Category: ମୁଖ୍ୟ ଖବର

  • ରାଷ୍ଟ୍ରପତିଙ୍କ ଗସ୍ତରେ ଆଇନ୍ ଉଲ୍ଲଂଘନ କରି ଅଡୁଆରେ ଫାର୍ମାସିଷ୍ଟ

    ରାଷ୍ଟ୍ରପତିଙ୍କ ଗସ୍ତରେ ଆଇନ୍ ଉଲ୍ଲଂଘନ କରି ଅଡୁଆରେ ଫାର୍ମାସିଷ୍ଟ

    ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି । ସ୍ୱାଗତମ୍ ଠାରୁ ଆରମ୍ଭ କରି ବିଦାୟ ସବୁଠି ରାଷ୍ଟ୍ରପତିଙ୍କ ପ୍ରଶଂସା । କାରଣ ସେ ଓଡ଼ିଆ, ଓଡ଼ିଶାର ଗର୍ବ । ରାଷ୍ଟ୍ରପତିଙ୍କ ୩ ଦିନିଆ ଗସ୍ତ ବେଳେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ହେଲେ କିଛିଟା ତ୍ରୁଟିକୁ ଅସନ୍ତୋଷ ଦେଖାଦେଇଛି । ଶନିବାର ଅର୍ଥାତ ଗତକାଲି ରାଷ୍ଟ୍ରପତି ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେଉଥିବା ବେଳେ ଲାଇଟ୍ କଟିଯାଇଥିଲା । ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ପୁଣି ଥରେ ଆଉ ଏକ ଚିନ୍ତାଜନକ କଥା ସାମ୍ନାକୁ ଆସିଛି ।

    ରାଷ୍ଟ୍ରପତିଙ୍କ ତିନିଦିନିଆ ମୟୂରଭଞ୍ଜ ଗସ୍ତ ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ କିଛିଟା ତ୍ରୁଟି ହୋଇଥିବା ଜଣାପଡ଼ିଛି । ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ନିୟୋଜିତ ହେଲିକପ୍ଟର ପାଖକୁ ଯାଇ ସେଲ୍‌ଫି ନେଇଥିଲେ । ଏଥିସହ ସେଥିରେ ବସି ଫଟୋ ବି ଉଠାଇଥିଲେ । ସେ ଏହି ଫଟୋଗୁଡ଼ିକୁ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ହେଲେ ଯେତେବେଳେ ବିବାଦୀୟ ସ୍ଥିତି ଉପୁଜିଲା ସେ ଫେସବୁକରୁ ଫଟୋଗୁଡ଼ିକୁ ଡିଲିଟ୍ କରି ଦେଇଛନ୍ତି । ଏହି ଫାର୍ମାସିଷ୍ଟଙ୍କ ନାଁ ଯଶବନ୍ତ ବେହେରା।

    ଗତକାଲି ଏହି ସେଲ୍‌ଫି ଓ ଫଟୋଗୁଡ଼ିକ ଉଠାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକପ୍ଟରରେ ଶିମିଳିପାଳ ପାଦ ଦେଶରେ ଥିବା ଛେଳିଗୁଦୁଲିରେ ପହଞ୍ଚିଥିଲେ। ସେଠାରୁ ସେ ସଡ଼କପଥରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିଲେ । ଛେଳିଗୁଦୁଲି ହେଲିପ୍ୟାଡରେ ଡ୍ୟୁଟିରେ ଥିଲେ ଫାର୍ମାସିଷ୍ଟ ଯଶବନ୍ତ । ତେବେ ସେ ଆଇନ୍ ଉଲ୍ଲଂଘନ କରି ରାଷ୍ଟ୍ରପତିଙ୍କୁ ନେଇ ଆସିଥିବା ୩ଟି ହେଲିକପ୍ଟର ମଧ୍ୟରୁ ଗୋଟିକରେ ସେଲ୍‌ଫି ନେବା ସହିତ ଫଟୋ ମଧ୍ୟ ଉଠାଇଥିଲେ। ସେ ହେଲିକପ୍ଟର ସହିତ ଗୋଟିଏ ସେଲ୍‌ଫି ନେଇଥିଲେ ।

    ଆଉ ଦୁଇଟି ଫଟୋ ମଧ୍ୟ ଉଠାଇଛନ୍ତି ଯଶବନ୍ତ। ଦୁଇଟି ଫଟୋ ମଧ୍ୟରୁ ଗୋଟିକରେ ସେ ହେଲିକପ୍ଟର ଏକ ଅଂଶରେ ବସିଛନ୍ତି । ଅନ୍ୟଟିରେ ହେଲିକପ୍ଟରର ସମ୍ମୁଖ ଭାଗରେ ହାତରେ ଭରା ଦେଇ ଛିଡ଼ା ହୋଇଛନ୍ତି । ତେବେ, ଫଟୋ କିଏ ଉଠାଇଲେ,ତାହା ଏଯାଏ ଅସ୍ପଷ୍ଟ ରହିଛି । ତେବେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା କେବଳ ରାଷ୍ଟ୍ରପତି ଆସିଥିବାରୁ ସ୍ମୃତି ସାଇତି ରଖିବା ପାଇଁ ସେ ଏହି ସେଲଫି ନେଇଥିବା କହିଛନ୍ତି ଯଶବନ୍ତ । ସ୍ଥାନୀୟ ତହସିଲଦାର କହିଛନ୍ତି ଯେ ସେମାନେ ଖାଇବାକୁ ଯାଇଥିବା ବେଳେ ଫାର୍ମାସିଷ୍ଟ ହେଲିକପ୍ଟର ସହିତ ସେଲ୍‌ଫି ନେଇଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ମୟୂରଭଞ୍ଜ ଏସ୍‌ପି ।

  • ଝାରସୁଗୁଡା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

    ଝାରସୁଗୁଡା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

    ଝାରସୁଗୁଡା ଉପନିର୍ବାଚନ ୧୦ ତାରିଖରେ ହେବାକୁ ଥିବା ବେଳେ ସବୁ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଆଜି ବିଜେଡି ପ୍ରାର୍ଥିନୀ ଦିପାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ପ୍ରଚାର କରୁଛନ୍ତି। ସେପଟେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହେଉଛି। ପ୍ରଥମଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନର ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯିବ ।

