାତାୟାତରେ ସେ ସବୁ ଉଡିଯାଇ, କିମ୍ଭୁତ କିମ୍ଭାକାର ଲାଗିଛୁ ତୋରଣ। ଭିତରେ ଥିବା ମୂଳ ଢାଞ୍ଚା ପଦାକୁ ବାହାରିଲାଣି। ଖାଲି ସେତିକି ନୁହେଁ, ଏହି ରୂପାନ୍ତର କାର୍ଯ୍ୟ ବେଳେ ମୂଳ ଢାଞ୍ଚାରେ ହୋଇଥିବା ଖଣ୍ଡିଆ ଖବରା ପରିପୃଷ୍ଟିତ ହେବାରୁ ଦୃଷ୍ଟି କଟୁ ହେଲାଣି। ଏହାକୁ ଦେଖିବା ପରେ ଯୋଡାବାସୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଅସନ୍ତୋଷ।

    ଟାଟା ଷ୍ଟିଲ ଖାଲି ତୋରଣ ଫଳକରେ ନିଜ ନାଁକୁ ଉଲ୍ଳେଖ କରିବାକୁ ଏପରି କୁତ୍ସିତ କାର୍ଯ୍ୟ କରିଥିବା ଚର୍ଚ୍ଚା ହେଉଛି। କମ୍ପାନୀର ଏପରି ଚଞ୍ଚକତା ପାଇଁ ବିଧାୟିକାଙ୍କ ସମେତ ଯୋଡା ନଗରପାଳ ଲଜ୍ଜିତ ହେଉଥିବା ଲୋକେ କୁହାକୁହି ହେଲେଣି। ତେବେ ନେତାଙ୍କୁ ହାତ କରି ଏପରି ଚଞ୍ଚକତା କରିବାରେ ଟାଟା ଷ୍ଟିଲର ପୂର୍ବରୁ ନାଁ ରହିଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଏଠାରେ କହି ରଖୁଛୁ, ପ୍ରାୟ ୧୪ ବର୍ଷ ତଳେ ଯୋଡାର ତତ୍କାଳୀନ ନଗରପାଳ ରବୀନ୍ଦ୍ର କୁମାର ଦାସଙ୍କ ପ୍ରଚେଷ୍ଟାରେ ପୌରପାଳିକା ପକ୍ଷରୁ କଳାପାହାଡ ଠାରେ ସିମେଣ୍ଟ, କଂକ୍ରିଟରେ କାରୁକାର୍ଯ୍ୟପୂର୍ଣ୍ଣ ସ୍ୱାଗତତୋରଣ ନିର୍ମାଣ କରାଯାଇଥିଲା। ଯାହା ଯୋଡା ସହରକୁ ଦେଇଥିଲା ଏକ ସ୍ବତନ୍ତ୍ର ପରିଚୟ। ମାତ୍ର ଟାଟାଷ୍ଟିଲ କେବଳ ନିଜ ନାଁ ଯୋଡିବାକୁ କିଛି ଅସାଧୁ ନେତାଙ୍କ ଜରିଆରେ ପ୍ରବେଶପଥକୁ କୁତ୍ସିତ କରିଦେଇଛି। ତେବେ ଟାଟାଷ୍ଟିଲ କର୍ତ୍ତୃପକ୍ଷ ଏହି ଭଙ୍ଗା ତୋରଣ ଦେଖି ପାରୁଛନ୍ତି କି ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

