Category: ଜିଲ୍ଲା

  • ବାଲିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

    ବାଲିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ବାଲିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ବହୁ ଆଡମ୍ବର ସହକାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ପ୍ରଥମେ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ପାଛୋଟି ଆଣିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ବିଶ୍ଵାଳଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସମସ୍ତ ଅତିଥିମାନେ ମା’ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହାପରେ ସ୍ୱାଗତ ସଙ୍ଗୀତ ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା।

    ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କେନ୍ଦୁଝର ଜିଲ୍ଲା ସଭାପତି ଅତୁଲ ବଳ , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ପ୍ରଫୁଲ୍ଲ କୁମାର ଚକ୍ର ଓ ସମ୍ମାନିତ ଅତିଥି ଭାବେ ଗ୍ରାମର ବରିଷ୍ଠ ବ୍ୟକ୍ତି ଗୋବିନ୍ଦ ଓଝା,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରଞ୍ଜିତ ପାତ୍ର, ମଦନପୁର ସିଆରସିସି ରବିନ୍ଦ୍ର ଆଚାର୍ଯ୍ୟ, କେଶଦୁରାପାଳ ସିଆରସିସି ସୁକାନ୍ତ ଜେନା, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ ଦୀପକ ରଞ୍ଜନ ଓଝା ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷକ ଗୋବର୍ଦ୍ଧନ ଜେନା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସବିତାରାଣୀ ଦାଶ,ସସ୍ମିତା ପୃଷ୍ଟି,ସୁଷମା ପୃଷ୍ଟି , ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଛାତ୍ରୀ ଗ୍ରାମର ଅଭିଭାବକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

  • ନକଲି RTO ଅଫିସରେ ପୋଲିସ ଚଢ଼ାଉ, ୨ ଗିରଫ

    ନକଲି RTO ଅଫିସରେ ପୋଲିସ ଚଢ଼ାଉ, ୨ ଗିରଫ

    ବାଲେଶ୍ବର ଜିଲ୍ଲାରେ ଚାଲୁଥିଲା ନକଲି ଆରଟିଓ। କିଛି ଦଲାଲ ଅଫିସ ଖୋଲି ନକଲି ପରମିଟ, ଦସ୍ତାବିଜ ସହ ନମ୍ବର ଯୋଗାଉଥିବା ଅଭିଯୋଗରେ ପୋଲିସ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛ। ସୂଚନା ଅନୁଯାୟୀ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ୱର ପୋଲିସ ଏନଏଚ-୬୦ର ଲକ୍ଷ୍ମଣ ନାଥ ଟୋଲ୍ ପ୍ଲାଜା ନିକଟରେ ଏକ ନକଲି RTO କାର୍ଯ୍ୟାଳୟରେ ଚଡାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନହଞ୍ଜୋରାର ମଧୁସୂଦନ ପରିଡାଙ୍କ ୩୪ ବର୍ଷୀୟ ପୁଅ ତୁଷାର ରଞ୍ଜନ ପରିଡା ଓ ଝାରଖଣ୍ଡ ନନ୍ଦିକାଆ ଗାଁର ଦେବେନ୍ଦ୍ର ନାଥ ସାହୁଙ୍କ ୨୭ ବର୍ଷୀୟ ପୁଅ ସମ୍ଭୁ ସାହୁ।

    ସୂଚନା ପାଇ ଜଳେଶ୍ୱର ଥାନାର ସବଇନିସ୍ପେକ୍ଟର ସି ରାଉତ ଓ ପୋଲିସ କର୍ମଚାରୀଙ୍କ ସହିତ ଟୋଲ ଗେଟ ନିକଟରେ ପହଂଚି ଚିହ୍ନଟ ହୋଇଥିବା RTO ର ଏକ ଘରେ ବସିଥିଲେ। ସେମାନଙ୍କନିକଟରୁ ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଆଦି ବାହାର ରାଜ୍ୟର ୧୧ଟି ଷ୍ଟାମ୍ପ, ମୋଟର ଭେହିକିଲ ରସିଦ, ଚେକ ପୋଷ୍ଟ ଦସ୍ତାବିଜ ଓ ଅନ୍ୟାନ୍ୟ ଦଲିଲ ଜବତ କରିଛି ପୋଲିସ। ଏମାନେ ଏହି ଆରଟିଓରେ ଦଲାଲ କାମ କରିବା ସହ ବାହାର ରାଜ୍ୟକୁ ଯିବାକୁ ନକଲି ପରମିଟ କାଗଜପତ୍ର ଓ ନମ୍ବର ପ୍ରଦାନ କରୁଥିବା ସନ୍ଦେହ କରାଯାଉଛି। ଏହି ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି।