    ଝାରସୁଗୁଡ଼ା ବିଧାନସଭା  ମଣ୍ଡଳୀରେ ଥିବା ମୋଟ ବୁଥ ଭିତରୁ ୪୦% ସମ୍ବେଦନଶୀଳ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନକୁ ସୁରୁଖୁରୁ ଓ ଶୃଙ୍ଖଳିତ ଢଙ୍ଗରେ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ ନିର୍ବାଚନ ସମୟରେ ବିଧାନସଭା ମଣ୍ଡଳୀରେ ଆଇନଶୃଙ୍ଖଳା ରକ୍ଷା ହେବ ତା ଉପରେ ଅଧିକାରୀଙ୍କ ସହଯୋଗ ଲୋଡିଛନ୍ତି ଧଳ। ଏଥିସହ ନିର୍ବାଚନ ପାଇଁ ସବୁ ବୁଥକୁ ଭୋଟଗ୍ରହଣ ସାମଗ୍ରୀ ପହଞ୍ଚାଇବା, କାଳବୈଶାଖି ଓ ଝଡ଼ବାତ୍ୟାର ଆଗୁଆ ଆକଳନ, ଏକଜିଟ୍ ପୋଲ୍ ଉପରେ କଟକଣା, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାନଚ ଅଧିକାରୀ ।

    ଅଧିକାରୀଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଧଳ କହିଛନ୍ତି କି, ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ସ୍ଥିତି ଠିକଠାକ୍ ରହିଛି । ଝାରସୁଗୁଡ଼ାରେ ୪୦ ପ୍ରତିଶତ ବୁଥ ସମ୍ବେଦନଶୀଳ ଅଛି । ଓଡ଼ିଶାର ସବୁ ବୁଥରେ ଆଗକୁ ୱେବକାଷ୍ଟିଂ ହେବାକୁ ଥିବାବେଳେ ଝାରସୁଗୁଡ଼ା ଉପନିର୍ବାଚନରେ ଏହାର ଆରମ୍ଭ ହେବ । ଫଳରେ ଭୋଟଦାନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନିର୍ବାଚନ ଅଧିକାରୀମାନେ ସିଧାସଳଖ ତଦାରଖ କରିପାରିବେ ।

    ଧଳ ଆହୁରି ସୂଚନା ଦେଇଛନ୍ତି କି, ଦୁଇ ଦଳ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ କମିଶନଙ୍କ ଯାଞ୍ଚ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଆଜିର ଏହି ବୈଠକରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଆଇଏସ୍ ଦେବକ୍ରିଷ୍ଣା ତିୱାରୀ, ପୁଲିସ ପର୍ଯ୍ୟବେକ୍ଷକ ଆଇପିଏସ୍ ହମିତ୍ ଅଖତାର, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଇଆରଏସ୍ ରବିରାଜ ସାହୁରାଜ ଖୋଗରେ, ରାଜ୍ୟ ଆଇନଶୃଙ୍ଖଳା ଆଇଜି ପ୍ରବୀଣ କୁମାର, ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍ ନରୱଣେ ଓ ଏସପି ସ୍ମିଥ ପି ପୁରୁଷୋତ୍ତମ ଦାସ ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ ।

    ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ଆସନ୍ତା ୧୦ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ଓ ମୋଟ ୨.୨୧ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।

  • ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, କାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର

    ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, କାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର

    ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଲଘୁଚାପ କ୍ଷେତ୍ରକୁ ଅପେକ୍ଷା । ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
    ୯ ତାରିଖରେ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । ପରେ ଅଧିକ ଘନୀଭୂତ ହୋଇ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆସନ୍ତାକାଲି ଅର୍ଥାତ ୮ ତାରିଖ ଶେଷ ସୁଦ୍ଧା ବାତ୍ୟାର ତୀବ୍ରତା ଏବଂ ଏହାର ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ପାଣିପାଗ ବିଭାଗ କହିଛି ।

    ଯଦି ବାତ୍ୟା ଆସେ ତେବେ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିନି । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶା ପ୍ରତି ସେମିତି କିଛି ବିପଦ ନାହିଁ । ଗତିବିଧି ଏବଂ ପ୍ରଭାବର ପୂର୍ବାନୁମାନ ସହ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସମସ୍ତ ଅପଡେଟ୍ ଖବର ଦିଆଯିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିପାରେ ।

    ଆଣ୍ଡାମାନ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଏଥିସହ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ବାରଣ କରାଯାଇଛି । ୮ ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ନେଇ ସୂଚନା ମିଳିଛି । କାଳବୈଶାଖୀ ପ୍ରଭାବ କମିବା ସହିତ ତାତି ବୃଦ୍ଧି ପାଇପାରେ । ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ ଆଲର୍ଟ କରାଯାଇଛି । ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି ।

    ସେପଟେ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ, SRCଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକ କରିଛନ୍ତି । ଏଥିପାଇଁ ସମସ୍ତେ ସଜାଗ ଏବଂ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ସବୁ କାର୍ଯ୍ୟ ଶେଷ କରିବାକୁ କହିଛନ୍ତି ନବୀନ ।

  • ନକଲି ମୃଦୁପାନୀୟ କମ୍ପାନୀରେ CMCର ଚଢ଼ାଉ, କମ୍ପାନୀ ସିଲ୍ ସହ ୫୦ ହଜାର ଜରିମାନା

    ନକଲି ମୃଦୁପାନୀୟ କମ୍ପାନୀରେ CMCର ଚଢ଼ାଉ, କମ୍ପାନୀ ସିଲ୍ ସହ ୫୦ ହଜାର ଜରିମାନା

    ଡହଡ଼ହ ଖରାରେ ତଣ୍ଟି ଶୁଖିଯାଉଥିବା ବେଳେ ଜୀବନ ବିକଳରେ କିଏ ଫଳରସ, ଆଖୁରସ, ପାଣି କିମ୍ବା ମୃଦୁପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । କିନ୍କୁ ଆପଣ ଜାଣିଛନ୍ତି କି ମୃଦୁପାନୀୟ ନାଁରେ ପଇସା ଦେଇ ଆପଣ ବିଷ ପିଉଛନ୍ତି ?