  • ଚିକିତ୍ସାରେ ଅବହେଳା ମା’ ହେବାପୂର୍ବରୁ ଆଖିବୁଜିଲେ ପ୍ରସୂତି

    ଚିକିତ୍ସାରେ ଅବହେଳା ମା’ ହେବାପୂର୍ବରୁ ଆଖିବୁଜିଲେ ପ୍ରସୂତି

    ପରିବାରକୁ ନବାଗତର ଆଗମନ ପାଇଁ ଦୀର୍ଘ ୯ ମାସ ହେଲା ଥିଲା ଉତ୍ସାହ। କିଏ କେତେ ଯୋଜନା କରିଥିଲେ ତାର ସ୍ବାଗତ ପାଇଁ। ହେଲେ ସବୁ ଯୋଜନା,ଆଶା, ଉତ୍ସାହ ମାତ୍ର କେଇ ଘଣ୍ଟାରେ ହୋଇଗଲା ଛାରଖାର। ଏବେ ସମସ୍ତଙ୍କ ଭିତରେ ଦୁଃଖ, କୋହ ଓ କ୍ରୋଧ। କାରଣ, ଦ୍ବିତୀୟ ଭଗବାନଙ୍କ ସାମାନ୍ୟତମ ଅବହେଳା ଖାଲି ନବାଗତ ନୁହେଁ, ତାକୁ ଦୁନିଆକୁ ଆଣୁଥିବା ମା’କୁ ସବୁ ଦିନ ପାଇଁ ଚିର ନିଦ୍ରାରେ ଶୁଆଇ ଦେଲା। ଯାହାକୁ ନେଇ ପରିବାର ଲୋକେ ମେଡିକାଲରେ ତାଲା ପକାଇବା ସହ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କ ଗିରଫଦାରି ଦାବିରେ ଅଡି ବସିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ଭଦ୍ରକ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ।

    ସୂଚନା ମୁତାବକ, ଆଗରପଡା ଥାନା ଅଧୀନ ବିରିଡି ଅଞ୍ଚଳର ୨୮ ବର୍ଷୀୟ ମଞ୍ଜୁଲତା ଘଡେଇଙ୍କ ଦ୍ଵିତୀୟ ସନ୍ତାନ ଜନ୍ମ ସମୟ ଆଗତ ହେବାରୁ ରବିବାର ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ରାତି ହୋଇଯାଇଥିଲା ତେଣୁ ପରିବାର ଲୋକେ ଆଗରପଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କୁ ସେଠାରୁ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ତେଣୁ କାଳ ବିଳମ୍ବ ନ କରି ରାତି ୧୧.୩୦ରେ ତାଙ୍କୁ ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟକୁ ନିଆଗଲା। ପରିବାର ଲୋକେ ବୋହୂର ଯନ୍ତ୍ରଣା ଦେଖି ଅପରେସନ ପାଇଁ କହିଥିବା ବେଳେ ନର୍ସ କହିଥିଲେ ନର୍ମାଲ ଡେଲିଭରୀ ହେବ, ବ୍ୟସ୍ତ ହେବାର କିଛି ନାହିଁ। କିନ୍ତୁ ହଠାତ୍ ମଞ୍ଜୁଙ୍କୁ OT କୁ ନେଇଥିଲେ। ପରେ ତାଙ୍କୁ ବାହାର କରି ଆଣିଥିଲେ। ଇଞ୍ଜେକସନ ମଧ୍ୟ ଦେଇଥିଲେ।

    ଏପରି ଅଵସ୍ଥାରେ କୌଣସି ଚିକିତ୍ସା ନକରି ମଧ୍ୟରାତି ପର୍ଯ୍ୟନ୍ତ ପକାଇ ରଖିଲେ। ପରେ ଅପରେସନ ପାଇଁ ଦସ୍ତଖତ ନେଇ ମଧ୍ୟ ଅପରେସନ କରିନଥିଲେ। ସେପଟେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଞ୍ଜୁ। ଏହା ଦେଖି ସ୍ଵାମୀ ଅଭିମନ୍ୟୁ ଘଡେଇ ଡାକ୍ତରଙ୍କୁ ଅପରେସନ କରିବାକୁ ଗୁହାରୀ କରିଥିଲେ ମଧ୍ୟ ଡାକ୍ତର ଓ ନର୍ସ କେହି ଶୁଣିନଥିଲେ। ଏହା ପରେ ପ୍ରାୟ ୨ଟା ସୁଦ୍ଧା କହିଥିଲେ ପ୍ରସୂତିଙ୍କୁ କଟକ ନେଇଯିବାକୁ। ଏତେ ରାତିରେ କେମିତି କଟକ ନେବେ ତାହା ବୁଝିପାରିନଥିଲେ ପରିବାର ଲୋକେ। ତଥାପି କଟକ ନେବାକୁ ବ୍ୟବସ୍ଥା କରୁଥିବା ବେଳେ ଖବର ଆସିଥିଲା ମଞ୍ଜୁ ଆଉ ନାହାନ୍ତି। କଟକକୁ ରେଫରର ୩୦ ମିନିଟ୍ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