  • ଦୁଇ ଭାଇ ଗଣ୍ଡଗୋଳରେ ବଳି ପଡ଼ିଲା ଖୁଡୀ

    ଦୁଇ ଭାଇ ଗଣ୍ଡଗୋଳରେ ବଳି ପଡ଼ିଲା ଖୁଡୀ

    ବାଲେଶ୍ଵର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଲାହାପାଳ ଗ୍ରାମରେ ଗତକାଲି ଦ୍ଵିପ୍ରହରରେ ଦୁଇ ଭାଇ କୌଣସି କାରଣରୁ ମାରପିଟ୍ ହୋଇଥିଲେ । ଘଟଣା ପରିବାର କାନକୁ ଆସିଥିଲା । ସନ୍ଧ୍ୟାବେଳେ ସମାଧାନ କରିବା ପାଇଁ ସଂଯୁଲତା ପଣ୍ଡା ଦେଢଶୂର ସନ୍ତୋଷ ପଣ୍ଡା ଘରକୁ ଯାଇଥିଲେ । ସଞ୍ଜୁଲତା କଥାବାର୍ତ୍ତା କରି ଫେରିବା ବାଟରେ ସନ୍ତୋଷ ପଣ୍ଡାଙ୍କ ପୁଅ ଅମିତ ପଣ୍ଡା ସଂଯୁଲତା ପଣ୍ଡାଙ୍କୁ ଏକ ପଥରରେ ମୁଣ୍ଡକୁ ବାଡ଼େଇ ଦେବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।

    ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ଚେତା ଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ ତୁରନ୍ତ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଛନ୍ତି । ଅପରପକ୍ଷେ ସନ୍ତୋଷ ପଣ୍ଡା ଓ ତାର ପୁଅ ଅମିତ୍ ପଣ୍ଡା ଆହତ ହୋଇ ନୀଳଗିରି ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।

  • ଅଫିସରୁ ଫେରୁଥିବା ବେଳେ ପଛରୁ ପିଟିଲା ଟ୍ରକ, ଚାଲିଗଲା ମହିଳାଙ୍କ ଜୀବନ

    ଅଫିସରୁ ଫେରୁଥିବା ବେଳେ ପଛରୁ ପିଟିଲା ଟ୍ରକ, ଚାଲିଗଲା ମହିଳାଙ୍କ ଜୀବନ

    ଗୁରୁବାର ରାତି ପ୍ରାୟ ସାଢେ଼ ଆଠଟା ସମୟରେ ଯାଜପୁର କୋରେଇ ଥାନା ଅଧୀନ ନୂଆଗଡ ଗୋଲେଇ ଛକ ନିକଟରେ ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ। ମହିଳା ଜଣକ ସ୍କୁଟିରେ ଯାଜପୁର ରୋଡ ବଜାରରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ରାତିରେ ମହିଳା ଜଣକ ନିଜ ସ୍କୁଟି ଗାଡିକୁ ଧରି ନୂଆଗଡ ଗୋଳେଇ ଛକ ଦେଇ ଘରକୁ ଫେରୁଥିଲେ । ପଛରେ ତାଙ୍କ ଭାଇ ଅନ୍ୟ ଏକ ବାଇକରେ ଆସୁଥିଲେ। ଏହି ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ମହିଳାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ଥିବା ମହିଳା ଛିଟିକି ରାସ୍ତା କଡ଼ରେ ପଡ଼ିଥିଲେ।

    ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଆମ୍ବୁଲାନ୍ସକୁ ଡାକି ମହିଳାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଂଗୀନ ଥିବାରୁ ଅଳ୍ପ ସମୟ ମଧ୍ୟ ମୃତ୍ୟୁ ହୋଇଥିଲା। ମୃତା ମହିଳା ଜଣକ ନିକଟସ୍ଥ ସୁଜଳନଗର ଅଞ୍ଚଳର ବର୍ଷାରାଣୀ ବେହେରା ବୋଲି ସୂଚନା ମିଳିଛି। ବର୍ଷାରାଣୀ ନିକଟରେ ବ୍ୟାସନଗର ତହସିଲ ଅଫିସରେ କନିଷ୍ଠ କିରାଣି ଭାବେ କାର୍ଯ୍ୟରତ ଥିଲେ। ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୋଲିସ ଅଧିକାରୀ ମେଡିକାଲରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଥିଲେ।

  • ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ, ଟାଙ୍ଗିଆ ଆକ୍ରମଣରେ ଦୁଇ ଯୁବକ ଆହାତ

    ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ, ଟାଙ୍ଗିଆ ଆକ୍ରମଣରେ ଦୁଇ ଯୁବକ ଆହାତ

    ନିଜ ମାମୁଁ ଘରକୁ ବୁଲିବାକୁ ଆସିଥିବା ଭଣଜା , ମାମୁଁ ଘର ଗାଁରେ ଘଟାଇଲା ଉନ୍ମତ କାଣ୍ଡ । ଗାଁ ଦାଣ୍ଡରେ ହାତରେ ଟାଙ୍ଗିଆ ଧରି ଯାହାକୁ ପାଇଲା ତାକୁ ମାରିବାକୁ ତାହା କୁ ହାଣିଲା । ଯୁବକର ଟାଙ୍ଗିଆ ଚୋଟରେ ଖେରଙ୍ଗ ପଞ୍ଚାୟତର ପଳାଶପୁର ଗ୍ରାମର ଦୁଇ ଜଣ ଆହତ ହୋଇଥିବା ବେଳେ ଯୁବକକୁ କାବୁ କରିବକୁ ଯାଇଥିବା ପୋଲିସକୁ ଘଟଣା ସ୍ଥଳରେ ମଧ୍ୟ ନାକେଦମ ହେବାକୁ ପଡ଼ିଥିଲା । ଚାନ୍ଦବାଲି ପୋଲିସର ୧୧୨ ଗାଡିକୁ ମଧ୍ୟ ଟାଙ୍ଗିଆରେ ବାରମ୍ବାର ଚଟୋ ପକାଇବା ସହ ୧୦୮ ଆମ୍ବୁଲାନ୍ସ ଗାଡିର ଆଗ କାଚକୁ ଭାଙ୍ଗି ଚୁନା କରିଦେଇଥିବା ଦେଖିବାକୁ ମିଳିଛି ।

    ଶେଷରେ ବହୁ କଷ୍ଟରେ ମତୋ ଫାଣ୍ଡି ପୋଲିସ ଓ ୧୧୨ ପୋଲିସ ଉକ୍ତ ଯୁବକକୁ କାବୁ କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ଥାନାକୁ ଆଣିଛି । ଉକ୍ତ ଯୁବକ ଜଣେ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଛି ।ଯୁବକଙ୍କ ଘର ବାସୁଦେବପୁର ଅଞ୍ଚଳର । ତାଙ୍କ ନାମ ଭିମସେନ ନାୟକ, ସେ ମାମୁଁ ଘରକୁ ବୁଲିବାକୁ ଆସି ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି ।

  • କୋରେଇ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଇଞ୍ଜିନରୁ ଅଲଗା

    କୋରେଇ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଇଞ୍ଜିନରୁ ଅଲଗା

    କୋରେଇ ରେଳ ଷ୍ଟେସନ ନିକଟରେ ଅଘଟଣ। ସୋମବାର ଅପରାହ୍ନ ସମୟରେ ଏକ ମାଲବାହୀ ଟ୍ରେନ ଏହି ରୁଟ ଦେଇ ଦେଇ ଯାଉଥିବା ବେଳେ କୋରେଇ ଷ୍ଟେସନ ନିକଟରେ ଇଞ୍ଜିନ୍ ରୁ ଡବା ଅଲଗା ହେଇଯାଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହେଇନଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ସୋମବାର ଦିନ ଯାଜପୁର ରୋଡ ରେଳ ଷ୍ଟେସନରୁ ଭଦ୍ରକ ଅଭିମୁଖେ ଏକ ମାଳବାହୀ ଟ୍ରେନ ଯାଉଥିଲା । ହଠାତ କୋରେଇ ରେଳ ଷ୍ଟେସନର କିଛି ଦୂରରେ ଏହି ଟ୍ରେନର ଇଞ୍ଜିନରୁ ଡବା ଅଲଗା ହେଇଯାଇଥିଲା। ସୌଭାଗ୍ୟ ବଶତଃ ଏଥିରେ ସେମିତି କିଛି କ୍ଷତି ହେଇନଥିଲା। ସେପଟେ ରେଳ ବିଭାଗ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। କିଛି ସମୟରେ ଇଞ୍ଜିନ ସହ ଡବା ଯୋଡାଯିବା ପରେ ଟ୍ରେନ ଭଦ୍ରକ ଅଭିମୁଖେ ଆଗେଇ ଯାଇଥିଲା