    କଟକ ସୂତାହାଟ ଅଞ୍ଚଳରେ ନକଲି ମୃଦ୍ୟୁ ପାନୀୟ କମ୍ପାନୀରେ କଟକ ମହାନଗର ନିଗମ ପକ୍ଷରୁ ଚଢ଼ାଉ । କମ୍ପାନୀରେ CMCର ଫୁଡ୍ ସେଫ୍ଟି ଟିମ୍ ଏବଂ ପୋଲିସ ଅତର୍କିତ ଚଢ଼ାଉ କରିବା ପରେ ଯାଞ୍ଚ ଆରମ୍ଭ କରିଥିଲେ । ସେଠାରୁ ବିପୁଳ ପରିମାଣର ନାମିଦାମୀ କମ୍ପାନୀର ବୋତଲ,ଠିପି ଜବତ କରାଯାଇଛି । ସେହି କମ୍ପାନୀର କୌଣସି ବ୍ୟବସାୟିକ ଲାଇସେନ୍ସ ନାହିଁ । ସେଠାରୁ ବିପୁଳ ପରିମାଣର ନକଲି ମୃଦ୍ୟୁପାନୀୟ ଜବତ କରାଯାଇଛି । ଶେଷରେ କମ୍ପାନୀଟିକୁ ସିଲ୍ କରିଛି ସିଏମସି । ଏଥିସହ ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ସିଏମସି ।

    ଏହି ନକଲି ମୃଦ୍ୟୁ ପାନୀୟ କଟକ ସହର ସମେତ ଆଖପାଖ ଜିଲ୍ଲାଗୁଡ଼ିକରେ ବିକ୍ରି ପାଇଁ ପଠାଯାଇଥାଏ । ୮ ଲକ୍ଷ ଟଙ୍କାର ମେସନ୍, ନକଲି ମୃଦ୍ୟୁପାନୀୟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏଥିସହିତ ପାନୀୟ ସାମ୍ପୁଲକୁ ଲ୍ୟାବ୍ ପଠାଯାଇଛି । ରିପୋର୍ଟ୍ ଆସିବା ପରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବର୍ତ୍ତମାନ କମ୍ପାନୀ ଉପରେ ୫୦ ହଜାର ଟଙ୍କା ଜରିମାନା ଲଗାଇଛି ସିଏମସି ।

    https://youtu.be/Fm3in7wS4T0

    ବର୍ତ୍ତମାନ ବଜାରରେ ନକଲି ଜିନିଷ ବହୁଳ ଭାବେ ଉପଲବ୍ଧ ହେଉଛି । କିଛି ଅସାଧୁ ବ୍ୟବସାୟୀ ଅଧିକ ଲାଭ ପାଇବା ଆଶାରେ ଜନସାଧାରଣଙ୍କ ଜୀବନକୁ ବିପନ୍ନ କରି ଅପମିଶ୍ରିତ ଖାଦ୍ୟପଦାର୍ଥ ବିକ୍ରି କରିବା ସହ ଏହାକୁ ଲୋଭନୀୟ କରିବା ପାଇଁ ଏଥିରେ ସିନ୍ଥେଟିକ୍ ରଙ୍ଗ, ସ୍ୱାଦବର୍ଦ୍ଧକ ସାମଗ୍ରୀ ଏବଂ ଶରୀର ପାଇଁ କ୍ଷତିକାରକ ରାସାୟନିକ ସାମଗ୍ରୀ ବ୍ୟବାହର କରୁଛନ୍ତି । ଅଧିକ ବିକ୍ରି ପାଇଁ ନାମିଦାମୀ କମ୍ପାନୀର ବ୍ରାଣ୍ଡ ନାମ ତଥା ଲୋଗୋ ବ୍ୟବହାର କରିବାକୁ ପଛାଉ ନାହାଁନ୍ତି । ଲୋକଙ୍କ ବିଶ୍ୱାସରେ ବିଷ ଦେଉଥିବା ଏହି ଅସାଧୁ ବ୍ୟବସାୟୀ କବଳରୁ ରକ୍ଷା ପାଇବାକୁ ହେଲେ ଉତ୍ତମ ଏବଂ ବିଶ୍ୱସ୍ତ ଦୋକାନୀଙ୍କ ଠାରୁ ଦେଖିଚାହିଁ ଜିନିଷ କିଣିବାକୁ ହେବ ।

  • କଲିନ୍ କାଉଣ୍ଟିସ୍ଥିତ ଟେକ୍ସାସ୍ ଷ୍ଟୋନବ୍ରିୟାର୍ ମଲରେ ଗୁଳିକାଣ୍ଡ, ୯ ମୃତ

    କଲିନ୍ କାଉଣ୍ଟିସ୍ଥିତ ଟେକ୍ସାସ୍ ଷ୍ଟୋନବ୍ରିୟାର୍ ମଲରେ ଗୁଳିକାଣ୍ଡ, ୯ ମୃତ

    ଆମେରିକାର ଟେକ୍ସାସ୍‌ ଅନ୍ତର୍ଗତ ଡାଲସ୍‌ ବାହାରେ ଜନଗହଳି ମଲ୍‌ରେ ବନ୍ଧୁକଧାରୀଙ୍କ ନରସଂହାର । ଆଖିବୁଜା ଗୁଳି ଚଳାଇବାରୁ ୯ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଆଉ ୭ ଜଣ ଆହତ ହୋଇଛନ୍ତି । ଏ ନେଇ ସରକାରୀ କର୍ତ୍ତୃପକ୍ଷମାନେ ସ୍ପଷ୍ଟ କରିଛନ୍ତି । ଶନିବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସହରର ପୋଲିସ ମୁଖ୍ୟ ବ୍ରିଏନ୍‌ ହାର୍ଭେ କହିଛନ୍ତି ଯେ ଟେକ୍ସାସ୍‌ର ଏଲେନ୍‌ସ୍ଥିତ ଏଲେନ୍‌ ପ୍ରିମିୟମ୍‌ ଆଉଟ୍‌ଲେସଟସ୍‌ ମଲ୍‌ରେ ଏକାକୀ ଗୁଳି ଚଳାଇଥିବା ବନ୍ଧୁକଧାରୀଙ୍କୁ ହତ୍ୟା କରାଯାଇଛି । ଜଣେ ପୋଲିସ ଅଧିକାରୀଙ୍କ ଗୁଳିରେ ସେ ନିହତ ହୋଇଛି ।