    ଯାହା ପରିବାରବର୍ଗଙ୍କୁ ଉତ୍ତେଜିତ କରିଥିଲା। ଯଦି ମଞ୍ଜୁଙ୍କର କିଛି ସମସ୍ୟା ଥିଲା ତେବେ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ କାହିଁ କୁହା ଗଲାନି କି ଅପରେସନ କଲେନି ଡାକ୍ତର ବୋଲି ପ୍ରଶ୍ନ କରିବା ସହ ଡାକ୍ତରଙ୍କ ଅବହେଳାରୁ ମଞ୍ଜୁ ଓ ତାଙ୍କ ସନ୍ତାନର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି।ଉତ୍କ୍ଷିପ୍ତ ପରିବାର ଲୋକେ ମେଡିକାଲ ଗେଟ ଅବରୋଧ କରି ନ୍ୟାୟ ଦାବିରେ ଅଡି ବସିଥିବା ଦେଖିବାକୁ ମିଳିଥିଲା।

    ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ପରେ ଆଗରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛି ଓ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ସେପଟେ ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

  • ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ

    ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ

    କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ଟୁକୁଣା ଶାସନ ଠାରେ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ସମାଜର ମହାଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶରତ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ମଦନ ପାଣି ଙ୍କ ସଂଯୋଜନା କରିଥିଲେ , ଶାନ୍ତନୁ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଆଇନିଜିବୀ ଭାଗିରଥି ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପରେ ବିଭିନ୍ନ ବ୍ରାହ୍ମଣ ଶାସନରୁ ଆସିଥିବା ଗ୍ରାମୀଣ କର୍ମକର୍ତ୍ତା ମାନେ ନିଜର ମତାମତ ପ୍ରଦାନ କରିଥିଲେ।

    ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣ ସମାଜର ରାଜ୍ୟ ସଭାପତି ଡ ସଦାନନ୍ଦ ଦୀକ୍ଷିତ , ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ସଂଘ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଦାସ ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଜିଲ୍ଲା ସମ୍ପାଦକ ପ୍ରସନ୍ନ କୁମାର ନନ୍ଦ, ଦେବେନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଭାବେ ଭଦ୍ରକ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ଦୀକ୍ଷିତ ଓ ସ୍ଵତନ୍ତ୍ର ଅତିଥି ଭାବେ ଇଂ ନାରାୟଣ ମିଶ୍ର ଯୋଗଦେଇ ବ୍ରାହ୍ମଣ ସମାଜ ଜଗତର ପଥ ପଦର୍ଶକ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।