  • ବଲାଙ୍ଗିର: ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ନିଯୁକ୍ତ ପୋଲିଙ୍ଗ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ

    ବଲାଙ୍ଗିର: ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ନିଯୁକ୍ତ ପୋଲିଙ୍ଗ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ

    ବଲାଙ୍ଗିର: ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟି ଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାରେ ନିଯୁକ୍ତ ପୋଲିଙ୍ଗ ଅଧିକାରୀ ସାମିଲ ଥିଲେ । ସୂଚନା ଯୋଗ୍ୟଯେ ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

    ଏହି ତାଲିମ୍ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ମହିଳା ସରକାରୀ ମହାବିଦ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ ମହାବିଦ୍ୟାଳୟ ଠାରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରୱ ଶିୱାଜୀ ଇସଲୱାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବିଜୟାନନ୍ଦ ସେଠୀ , ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଡେପୁଟି କଲେକ୍ଟର ଇଲେକ୍ସନ ରାଜେନ୍ଦ୍ର ନାୟକ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖଙ୍କୁ ପର୍ଯ୍ୟାୟକ୍ରମେ ତାଲିମ୍ ପ୍ରଦାନ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ଶିବିରରେ ପୋଲିଙ୍ଗ ଅଧିକାରୀ ଓ ପ୍ରିଜାଡିଙ୍ଗ ଅଧିକାରୀଙ୍କୁ ସାଧାରଣ ନିର୍ବାଚନ ପରିଚାଳନା ନିଜ ନିଜ ଦାୟିତ୍ୱ କିପରି ନିର୍ଭୁଲ ଭାବରେ ତୁଲାଇବେ ସେ ସମ୍ପର୍କରେ ତାଲିମ୍ ପ୍ରଦାନ କରାଯିବ ‌।

    ପୋଲିଙ୍ଗ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ପ୍ରଦର୍ଶନ କେନ୍ଦ୍ରରୁ ବୁଥ୍ ପର୍ଯ୍ୟନ୍ତ ଯିବେ ଓ ବୁଥ୍ ରେ କେଉଁ ଅଧିକାରୀଙ୍କ କଣ କଣ କାର୍ଯ୍ୟ ତାହା ବୁଝାଇଥିଲେ । ଭୋଟ ଗ୍ରହଣ ଦିନ ଶାନ୍ତି ଶୃଙ୍ଖଳା ସହ ଭୋଟ ଦାନ ପ୍ରକିୟା କିପରି କରିପାରିବେ, ସେକ୍ଟର ଅଧିକାରୀଙ୍କ ସହ କିପରି ଯୋଗାଯୋଗ ରଖି ସୂଚନା ଦେବାକୁ ତାଲିମ୍ ପ୍ରଦାନ କରିଥିଲେ ‌। ଇଭିଏମ୍, ଭିଭିପାଟ କିପରି ସଂଯୋଗ କରିବେ କଣ୍ଟ୍ରୋଲ ୟୁନିଟ କାର୍ଯ୍ୟ ଆଦି ସୂଚନା ଦେଇଥିଲେ । ପ୍ରତ୍ୟେକ ପୋଲିଙ୍ଗ ଅଧିକାରୀ ନିଜ ନିଜର ଦାୟିତ୍ୱ ସୂଚାରୁରୂପେ ତୁଲାଇବା ସହିତ ଗଣତନ୍ତ୍ରର ପବିତ୍ର କାର୍ଯ୍ୟକୁ ସଫଳତା‌ ର‌ ସହିତ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଇସଲୱାର ପରାମର୍ଶ ଦେଇଥିଲେ ।