    ଏଲେନ୍‌ ଅଗ୍ନିଶମ ବିଭାଗର ମୁଖ୍ୟ ଜନ୍‌ ବୟଡ୍‌ ଯେ,ଗୁଳିମାଡ଼ରେ ଆହତ ହୋଇଥିବା ୯ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କର ମୃତ୍ୟୁ ଘଟିଛି ।

    ଏହି ଘଟଣାରେ ଜାରି କରିଥିବା ବିବୃତିରେ ମେଡିକାଲ୍‌ ସିଟି ହେଲ୍‌ଥ୍‌କେୟାର୍‌ କହିଛି ଯେ,ଟ୍ରମା ସେଣ୍ଟର୍‌ ୮ ଜଣ ଆହତଙ୍କୁ ଚିକିତ୍ସା କରାଯାଉଛି । ସେମାନଙ୍କର ବୟସ ୫ରୁ ୬୧ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ହେଲେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ହସ୍ପିଟାଲ୍‌ କିଛି ଉଲ୍ଲେଖ କରିନାହିଁ। ଏହି ଗୁଳିକାଣ୍ଡକୁ ଟେକ୍ସାସ୍‌ର ଗଭର୍ଣ୍ଣର୍‌ ଗ୍ରେଗ୍‌ ଏବୋଟ୍‌ ‘ଅକଥନୀୟ ଦୁଃଖଦ ଘଟଣା’ ବୋଲି କହିଛନ୍ତି । ଏଥିସହିତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ରାଜ୍ୟ ପ୍ରସ୍ତୁତ ଅଛି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

    https://twitter.com/i/status/1654987524513619975

    ଆମେରିକାରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଅଧିକ ଗୁଳିକାଣ୍ଡର ଶିକାର ହେଉଛନ୍ତି । ୨୦୨୧ରେ ୪୯ ହଜାର ଏବଂ ୨୦୨୨ରେ ୪୫ ହଜାର ଲୋକ ଗୁଳିମାଡ଼ର ଶିକାର ହୋଇଛନ୍ତି । ବନ୍ଧୁକଧାରୀଙ୍କ ହିଂସାରେ ଅଧିକାଂଶ ସମୟରେ ନିରୀହ ଲୋକ, ଶିଶୁଙ୍କ ଜୀବନ ଯାଉଛି ।

  • ଚାର୍ଲ୍ସ ୩ ହେଲେ ବ୍ରିଟେନର ୪୦ତମ ରାଜା

    ଚାର୍ଲ୍ସ ୩ ହେଲେ ବ୍ରିଟେନର ୪୦ତମ ରାଜା

    ବ୍ରିଟେନ ପାଇଲା ତାର ନୂଆ ରାଜା। ଚାର୍ଲ୍ସ ୩ଙ୍କର ଆଜି ହୋଇଛି ରାଜ୍ୟାଭିଷେକ। ୧୯୫୩ ପରେ, ୭୦ ବର୍ଷର ବ୍ୟବଧାନରେ ସଂଯୁକ୍ତ ରାଷ୍ଟ୍ରରେ ହେଉଛି ରାଜ୍ୟାଭିଷେକ। ଚାର୍ଲ୍ସଙ୍କ ମା’ କୁଇନ ଏଲିଜାବେଥ୨ଙ୍କ ଗତ ସେପ୍ଟେମ୍ୱରରେ ମୃତ୍ୟୁ ପରଠାରୁ ରାଜ ଗାଦି ଖାଲି ପଡିଥିଲା। ଶନିବାର ଦିନ ଚାର୍ଲ୍ସ ରାଜଗାଦି ଅଳଙ୍କୃତ କରିବା ସହ ହୋଇଛନ୍ତି ୪୦ତମ ସମ୍ରାଟ। ଏହି ଅବସରରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଭାଗ ନେଇଛନ୍ତି।

    ରାଜ୍ୟାଭିଷେକ ପାଇଁ କିଙ୍ଗ ଚାର୍ଲ୍ସ ଓ ତାଙ୍କ ପତ୍ନୀ କାମିଲା ଡାଇମଣ୍ଡ ଜୁବଲି ଷ୍ଟେଟ କୋଚରେ ଥିବା ୱେଷ୍ଟମିନିଷ୍ଟର ଆବେରେ ପହଞ୍ଚିଥିଲେ। ଉଭୟ ୬ଟି ଧୁଷର ଘୋଡା ଟାଣିଥିବା ଗାଡିରେ ସବାର ହୋଇ ସୁରକ୍ଷା କର୍ମୀ ଓ ଅଶ୍ବାରୋହୀଙ୍କ ସୁରକ୍ଷା ବଳୟରେ ସେଠାକୁ ଅଣାଯାଇଥିଲା।  ବ୍ରେଟେନର ପରମ୍ପରା ଓ ସଂସ୍କୃତି ମୁତାବକ ରାଜ୍ୟାଭିଷେକ କରାଯାଇଛି।

    ବ୍ରିଟେନର ରାଜ୍ୟାଭିଷେକ ଇତିହାସରେ ଚାର୍ଲ୍ସ ହେଉଛନ୍ତି କିଙ୍ଗ ଚାର୍ଲ୍ସ ୧୪ଦଶ ଶତାବ୍ଦୀର ଆବେରେ ସ୍ଥାପିତ ସିଂହାସନରେ ୩୬୦ ବର୍ଷ ପୁରୁଣା ମୁକୁଟ ପରିଧାନ କରିଥିବା ସବୁଠାରୁ ବୟସ୍କ ସମ୍ରାଟ ହୋଇଛନ୍ତି। ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ୨୦୦୦ ଅତିଥିଙ୍କ ଆଗମନ ହୋଇଛି। ହେଲେ ୧୯୫୩ରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜ୍ୟାଭିଷେକ ବେଳେ ୮୦୦୦ ଅତିଥିଙ୍କ ଆଗମନ ହୋଇଥିଲା। ଚାର୍ଲ୍ସଙ୍କ ପତ୍ନୀ କାମିଲା ମଧ୍ୟ ମୁକୁଟ ଧାରଣ କରିବେ, ହେଲେ ଏଥିଲାଗି ଏକ ପୃଥକ ସମାନ କିନ୍ତୁ ସାଧାରଣ ସମାରୋହର ଆୟୋଜନ ହେବ।