    ଏହି ଅବସରେରେ ବ୍ରାହ୍ମଣ ବନମାଳି ଦାଶ, ଭୁବନାନନ୍ଦ ଦାଶ, ଲକ୍ଷ୍ମଣ କୁମାର ମିଶ୍ର, ହରିହର ମିଶ୍ର, ଚିନ୍ତାମଣି ଦାଶ,ରାମଚନ୍ଦ୍ର ମିଶ୍ର, ଜଟେଶ୍ୱର ନନ୍ଦ, ମହେଶ୍ବର ପତି, ଭଗବାନ ମିଶ୍ର, ଗଣେଶ୍ୱର ପାଢ଼ୀ, ସଦାଶିବ ମିଶ୍ର, ଅନନ୍ତ ଚରଣ ସା, ମାୟାଧର ମିଶ୍ର, ମାନଗୋବିନ୍ଦ ପାତ୍ର ,କେଶଦୁରାପାଳ ଶାସନ ର ଶ୍ରୀଧର ମିଶ୍ର ,ଅବିନାଶ ଶତପଥୀ ଓ ଟୁକୁଣା ଶାସନର ସଭାପତି ଅଜୟ କୁମାର ସଂଯୋଜକ ବିଜୟ କୁମାର ମିଶ୍ର ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ଥିଲା। ଶେଷରେ ପଣ୍ଡିତ ନିରାକାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

  • ଆମ୍ବସର୍ ମୁଣ୍ଡା କ୍ରିକେଟ୍, ରେଢ଼ାଖୋଲ ବିଜୟୀ

    ଆମ୍ବସର୍ ମୁଣ୍ଡା କ୍ରିକେଟ୍, ରେଢ଼ାଖୋଲ ବିଜୟୀ

    ଆଠମଲ୍ଲିକ ବ୍ଲକ ଆମ୍ବସର୍ ମୁଣ୍ଡା ପଞ୍ଚାୟତ ଖେଳ ପଡିଆ ଠାରେ ଚାଲିଥିବା ପଞ୍ଚାୟତ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ ର ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ଦକ୍ଷତା ଉଦ୍ୟମିତା ମନ୍ତ୍ରୀ ଙ୍କ ସହଧର୍ମିଣୀ ତଥା ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୂଳା ଠାକୁର୍ ଯୋଗ ଦେଇ ବିଜୟୀ ରେଢ଼ାଖୋଲ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ।

    ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୀବ କୁମାର୍ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର୍ ପ୍ରଧାନ, ଗଗନ ବିହାରୀ ବାରିକ, ପ୍ରବୀଣ କୁମାର ସାହୁ, ସରପଞ୍ଚ ସସ୍ମିତା ସେଠୀ, ହୃଦାନନ୍ଦ ପ୍ରଧାନ, ଅଜିତ୍ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ବହୁତ୍ କ୍ରୀଡ଼ାପ୍ରେମୀ ଯୋଗଦେଇ ଖେଳ ଉପଭୋଗ କରିଥିଲେ।

  • ରାକେଶ କୁମାର ଜେନା ଜଗନ୍ନାଥ ଟ୍ରକ ମାଲିକ ସଙ୍ଘର ନୂଆ ସଭାପତି

    ରାକେଶ କୁମାର ଜେନା ଜଗନ୍ନାଥ ଟ୍ରକ ମାଲିକ ସଙ୍ଘର ନୂଆ ସଭାପତି

    ପାରାଦ୍ଵୀପରେ ଅନୁଷ୍ଠିତ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ନିର୍ବାଚନରେ ବାଜି ମାରିଛନ୍ତି ରାକେଶ ଜେନାଙ୍କ ପ୍ୟାନେଲ । ଚଳିତ ନିର୍ବାଚନରେ ସଙ୍ଘର ୫୩୩ ସଭ୍ଯଙ୍କ ମଧ୍ଯରୁ ୪୯୦ ଜଣ ସଭ୍ଯ ଭୋଟ କରୁଥିବାବେଳେ, ନିର୍ବାଚନ ରଣାଙ୍ଗନରେ ଉଭୟ ପ୍ୟାନେଲର ୧୨ ଜଣ ପ୍ରତିଦ୍ବନ୍ଦିତା କରୁଥିଲେ । ରବିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ ଟା ରେ ଶେଷ ହୋଇଥିଲା।