    ଏଥି ସହିତ, ଜିଲ୍ଲାପାଳ ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସମସ୍ତ ଙ୍କୁ ନିଜ ଶରୀର ର ଯତ୍ନ ନେବା, ଖାଦ୍ୟ ପାନୀୟ ଠିକ୍ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଶାରୀରିକ ସମସ୍ୟା ଦେଖାଦେଲେ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯାଇ ଡାକ୍ତର ଙ୍କ ପରାମର୍ଶ ନେବା ପାଇଁ କହିଥିଲେ। ନିର୍ବାଚନ ପାଇଁ ପ୍ରତ୍ୟେକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ବ୍ୟାପକ ଔଷଧ, ଆମ୍ବୁଲାନ୍ସ ଓ ଜରୁରୀ ସେବା ସହ ଡାକ୍ତର ମାନେ ଉପସ୍ଥିତ ରହିବେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

    balangir polling officers training
  • ଦୁଇ ଠକ ସଂସ୍ଥା ବିରୋଧରେ ଥାନାରେ ପୁଣି ଅଭିଯୋଗ

    ଦୁଇ ଠକ ସଂସ୍ଥା ବିରୋଧରେ ଥାନାରେ ପୁଣି ଅଭିଯୋଗ

    କେନ୍ଦ୍ରାପଡ଼ା ଜିଲ୍ଲାର ଭଗବାନପୁର ମାର୍ଶାଘାଇ, ଗରଦପୁର, ଡେରାବିଶ ଅଞ୍ଚଳରୁ ବହୁ ବେକାର ଯୁବକ ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ଠକାମି ଘଟଣାରେ ମିଳୁନି କୌଣସି ସୁଫଳ। ଜିଲ୍ଲାର ବିଭିନ୍ନ ଥାନାରେ ଅଭିଯୋଗ ପରେ ମଧ୍ୟ ନିଆଯାଉନି ପଦକ୍ଷେପ। ଠକାମିକୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଠକାମିର ଶିକାର ଯୁବକ, ଯୁବତୀ ନା ଫେରିପାଇଛନ୍ତି ସେମାନଙ୍କ ସିକ୍ୟୁରିଟି ମନି, ନାହିଁ ପାଇଛନ୍ତି ୩ ମାସ ଧରି କାମ କରିଥିବା ପ୍ରାପ୍ଯ। ସେପଟେ ଦୁଇ ଠକ ସଂସ୍ଥାର ମାଲିକ ସୋସିଆସ ମିଡିଆରେ ମୌଜମସ୍ତି କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଠକେଇର ଶିକାରଙ୍କ ସହ ମିଶିଛନ୍ତି ସ୍ଥାନୀୟ ସମାଜ ସେବୀ ସ୍ବରୂପ ରାଉତ। ସେ ମଧ୍ୟ ଏହି ସଂସ୍ଥା ଦ୍ବାରା ଠକାମିର ଶିକାର ହୋଇଥିବା ମୁହଁ ଖୋଲିଛନ୍ତି। କୁଦାନଗର ଥାନାରେ ରାଘବ ସାରଟେକ ସଲୁସନ ପ୍ରାଇଭେଟ ଲିମିଡେଡ୍ ଓ ୱାନ ଟୁ ୱାନ କମ୍ପାନୀ ବିରୋଧରେ ସ୍ବରୂପଙ୍କ ନେତୃତ୍ବରେ ଦୁଇଟି ଅଭିଯୋଗ ହୋଇଛି।