    ଆଜିର ଏହି ଭବ୍ୟ ସମାରୋହରେ ବ୍ରିଟେନ ରାଜପରିବାରରେ ପ୍ରଚଳିତ  ସମସ୍ତ ନିତି ନିୟମର ପାଳନ ହୋଇଛି। ସମ୍ରାଟ ଚାର୍ଲ୍ସ ୩ଙ୍କ ହାତରେ ରାଜ୍ୟାଭିଷେକ କାଳରେ ସାମୂହିକ ବାଇବେଲ ପାଠ ସମୟରେ ଥିଲା ରାଜ ଦଣ୍ଡ ଓ ଖଣ୍ଡା। ରାଜଦଣ୍ଡ ସୁନାରେ ଛାଉଣି ହୋଇଥିବା ବେଳେ ଖଣ୍ଡାରେ ଜଡାଯାଇଛି ବିଶ୍ୱର ସବୁଠାରୁ ବଡ ରଙ୍ଗହୀନ ହୀରା। ତେବେ ଆଜିର ସମାରୋହ ତୁଳନାରେ ଏଲିଜାବେଥ୨ଙ୍କ ରାଜ୍ୟାଭିଷେକ ଅଧିକ ବଡଧରଣର ଥିଲା।

    ଆଜିର ସମାରୋହରେ ବିଭିନ୍ନ ରାଷ୍ଟ୍ରରୁ ବହୁ ରାଜନେତା, ବିଶିଷ୍ଠ ବ୍ୟକ୍ତିଙ୍କ ଆଗମନ ହୋଇଛି। କାର୍ଯ୍ୟକ୍ରମରେ ବ୍ରିଟେନ ସରକାରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ହିନ୍ଦୁ ପ୍ରଧାନମନ୍ତ୍ରୀ ଋଷି ସୁନକ ବାଇବେଲ ପାଠ କରିବା ସହ ବ୍ରିଟେନର ଉଚ୍ଚ ପରମ୍ପରା ଓ ସଂସ୍କୃତିର ବର୍ଣ୍ଣନା କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମକୁ ରାଜ ଦମ୍ପତିଙ୍କ ଦୁଇ ପୁଅ ରାଜକୁମାର ହେରୀ ଓ ଆଣ୍ଡ୍ରେଉସାମିଲ ହୋଇଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟକ୍ରମରେ କୌଣସି ଭୂମିକା ନଥିଲା। ଉଭୟ ମଧ୍ୟ ଚାର୍ଲ୍ସଙ୍କ ପ୍ରସେସନରୁ ଅଲଗା ରଖା ଯାଇଥିଲା। ଏହା ବ୍ରିଟେନର ପରମ୍ପରା।

    ରାଜ୍ୟାଭିଷେକ ପରେ ରାଜ ଦମ୍ପତିଙ୍କୁ ସେଠାରେ ଉପସ୍ଥିତ ଅତିଥିଗଣ ଅଭିନନ୍ଦନ ଜଣାଇଛନ୍ତି।  ସମସ୍ତ କାର୍ଯ୍ୟକ୍ରମ ପରେ ରାଜ ଦମ୍ପତି ଗୋଲ୍ଡ ଷ୍ଟେଟ କୋଚସ୍ଥିତ ବେକିଂ ହାମ ପାଲେସକୁ ଫେରିଯିବେ। ଏହା ପରେ ସେ ରାଜ ପରିବାରର ସମସ୍ତ ସଦସ୍ୟଙ୍କ ସହ ଦେଶର କମନ ହେଲ୍ଥର ସଦସ୍ୟ ଓ ୪୦୦୦ ବ୍ରିଟିଶ ନାଗରିକଙ୍କ ସହ ରେଗାଲିଆରେ ଉପସ୍ଥିତ ହେବେ।  ପୁଣି ବେକିଂ ହାମ ପାଲେସ ଫେରିଯାଇ ରାଜ ଭବନର ବାଲକୋନୀରୁ ସର୍ବସାଧାରଣ ଦର୍ଶନ ଦେବେ। ସେଠାରେ ତାଙ୍କୁ ସେନା ପକ୍ଷରୁ ଫ୍ଲାଇ ପାଷ୍ଟ ସହ ସମ୍ୱର୍ଦ୍ଧନା ଦିଆଯିବ। ଏହି ରାଜ୍ୟାଭିଷେକ କାର୍ଯ୍ୟକ୍ରମ ୩ ଦିନ ବ୍ୟାପୀ ଚାଲିବ।

  • ରାଜଧାନୀରେ ରୋଡ୍ ରୋମିଓଙ୍କ ଆତଙ୍କରାଜ, ହଷ୍ଟେଲରେ ଭଙ୍ଗାରୁଜା

    ରାଜଧାନୀରେ ରୋଡ୍ ରୋମିଓଙ୍କ ଆତଙ୍କରାଜ, ହଷ୍ଟେଲରେ ଭଙ୍ଗାରୁଜା

    ରାଜଧାନୀ ଭୁବନେଶ୍ୱରର ଏକ ଲେଡିଜ୍ ହଷ୍ଟେଲରେ ରୋଡ୍ ରୋମିଓଙ୍କ ଆତଙ୍କରାଜ । ହଷ୍ଟେଲ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ୧୦ରୁ ଅଧିକ ଯୁବକ ଏଭଳି କାଣ୍ଡ ଭିଆଇଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରିଛି ପୋଲିସ ।

    ନୟାପଲ୍ଲୀ ଥାନା ଅଧିନ ଉଗ୍ରତାରା ଲେଡିଜ ହଷ୍ଟେଲରେ ଛାତ୍ରୀମାନେ ଆକ୍ରମଣର ଶିକାର ହୋଇଛନ୍ତି । ଛାତ୍ରୀମାନେ ହଷ୍ଟେଲ ଆଗରେ ଛିଡ଼ା ହୋଇଥିବା ବେଳେ ଯୁବକ ଟେକା ଫିଙ୍ଗିଥିଲେ । ବିରୋଧ କରିବାରୁ ଧମକ ଦେଇଥିଲେ ଏବଂ ଧକ୍କା ମାରିବା ସହ ମାଡ଼ ମାରିଥିଲେ । ଆଉ କିଛି ଯୁବତୀ ବାହାରକୁ ଆସିବା ବେଳେ ସେମାନଙ୍କ ଉପରକୁ ଟେକା ଫିଙ୍ଗିଥିଲେ ରୋଡ୍ ରୋମିଓ । ନିଶା ଖାଇ ଏଭଳି କମେଣ୍ଟ ମାରୁଥିବା କହିଛନ୍ତି ଛାତ୍ରୀ ।