    ଭୋଟ ଗଣତି ସରିବା ପରେ ସଭାପତି ଭାବେ ରାକେଶ କୁମାର ଜେନା ବିପକ୍ଷ ପ୍ରାର୍ଥୀ ଛଇଳ ଜେନାଙ୍କ ଠାର ୬୭ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି, କାର୍ଯ୍ୟକାରୀ ସଭାପତି ଭାବେ ବିଜୟ କୁମାର ପରିଡା, ଉପସଭାପତି ଭାବେ ସରୋଜ ମହାପାତ୍ର, ସମ୍ପାଦକ ଭାବେ ବିଶ୍ବରଞ୍ଜନ ପଲାଇ, ସହ ସମ୍ପାଦକ ଭାବେ ସୁଧିର କୁମାର ଜେନା, କୋଷାଧ୍ୟକ୍ଷ ଭାବେ ମାନସ ପାତ୍ର ନିର୍ବାଚିତ ହୋଇଛନ୍ତି।

    ବର୍ତ୍ତମାନ, ଟ୍ରକ ବ୍ୟବସାୟ ରେ ମାନ୍ଦାବସ୍ଥା ଥିବା ବେଳେ , ଆଗାମୀ ଦିନରେ ଟ୍ରକ ମାଲିକ ମାନେ କିପରି ଅଧିକ ଭଡା ପାଇବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ବିଜୟୀ ସଭାପତି ରାକେଶ ଜେନା କହିଛନ୍ତି ।

  • ବିକାଶ ପାଇଁ ନୂଆ-ଓରେ ଝୁମିଲେ ବସ୍ତିବାସିନ୍ଦା

    ବିକାଶ ପାଇଁ ନୂଆ-ଓରେ ଝୁମିଲେ ବସ୍ତିବାସିନ୍ଦା

    କେନ୍ଦୁଝର ଜିଲ୍ଲା ଯୋଡା ସହରର ୯ନମ୍ବର ୱାର୍ଡ ରେ ଥିବା ଗୋପ ମହାନ୍ତି ହଟିଂ ହାଇସ୍କୁଲ ପଡ଼ିଆରେ ଆମ ଓଡ଼ିଶା ,ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଶତାଧିକ ବସ୍ତି ବାସିନ୍ଦା ଝୂମିଲେ ,ଗାଇଲେ ଓ ଭରପୁର ମଜା ଉଠାଇଲେ । ଶିଶୁ,ମହିଳା,ଯୁବକ,ବୃଦ୍ଧ ସମସ୍ତଙ୍କ ପାଇଁ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା ।

    ଖେଳ କୁଦ ,ନୃତ୍ୟ , ଚିତ୍ରାଙ୍କନ ପ୍ରତିଯୋଗିତା,ଗୃହିଣୀ ମାନଙ୍କ ପାଇଁ ମ୍ୟୁଜିକ ଚେୟାର ମୁଖ୍ୟ ଆକର୍ଷଣ ହୋଇଥିଲା ।ଏଥିରେ ପାଲା ପରିବେଷଣ ହୋଇଥିଲା।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଙ୍କ ଦ୍ଵାରା ବସ୍ତି ବାସିନ୍ଦା ଙ୍କ ପାଇଁ ରାଜ୍ୟ ସରକାର ନେଇଥିବା ସଂକଳ୍ପ ର ସଚେତନତା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଡା ପୌର ଉପାଧ୍ୟକ୍ଷ ଯୋଗ ଦେଇଥିଲେ