    ଏଠାରେ କହି ରଖୁଛୁ କି,ରାଘବ ସାରଟେକ ସଲୁସନ ପ୍ରାଇଭେଟ ଲିମିଡେଡ୍ ଓ ୱାନ ଟୁ ୱାନ କମ୍ପାନୀର ମାଲିକ ପ୍ରତାପ ମହାନ୍ତି ଓ ତାପସ ପାଢୀ କେନ୍ଦ୍ରାପଡାର ପ୍ରାୟ ୧୦୦ରୁ ଅଧିକ ବେକାର ଯୁବକ ଯୁବତୀଙ୍କୁ ଟାଟା ପାୱାରରେ କାମ ଦେବାକୁ କହି ସେମାନଙ୍କଠାରୁ ୩୦ହଜାର ଲେଖା ସିକ୍ୟୁରିଟି ନେଇଥିଲେ। ଏମିତି କି ମିଛ ଆଡି କାର୍ଡ ଓ ପୋଷ୍ଟିଂ ଲେଟର ଦେଇ କାମ କରାଇଥିଲେ। ୩ ମାସ କାମ କରିବା ପରେ କିନ୍ତୁ ଦରମା ମିଳିନ ଥିଲା। ଦରମା ପାଇଁ କମ୍ପାନୀ ମାଲିକଙ୍କୁ ଫୋନ କଲାରୁ ଉଭୟ ଫେରାର ହୋଇଯାଇଥିଲେ.

  • ଭାଇର ମୃତ୍ୟୁକୁ ସହି ନ ପାରି ମରଣକୁ ଆପଣେଇ ନେଲା ଭଉଣୀ

    ଭାଇର ମୃତ୍ୟୁକୁ ସହି ନ ପାରି ମରଣକୁ ଆପଣେଇ ନେଲା ଭଉଣୀ

    ସାରା ଗାଁ ସ୍ତବ୍ଧ। କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। କେଡେ ନିଷ୍ଟୁର ଏ ବିଧାତା। ଗୋଟିଏ ଦିନରେ, ଗୋଟିଏ ସମୟରେ ଭାଇ ଭଉଣୀଙ୍କର ଜୁଇ ଜଳିବ। ସକାଳେ ବଡ଼ ଭାଇର ହୋଇଥିବା ମୃତ୍ୟୁକୁ ସହି ନ ପରି ମୃତ୍ୟୁବରଣ କରିଛି ଭଉଣୀ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ କୋଠାର ପାଟଣା ସାହିରେ । ଅନେକ ଦିନ ଧରି ପାଟଣା ସାହିରେ ରହୁଥିବା ଦୁଇ ଭାଇ କାଳନ୍ଦୀ ବେହେରା ଓ ବିଦ୍ୟାଧର ବେହେରାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ସବୁବେଳେ ଜମିବାଡ଼ିକୁ କେନ୍ଦ୍ର କରି ଭାଇ ଭାଇଙ୍କ ମଧ୍ୟରେ ହେଉଥିଲା ଝଗଡ଼ା । ଶନିବାର ଦିନ ଘର ଛପରକୁ କେନ୍ଦ୍ର କରି ଉଗ୍ର ରୂପ ନେଇଥିଲା ସେମାନଙ୍କ ଗଣ୍ଡୋଗଳ । ଏହି ଝଗଡାରେ ମ୍ରିୟମାଣ ହୋଇପଡିଥିଲେ ବିଦ୍ୟାଧରଙ୍କ ୨୨ ବର୍ଷର ପୁଅ ସନାତନ ବେହେରା । ଏହାପରେ ସେ ମୃତ୍ୟୁବରଣ କରିବାକୁ ନିଷ୍ପତ୍ତି ନେଲେ ।

    ତାଙ୍କ ମୃତ୍ୟୁରେ ସାରା ପରିବାର ହତବାକ ହୋଇଯାଇଥିଲା । ପୁଅର ଅପ୍ରାକୃତିକ ମୃତ୍ୟୁକୁ ନେଇ ପୋଲିସ ତନାଘନା ଚାଲିଥିବା ବେଳେ ମଧ୍ୟାହ୍ନରେ କାଳନ୍ଦୀ ବେହେରାଙ୍କ ୨୯ ବର୍ଷର ଝିଅ ନିରୁପମା ବେହେରା ମଧ୍ୟ ଦାଦା ପୁଅ ଭାଇର ପଥର ପଥିକ ସାଜିଥିଲା । ସମ୍ପତି ପାଇଁ ଦୁଇ ଭାଇ ଝଗଡା କରୁଥିବା ବେଳେ ବେଳେ ସେମାନଙ୍କ ପିଲାଙ୍କ ଭିତରେ ଥିବା ଅନାବିଳ ସମ୍ପର୍କରେ ସ୍ତମ୍ବିଭୁତ ହୋଇଯାଇଥିଲା ସାରା ଗାଁ । ଅନ୍ତରର ବେଦନା ଆଖିର ଲୁହ ହୋଇ ଝରି ଯାଉଥିଲା । ଯେଉଁ ପିଲାଙ୍କ ଭବିଷ୍ୟତ ପାଇଁ ଜମିବାଡି ହାତେଇବାକୁ ଦୁଇ ଭାଇ ମଧ୍ୟରେ ଲାଗିରହିଥିଲା ବିବାଦ, ସେହି ଜମିତ ଅଛି ହେଲେ ନାହାନ୍ତି ପିଲାମାନେ । ଏହି ଘଟଣାରେ ପୋଲିସ ଦୁଇଟି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଏଠାରେ କହିରଖୁଛୁ କି, ସନାତନ ବାହାରେ ରହି କାମ କରୁଥିବା ବେଳେ କିଛି ଦିନ ତଳେ ଗାଁକୁ ଆସିଥିଲେ ।