    ଏପରିକି ହଷ୍ଟେଲ କାନ୍ଥ ଭାଙ୍ଗିବା ସହ ଟେକା ଫିଙ୍ଗି କାଚ ଭାଙ୍ଗିଥିଲେ । ୧୦ରୁ ଅଧିକ ଦୃର୍ବୃତ୍ତ ହଷ୍ଟେଲରେ ଆତଙ୍କ ଖେଳାଇଥିଲେ । ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ, ଯୁବକମାନେ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସକୁ ଖବର ମିଳିଛି । ଏହି ଘଟଣା ପରେ ମଦ୍ୟପାନ କରୁଥିବା ସ୍ଥାନରେ ଅତର୍କିତ ଚଢ଼ାଉ କରିଛି ପୋଲିସ ।

  • ସେନାରେ ଆଉ ଉଡିବନି ଧ୍ରୁବ ହେଲିକପ୍ଟର

    ସେନାରେ ଆଉ ଉଡିବନି ଧ୍ରୁବ ହେଲିକପ୍ଟର

    ଜମ୍ମୁ କାଶ୍ମୀରର କିଶ୍ତୱାଡରେ ଗୁରୁବାର ହୋଇଥିବା ଏଏଲଏଚ ଧ୍ରୁବ ହେଲିକପ୍ଟର ଦୁର୍ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ  ସେନାର ସମସ୍ତ ବିଭାଗରେ ଏହାର ଉଡାଣକୁ ବନ୍ଦ କରି ଦେଇଛି। ଗୁରୁବାର କିଶ୍ତୱାଡାରେ ହୋଇଥିବା ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୨  ପାଇଲଟ  ଗୁରୁତର ଆହତ ହୋଇଥିବା ବେଳେ ସେଥିରେ ଥିବା ଟେକ୍ନିସିଆନଙ୍କ ମୃତ୍ୟୁ ହୋଇଥିଲା। ଏହା ଜମ୍ମୁ କାଶ୍ମୀରରେ ୨୦୨୧ରୁ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାର ୫ମ ଦୁର୍ଘଟଣା । ଜଳ ସେନାର ଦୁଇଟି ହେଲିକପ୍ଟର ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

    ଏଏନଆଇ ରିପୋର୍ଟ ମୁତାବକ, ଭାରତୀୟ ସେନାର ଉତ୍ତରାଞ୍ଚଳ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି କି, ସେନାର ଉଡାଣ କ୍ଷେତ୍ରରେ ନିୟୋଜିତ ଏହି ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଜମ୍ମୁ କାଶ୍ମୀରର କିଶ୍ତୱାଡରେ ମାରୁଆ ନଦୀ ତଟରେ ଗୁରୁବାର ଦିନ ଜରୁରୀ ଲ୍ୟାଣ୍ଡିଂ ଆବଶ୍ୟକ ହୋଇପଡିଥିଲା। ପାଇଲଟମା ଏହାର ସୂଚନା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଦେଇଥିଲେ ଓ ଜରୁରୀ ଅବତରଣ କରିଥିଲେ। କିନ୍ତୁ ସେଠାରେ ଥିବା ଖାଲଢିପ ଓ ପଥୁରିଆ ଜମି କାରଣରୁ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

    ତେବେ ଚଳିତ ମାର୍ଚ୍ଚରେ ଧ୍ରୁବ ହେଲିକପ୍ଟର ମୁମ୍ବାଇ ଉପକୂଳରେ ଦୁର୍ଘଟଣାର ଶିକାର ହୋଇଥିଲା। ଉଭୟ ହେଲିକପ୍ଟର ଭାରତୀୟ ଜଳସେନାରେ ନିୟୋଜିତ ଥିଲା। ଏଏଲଏଚ ହେଲିକପ୍ଟର ଦୁର୍ଘଟଣାକୁ ନେଇ ସଂସଦରେ  ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା କି, ବିଗତ ଦୁଇ ଦଶନ୍ଧି ଭିତରେ ୨୨ଟି ଏଏଲଏଚ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି।  ଦେଶର ବିଭିନ୍ନ ଅଞ୍ଚଳରେ  ଉଡାଣ ବେଳେ ସେଥିରୁ ଅଧିକାଂଶକୁ ଜରୁରୀ ଅବତରଣର ଆବଶ୍ୟକତା ପଡିଛି। ସଂସଦରେ ଦିଆଯାଇଥିବା ତଥ୍ୟରୁ ଜଣାପଡିଛି କି, ୨୦୧୭ରୁ୨୦୨୧ ଭିତରେ କେବଳ ମାତ୍ର ୬ଟି ଦୁର୍ଘଟଣାର ସୂଚନା ଦିଆଯାଇଥିଲା।

    ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହାର ବିଶ୍ୱସନୀୟତାକୁ ନେଇ ଚିନ୍ତା ରହିଛି। ଏହା ବ୍ୟତୀତ ଖାଲି ଲ୍ୟାଣ୍ଡିଂ ନୁହେଁ, ଏଥିରେ ଥିବା ଯାନ୍ତ୍ରିକ ତ୍ରୁଟିକୁ ମଧ୍ୟ ବୁଝିବାକୁ ହେବ। ଏଥିସହ ନିର୍ମାଣ କ୍ଷେତ୍ରରେ ମଧ୍ୟ କୌଣସି ତ୍ରୁଟିର ଦିଗକୁ ଏଡାଇ ଦିଆଯାଇ ନ ପାରେ। ଯେତେବେଳେ ବାରମ୍ୱାର ଧ୍ରୁବର ଦୁର୍ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ସେତେବେଳେ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ପ୍ରବକ୍ତା କହିଛନ୍ତି କି, ଆମେ ମଧ୍ୟ ଏହି ଘଟଣା ସମ୍ପର୍କରେ ଅବଗତ ଅଛୁ। କିନ୍ତୁ ଏହାର ତଦନ୍ତ ମିଲିଟାରୀ କୋର୍ଟ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ରହିଥିବାରୁ ଏନେଇ କିଛି କହିପାରିବୁ ନାହିଁ।

