ଟୋପାଏ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା

ଟୋପାଏ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଇବା ପାଣି ତ ଦୂରର କଥା ନିତ୍ୟ ବ୍ୟବହାର ପାଇଁ ଜଳ ବୁନ୍ଦାଏ ପାଉନାହାନ୍ତି ଲୋକେ । ଏବେ ଖରା ପଡିବା ଆରମ୍ଭ କରିଥିବା ବେଳେ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଦୀର୍ଘ ଦିନରୁ ଲୋକେ ଏହି ସମସ୍ୟା ଦେଇ ଗତି କରିଆସିଛନ୍ତି । ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଭୂୟାଁ ରୋଇଡା ପଞ୍ଚାୟତର କ୍ୟାମ୍ପ ହାଟିଂ ଠାରେ । ଏହି ସମସ୍ୟା ଦିର୍ଘ ଦିନ ଧରି ରହିଥିବା ବେଳେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଗୋଟିଏ ପଟେ ଗ୍ରାମରେ କଙ୍କାଳ ପ୍ରାୟ ଠିଆ ହୋଇଛି ନଳକୂପ । କେଉଁ ଏକ ଅନାବନା ସ୍ଥାନରେ ମନକୁ ବୁଝାଇଲା ଭଳି ଠିଆ ହୋଇଛି ପାଣି ଟାଙ୍କି । ହେଲେ କୋଣସି ଯୋଜନା ଲୋକଙ୍କ ମୁହଁରେ ପାଣି ବୁନ୍ଦାଏ ଦେଇପାରୁ ନାହିଁ । ଗ୍ରାମର ମହିଳା ମାନେ ଚୁଆରୁ ଯେଉଁ ପାନୀୟ ଜଳ ସଂଗ୍ରହ କରୁଛନ୍ତି ତାହା ବିଶୁଦ୍ଧ ନୁହେଁ । ତଥାପି କରିବେ କଣ, କୌଣସି ପ୍ରକାରେ ବଞ୍ଚିବାକୁ ତ ପଡିବ ।

ଅବଶ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣିଜ ପାଣ୍ଠି ସହାୟତାରେ ଗ୍ରାମରେ ୨ଟି ସୋଲାର ବୋରୱେଲ୍ କରାଯାଇଛି କିନ୍ତୁ, ସେଗୁଡିକ ବିଭିନ୍ନ ସମୟରେ ଅଚଳ ରହୁଛି । ଗ୍ରାମରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଅଧିକାଂଶ ଆଦିବାସୀ ଶ୍ରେଣୀର । ଗାଁ ପାଖ ଦେଇ ବୋହିଯାଇଛି ସୁନାନଦୀ । ନେତାମାନେ ଭାଷଣ ମାରନ୍ତି ଜଳ, ଜମି, ଜଙ୍ଗଲ ଉପରେ ପ୍ରଥମେ ଆଦିବାସୀଙ୍କ ଅଧିକାର ରହିଛି । ମାତ୍ର ଦୀର୍ଘ ବର୍ଷ ଧରି ଏହି ସୁନା ନଦୀରୁ ଟାଟାଷ୍ଟିଲ ବଡବଡ ପାଇପ୍ ଯୋଗେ ପ୍ରଚୁର ପାଣି ନିଜ ବ୍ୟବହାର ପାଇଁ ଶୋଷି ନେଉଥିବା ବେଳେ ପ୍ରଭାବିତ କ୍ୟାମ୍ପହାଟିଂର ଆଦିବାସୀ ମାନେ ଚୁଆଁରୁ ପାଣି ପିଉଛନ୍ତି ।

ଅନ୍ୟ ଦିନ ମାନଙ୍କରେ ତ କୌଣସି ପ୍ରକାରେ ଲୋକେ ଚଳିଯାନ୍ତି ସେହି ପାଣିରେ ହେଲେ, ବର୍ଷା ଦିନରେ ନଦୀ ପାଣି ବଢିଯାଉଥିବାରୁ ଏହା ବ୍ୟବହାର ଅନୁଉପଯୋଗୀ ହୋଇପଡେ । ଫଳରେ ଲୋକେ ପିଇବା ପାଣି ପାଇଁ ବାର ଦୁଆର ଘୁରିବୁଲନ୍ତି । ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଟାଟା ଷ୍ଟିଲ କମ୍ପାନୀର ଦ୍ବାରସ୍ଥ ହୋଇ ନିରାଶ ହୋଇସାରିଥିବା ବେଳେ ଏବେ ସରକାରଙ୍କ ଉପରେ ଆଶା ବାନ୍ଧି ରଖିଛନ୍ତି ।

Leave a Reply

Your email address will not be published. Required fields are marked *