    ଭଦ୍ରକରୁ ଶୁଭ୍ରକାନ୍ତ ରାଉତରାୟଙ୍କ ରିପୋର୍ଟ

  • ପଲଙ୍କ ଉପରେ ମହିଳା ଶୋଇଥିବା ବେଳେ ମୁଣ୍ଡ ଉପରେ ଗର୍ଜିଲା ଚମ୍ପା ନାଗ, ତାପରେ…

    ପଲଙ୍କ ଉପରେ ମହିଳା ଶୋଇଥିବା ବେଳେ ମୁଣ୍ଡ ଉପରେ ଗର୍ଜିଲା ଚମ୍ପା ନାଗ, ତାପରେ…

    ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା। କୌଣସି ଆଘାତ ନକରି କାହିକିଁ ଗର୍ଜନ ଦେଲା ଏହି ନାଗ । ଏହି ଧଳା ରଙ୍ଗର ନାଗ ଫେଣା ଦେଖି ଯିଏ ନାହିଁ ସେ ଭୟଭୀତ ହେବା ସୁନିଶ୍ଚିତ। ଏହି ଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ ଅଲ୍ଲୀନଗର ଗ୍ରାମର ଅନନ୍ତ ପ୍ରସାଦ ଭଞ୍ଜଙ୍କ ଘରେ ।

    ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଅନନ୍ତଙ୍କ ପତ୍ନୀଙ୍କ ଅନୁଯାୟୀ, ଶୁକ୍ରବାର ରାତିରେ ଖାଇବା ପିଇବା ସରିବା ପରେ ଶୋଇବାକୁ ଯାଇଥିଲେ। ପଲଙ୍କରେ ପଡୁ ପଡୁ ଆଖିକୁ ନିଦ ମାଡିଆସିଛି, ହଠାତ ଫଁ ଫଁ ଶବ୍ଦ ଶୁଣି ଉଠି ଦେଖନ୍ତି ତ, ମୁଣ୍ଡପଟ କାନ୍ଥ ପାଖ ପଲଙ୍କ ଉପରେ ଏକ ଧଳା ନାଗ ହାତେ ଉଚ୍ଚକୁ ଫଣା ଟେକି ଛିଡା ହୋଇଛି। ମହିଳା ଭୟରେ କୋଠରୀରୁ ବାହାରି ଯାଇ ଅନ୍ୟମାନଙ୍କୁ ଡାକଦେଇଥିଲେ। ଏହି ଘଟଣା ସଙ୍ଗେ ସଙ୍ଗେ ପବନ ବେଗରେ ବ୍ୟାପିଗଲା ଗାଁରେ। ସାହି ପଡିଶା ସବୁ ଧାଇଁଲେ ଅନନ୍ତଙ୍କ ଘରକୁ। ସାପ ସେମିତି ଦୀର୍ଘ ସମୟ ଧରି ଫଣା ଟେକି ପଲଙ୍କ ଉପରେ ରହିଥିଲା। ଯିଏ ଆସିଲେ ସାପକୁ ଦେଖି ମୁଣ୍ଡିଆ ମାରିଥିଲେ। ଖବର ପାଇ ସ୍ଥାନୀୟ ସାପ ଉଦ୍ଧାରକାରୀ ମିର୍ଜା ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ସାପଟି ଚମ୍ପା ନାଗ ବୋଲି ସାହି ପଡିଶା କହିଥିଲେ।