    ସୂଚନାକଯୋଗ୍ୟ, ଏଏଲଏଚ ଧ୍ରୁବ ହେଲିକପ୍ଟର ଭାରତର ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ପକ୍ଷରୁ ନିର୍ମିତ ହୋଇଛି।

  • ୨୦୨୨ରେ ୬୭ ସାମ୍ୱାଦିକଙ୍କ ହତ୍ୟା

    ୨୦୨୨ରେ ୬୭ ସାମ୍ୱାଦିକଙ୍କ ହତ୍ୟା

    ସତ୍ୟକୁ ଉଜାଗର କରି ଜନସଚେତନତା ସୃଷ୍ଟି କରିବା ହେଉଛି ସାମ୍ବାଦିକତା। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ବର ପ୍ରତି କୋଣରେ ଏହି ମହତ ପେସାର କଣ୍ଠରୋଧ କରାଯାଉଛି। ସତକୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କ ହତ୍ୟା କରାଯାଉଛି, ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ଜାତିସଂଘ। ମଙ୍ଗଳବାର ବିଶ୍ୱ ପ୍ରେସ ଡେ ଅବସରରେ ୟୁଏନ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଉଦବେଗ ପ୍ରକାଶ କରିଛନ୍ତି ।

    ବିଶ୍ୱ ପ୍ରେସ ଦିବସର ୩୦ ତମ ବାର୍ଷିକୀ ପାଳନ ଅବସରରେ ଗୁଟେରସ କହିଛନ୍ତି କି, ୨୦୨୨ରେ ଗଣମାଧ୍ୟମ କର୍ମଚାରୀଙ୍କ ହତ୍ୟା ଘଟଣା ୫୦ ପ୍ରତିଶତ ବୃଦ୍ଧି ପାଇବା ଏକ ଅବିଶ୍ୱସନୀୟ ଘଟଣା। ସାରା ବିଶ୍ୱରେ କେବଳ ଏହି ବର୍ଷ ୬୮ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକ ରହିଛି। ସେହିପରି ପ୍ରାୟ ତିନି ଚତୁର୍ଥାଂଶ ମହିଳା ସାମ୍ବାଦିକ ଅନଲାଇନ ହିଂସାର ଶରବ୍ୟ ହୋଇଛନ୍ତି। ସେମାନଙ୍କ ଭିତରୁ ପ୍ରତି ୪ ଜଣରେ ଜଣଙ୍କୁ ଶାରୀରିକ ଭାବେ ଆକ୍ରମଣ କରିବାକୁ ଧମକ ମିଳିଛି।

    ଗୁଟେରସ ଆହୁରି କହିଛନ୍ତି କି, ସମ୍ପ୍ରତି ସତ୍ୟର ମୁହଁ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଦେଶର ନିୟମ ଓ ସରକାର ସାମ୍ୱାଦିକଙ୍କ କାର୍ଯ୍ୟ ପଥରେ ବାଧା ସୃଷ୍ଟି କରୁଛନ୍ତି। ଏପରି କରି ପ୍ରେସର ଅଭିବ୍ୟକ୍ତି ଅଧିକାରକୁ ସଙ୍କୁଚିତ କରି ଦିଆଯାଉଛି। ସତ୍ୟ ସଂଗ୍ରହ ପଥରେ ବ୍ରତୀ ସାମ୍ୱାଦିକଙ୍କୁ ହଇରାଣ ହରକତ କରାଯାଉଛି। ଭୟଭୀତ କରାଯାଉଛି। ସତ୍ୟ ଓ କାଳ୍ପନିକ, ବିଜ୍ଞାନ ଓ ଷଡଯନ୍ତ୍ର ମଧ୍ୟରେ ଥିବା ରେଖାକୁ ଅସ୍ପଷ୍ଟ କରିବାକୁ ଚାହୁଁଥିବା ବିଚ୍ଛିନ୍ନତାବାଦ ଏବଂ ଘୃଣାର ବକ୍ତବ୍ୟ ଦ୍ୱାରା ସତ୍ୟ ପ୍ରତି ବିପଦ ରହିଛି। ଏସବୁ ସତ୍ତ୍ୱେ ମଧ୍ୟ ସେମାନେ ନିଜ କାର୍ଯ୍ୟରେ ଆଗେଇ ଚାଲିଲେ ସେମାନଙ୍କୁ ପୋଲିସ ଅଟକ ରଖୁଛି, ଜେଲ ପଠାଇ ଦିଆଯାଉଛି। ତେଣୁ ଏପରି କାର୍ଯ୍ୟ ବନ୍ଦ କରିବାକୁ ପ୍ରେସ ଦିବସରେ ଆହ୍ୱାନ ଦେଇଛନ୍ତି ଗୁଟେରସ।

    ରିପୋର୍ଟର୍ସ ୱିଦାଉଟ ବଡର ତଥ୍ୟ ଅନୁଯାୟୀ, ୨୦୨୨ରେ ବିଶ୍ୱର ବିଭିନ୍ନ ଦେଶରେ ମୋଟ ୫୫ସାମ୍ୱାଦିକଙ୍କ ସହ ୪ ମିଡିଆ କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଯାହା ବିଶ୍ୱବ୍ୟାପୀ ପ୍ରେସ ସ୍ୱାଧୀନତାକୁ ଦୁର୍ବଳ କରିବାକୁ ହେଉଥିବା ପ୍ରୟାସକୁ ସ୍ପଷ୍ଟ କରୁଛି।  ସେହିପରି ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଗଠିତ କମିଟି (ସିପିଜେ) ତଥ୍ୟ କହୁଛି କି, ୨୦୨୨ରେ ୬୮ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ୩୦ରୁ ଅଧିକ ଦେଶରେ ୩୬୩ ସାମ୍ୱାଦିକଙ୍କୁ ଜେଲରେ ବନ୍ଦୀ କରାଯାଇଛି। ଏହି କ୍ଷେତ୍ରରେ ଇରାନ, ଚୀନ, ମିଆମାର ଆଗରେ ରହିଛି। ଏହିସଂଖ୍ୟା ୨୦୧୫ ତୁଳନାରେ ଦ୍ୱିଗୁଣିତ ହୋଇଥିବା ଦେଖିବାକୁ ମିଳିଥିବା ସିପିଜେ କହିଛି।  