  • ଇଂରାଜୀ ପରେ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ

    ଇଂରାଜୀ ପରେ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ

    କେନ୍ଦୁଝର ପୁଣି ଭାଇରାଲ ହେଲା ମଟ୍ରିକ ପ୍ରଶ୍ନପତ୍ର । ଇଂଗ୍ରାଜୀ ପରେ ଏବେ ପୁଣି ଭାଇରାଲ ହୋଇଛି ଗଣିତ ପ୍ରଶ୍ନପତ୍ର । ଆଜି ପିଲାଙ୍କର ଗଣିତ ପରୀକ୍ଷା ଥିବାବେଳେ ପରୀକ୍ଷା ପୁର୍ବରୁ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲିଥିଲା ଗଣିତ ପ୍ରଶ୍ନପତ୍ର ।ପ୍ରଶ୍ନ ସହ ଉତର ମଧ୍ୟ ରହିଛି । କେନ୍ଦୁଝରର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଦେଖିବାକୁ ମିଳିଛି । ଇଂରାଜୀ ପରୀକ୍ଷା ବେଳେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଥିଲା । ହେଲେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଲିକକୁ ଖଣ୍ଡନ କରାଯାଇଥି।

    ଏବେ ଏହି ଗଣିତ ପରୀକ୍ଷା ଭାଇରାଲ ପ୍ରଶ୍ନପତ୍ରକୁ ନେଇ କଣ ସ୍ପଷ୍ଟିକରଣ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

  • ପ୍ରଚଣ୍ଡ ଶବ୍ଦରେ କମ୍ପିଲା ପୁରା ସଇଁତଲା

    ପ୍ରଚଣ୍ଡ ଶବ୍ଦରେ କମ୍ପିଲା ପୁରା ସଇଁତଲା

    ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବଡ଼ମାଳ ଗୋଳାବାରୁଦ କାରଖାନା ରେ ବିସ୍ପୋରଣ । ଗତକାଲି ସଂଧ୍ୟା ସମୟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗରୁ ବଡ଼ମାଳ ଗୋଳାବାରୁଦ କାରଖାନାରେ ବିଭିନ୍ନ ସମଗ୍ରୀ ତିଆରି ହୋଇଥାଏ !ତେବେ ୧୨ ନମ୍ବର ୟୁନିଟ ରେ କେମିକାଲ ବିଭାଗରେ ଅଚାନକ ବିସ୍ପୋରଣ ହୋଇ ଥିବା ସୂଚନା ମିଳିଛି !ବିସ୍ପୋରଣ ଏତେ ମାତ୍ରରେ ଥିଲା ଯେ ନିଆଁ ବ୍ଯାପିବା ସହ ଧୁଆଁ ସାରା ଅଞ୍ଚଳକୁ ବ୍ଯାପିଯାଇଛି ।

    ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା କୋକୁଆ ଭୟ । ତେବେ କେଉଁ କାରଣ ରୁ ବିସ୍ପୋରଣ ହୋଇଛି ତାହା ଜଣାପଡିନ ଥିବା ବେଳେ ବିସ୍ପୋରଣ ରେ କେତେ କ୍ଷୟ କ୍ଷତୀ ହେଇଛି ତାହା ଅଷ୍ପଷ୍ଟ ରହିଛି ! ଗତକାଲି ରବିବାର ହୋଇଥିବାରୁ କର୍ମଚାରୀ ନଥିବାରୁ ଏକ ବଡ଼ ଅଘଟଣ ଏଡେଇ ହୋଇଯାଉଥିବା କୁହାଯାଉଛି ।

  • ଟୋପାଏ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା

    ଟୋପାଏ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା

    ଟୋପାଏ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଇବା ପାଣି ତ ଦୂରର କଥା ନିତ୍ୟ ବ୍ୟବହାର ପାଇଁ ଜଳ ବୁନ୍ଦାଏ ପାଉନାହାନ୍ତି ଲୋକେ । ଏବେ ଖରା ପଡିବା ଆରମ୍ଭ କରିଥିବା ବେଳେ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଦୀର୍ଘ ଦିନରୁ ଲୋକେ ଏହି ସମସ୍ୟା ଦେଇ ଗତି କରିଆସିଛନ୍ତି । ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଭୂୟାଁ ରୋଇଡା ପଞ୍ଚାୟତର କ୍ୟାମ୍ପ ହାଟିଂ ଠାରେ । ଏହି ସମସ୍ୟା ଦିର୍ଘ ଦିନ ଧରି ରହିଥିବା ବେଳେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