    ଏହି ହତ୍ୟା ପଛର କାରଣ ସମ୍ପର୍କରେ ୟୁକ୍ରେନ ଯୁଦ୍ଧ କିଛି ମାତ୍ରାରେ ଦାୟୀ କରାଯାଉଥିବା ବେଳେ କୁତ୍ସ ରାଜନୀତି ମଧ୍ୟ ଅନେକାଂଶରେ ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ସେହିପରି ଆତଙ୍କବାଦ ମଧ୍ୟ ଗଣମାଧ୍ୟମର କଣ୍ଠରୋଧ କରିବା ଦେଖିବାକୁ ମିଳୁଛି। ଇଜରାଏଲରେ ଏପରି ହିଂସାରେ ବରିଷ୍ଠ ଆମେରିକୀୟ-ପାଲିଷ୍ଟିନୀୟ ସାମ୍ୱାଦିକ ଶ୍ରୀରିନ ଅବୁ ଅକଲେହଙ୍କ ହତ୍ୟା କରାଯାଇଥିଲା। ସାମ୍ପ୍ରତିକ ସ୍ଥିତିକୁ ଦେଖି ପ୍ରେସ ଡେ’ରେ ସାମ୍ୱାଦିକଙ୍କ କାର୍ଯ୍ୟକୁ ନିର୍ବିଘ୍ନରେ କରିବାକୁ ଦେବାକୁ ହେଲେ ପ୍ରେସ ସ୍ୱାଧୀନତାକୁ ସୁନିଶ୍ଚିତ କରିବାକୁ ହେବ ବୋଲି ଗୁଟାରସ ଆହ୍ୱାନ ଦେଇଛନ୍ତି।

    ସୂଚନାଯୋଗ୍ୟ, ଡିସେମ୍ବର ୧୯୯୩ରୁ ୟୁଏନ୍ ସାଧାରଣ ସଭା ଦ୍ୱାରା ପ୍ରେସ ଡେ’ର ଘୋଷିତ ହୋଇଥିଲା ଏବଂ ପ୍ରତ୍ୟେକ ବର୍ଷ ମେ ୩ ତାରିଖ ରେ ଏହି ଦିବସର ପାଳନ ହୋଇ ଆସୁଛି।

  • ଆଜି ବ୍ରିଟେନରେ ହେବ ନୂଆ ରାଜାଙ୍କ ରାଜ୍ୟାଭିଷେକ, ରାଜା ସିଂହାସନରେ ବସିବେ ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ

    ଆଜି ବ୍ରିଟେନରେ ହେବ ନୂଆ ରାଜାଙ୍କ ରାଜ୍ୟାଭିଷେକ, ରାଜା ସିଂହାସନରେ ବସିବେ ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ

    ଆଜି ବ୍ରିଟେନବାସୀଙ୍କ ପାଇଁ ଖୁସି ଖବର । କିଙ୍ଗ୍ ଚାର୍ଲସଙ୍କର ରାଜ୍ୟାଭିଷେକ ପରେ ୟୁନାଇଟେଡ କିଙ୍ଗଡମକୁ ମିଳିବ ନୂଆ ରାଜା । ଆଜି ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କରିବେ ଚାର୍ଲସ ତୃତୀୟ । ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ ବ୍ରିଟେନ ସମେତ ଅନ୍ୟ ୧୪ଟି ଦେଶର ମଧ୍ୟ ୪୦ ତମ ରାଜା ହେବେ । ସେଥିପାଇଁ ଆଜି ବଙ୍କିଙ୍ଗହମ୍ ପ୍ୟାଲେସକୁ ଏକ ନବବଧୂ ପରି ସଜାଯାଇଛି । ଭାରତୀୟ ସମୟ ଅପରାହ୍ନ ୩ଟା ବେଳେ କିଙ୍ଗ୍ ଚାର୍ଲସ ଓ ରାଣୀ କାମିଲା ବଙ୍କିଙ୍ଗହମ୍ ପ୍ୟାଲେସରୁ ଶୋଭାଯାତ୍ରାରେ ବାହାରିବେ । ଏହାପରେ ସେମାନେ ୱେଷ୍ଟମିନଷ୍ଟର ଆବେକୁ ଯିବେ । ସେମାନେ ଯେଉଁ ବାହାନରେ ବସି ଯିବେ ତାହାର ନାମ ହେଉଛି, ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚ । ୧୮ ଫୁଟ୍ ଲମ୍ବା, ୩ ଟନ୍ ଓଜନ ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚକୁ ଟାଣିଟାଣି ନେବେ ୬ଟି ଘୋଡ଼ା ଆଉ ତାଙ୍କ ସାଥିରେ ଚାଲିବେ ଅଙ୍ଗରକ୍ଷୀ ।

    ଅପରାହ୍ନ ସାଢ଼େ ୩ଟା ବେଳକୁ ରାଜପରିବାର ସଦସ୍ୟ ଏବଂ ଅତିଥିଙ୍କ ଉପସ୍ଥିତିରେ ରାଜ୍ୟାଭିଷେକ କରିବେ ଆର୍କ ବିଶପ୍ । ପ୍ରାୟ ଏକ ଘଣ୍ଟା ଧରି ଚାଲିବ ବିଭିନ୍ନ ରୀତିନୀତି । ଏହାପରେ ସନ୍ଧ୍ୟା ୬ଟା ୪୫ରେ ରାଜପରିବାର ବକିଙ୍ଗହମ୍ ପ୍ୟାଲେସ ବାଲକୋନିକୁ ଆସି ଜନସାଧାଣଙ୍କୁ ଦେଖା କରିବେ ।

    ଦେଶ ତଥା ବିଦେଶରୁ ପ୍ରାୟ ୨ ହଜାର ଅତିଥି ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାର ସିଧା ପ୍ରସାରଣ ବିଭିନ୍ନ ଚ୍ୟାନେଲ ଜରିଆରେ କରାଯିବ । ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଓ ତାଙ୍କ ପତ୍ନୀ ଏହି ଅବସରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

    ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ହୋଇଥିଲା । ଏହାପରେ ଏହି ପଦ କିଙ୍ଗ୍ ଚାର୍ଲସ ହିଁ ସମ୍ଭାଳିଥିଲେ । ମାତ୍ର ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହୋଇନଥିଲା, ଯାହା ଆଜି ସମାପନ ହେବ ।