    ଗୋଟିଏ ପଟେ ଗ୍ରାମରେ କଙ୍କାଳ ପ୍ରାୟ ଠିଆ ହୋଇଛି ନଳକୂପ । କେଉଁ ଏକ ଅନାବନା ସ୍ଥାନରେ ମନକୁ ବୁଝାଇଲା ଭଳି ଠିଆ ହୋଇଛି ପାଣି ଟାଙ୍କି । ହେଲେ କୋଣସି ଯୋଜନା ଲୋକଙ୍କ ମୁହଁରେ ପାଣି ବୁନ୍ଦାଏ ଦେଇପାରୁ ନାହିଁ । ଗ୍ରାମର ମହିଳା ମାନେ ଚୁଆରୁ ଯେଉଁ ପାନୀୟ ଜଳ ସଂଗ୍ରହ କରୁଛନ୍ତି ତାହା ବିଶୁଦ୍ଧ ନୁହେଁ । ତଥାପି କରିବେ କଣ, କୌଣସି ପ୍ରକାରେ ବଞ୍ଚିବାକୁ ତ ପଡିବ ।

    ଅବଶ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣିଜ ପାଣ୍ଠି ସହାୟତାରେ ଗ୍ରାମରେ ୨ଟି ସୋଲାର ବୋରୱେଲ୍ କରାଯାଇଛି କିନ୍ତୁ, ସେଗୁଡିକ ବିଭିନ୍ନ ସମୟରେ ଅଚଳ ରହୁଛି । ଗ୍ରାମରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଅଧିକାଂଶ ଆଦିବାସୀ ଶ୍ରେଣୀର । ଗାଁ ପାଖ ଦେଇ ବୋହିଯାଇଛି ସୁନାନଦୀ । ନେତାମାନେ ଭାଷଣ ମାରନ୍ତି ଜଳ, ଜମି, ଜଙ୍ଗଲ ଉପରେ ପ୍ରଥମେ ଆଦିବାସୀଙ୍କ ଅଧିକାର ରହିଛି । ମାତ୍ର ଦୀର୍ଘ ବର୍ଷ ଧରି ଏହି ସୁନା ନଦୀରୁ ଟାଟାଷ୍ଟିଲ ବଡବଡ ପାଇପ୍ ଯୋଗେ ପ୍ରଚୁର ପାଣି ନିଜ ବ୍ୟବହାର ପାଇଁ ଶୋଷି ନେଉଥିବା ବେଳେ ପ୍ରଭାବିତ କ୍ୟାମ୍ପହାଟିଂର ଆଦିବାସୀ ମାନେ ଚୁଆଁରୁ ପାଣି ପିଉଛନ୍ତି ।

    ଅନ୍ୟ ଦିନ ମାନଙ୍କରେ ତ କୌଣସି ପ୍ରକାରେ ଲୋକେ ଚଳିଯାନ୍ତି ସେହି ପାଣିରେ ହେଲେ, ବର୍ଷା ଦିନରେ ନଦୀ ପାଣି ବଢିଯାଉଥିବାରୁ ଏହା ବ୍ୟବହାର ଅନୁଉପଯୋଗୀ ହୋଇପଡେ । ଫଳରେ ଲୋକେ ପିଇବା ପାଣି ପାଇଁ ବାର ଦୁଆର ଘୁରିବୁଲନ୍ତି । ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଟାଟା ଷ୍ଟିଲ କମ୍ପାନୀର ଦ୍ବାରସ୍ଥ ହୋଇ ନିରାଶ ହୋଇସାରିଥିବା ବେଳେ ଏବେ ସରକାରଙ୍କ ଉପରେ ଆଶା ବାନ୍ଧି ରଖିଛନ୍ତି ।