ଭାଇର ମୃତ୍ୟୁକୁ ସହି ନ ପାରି ମରଣକୁ ଆପଣେଇ ନେଲା ଭଉଣୀ

ସାରା ଗାଁ ସ୍ତବ୍ଧ। କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। କେଡେ ନିଷ୍ଟୁର ଏ ବିଧାତା। ଗୋଟିଏ ଦିନରେ, ଗୋଟିଏ ସମୟରେ ଭାଇ ଭଉଣୀଙ୍କର ଜୁଇ ଜଳିବ। ସକାଳେ ବଡ଼ ଭାଇର ହୋଇଥିବା ମୃତ୍ୟୁକୁ ସହି ନ ପରି ମୃତ୍ୟୁବରଣ କରିଛି ଭଉଣୀ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ କୋଠାର ପାଟଣା ସାହିରେ । ଅନେକ ଦିନ ଧରି ପାଟଣା ସାହିରେ ରହୁଥିବା ଦୁଇ ଭାଇ କାଳନ୍ଦୀ ବେହେରା ଓ ବିଦ୍ୟାଧର ବେହେରାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ସବୁବେଳେ ଜମିବାଡ଼ିକୁ କେନ୍ଦ୍ର କରି ଭାଇ ଭାଇଙ୍କ ମଧ୍ୟରେ ହେଉଥିଲା ଝଗଡ଼ା । ଶନିବାର ଦିନ ଘର ଛପରକୁ କେନ୍ଦ୍ର କରି ଉଗ୍ର ରୂପ ନେଇଥିଲା ସେମାନଙ୍କ ଗଣ୍ଡୋଗଳ । ଏହି ଝଗଡାରେ ମ୍ରିୟମାଣ ହୋଇପଡିଥିଲେ ବିଦ୍ୟାଧରଙ୍କ ୨୨ ବର୍ଷର ପୁଅ ସନାତନ ବେହେରା । ଏହାପରେ ସେ ମୃତ୍ୟୁବରଣ କରିବାକୁ ନିଷ୍ପତ୍ତି ନେଲେ ।

ତାଙ୍କ ମୃତ୍ୟୁରେ ସାରା ପରିବାର ହତବାକ ହୋଇଯାଇଥିଲା । ପୁଅର ଅପ୍ରାକୃତିକ ମୃତ୍ୟୁକୁ ନେଇ ପୋଲିସ ତନାଘନା ଚାଲିଥିବା ବେଳେ ମଧ୍ୟାହ୍ନରେ କାଳନ୍ଦୀ ବେହେରାଙ୍କ ୨୯ ବର୍ଷର ଝିଅ ନିରୁପମା ବେହେରା ମଧ୍ୟ ଦାଦା ପୁଅ ଭାଇର ପଥର ପଥିକ ସାଜିଥିଲା । ସମ୍ପତି ପାଇଁ ଦୁଇ ଭାଇ ଝଗଡା କରୁଥିବା ବେଳେ ବେଳେ ସେମାନଙ୍କ ପିଲାଙ୍କ ଭିତରେ ଥିବା ଅନାବିଳ ସମ୍ପର୍କରେ ସ୍ତମ୍ବିଭୁତ ହୋଇଯାଇଥିଲା ସାରା ଗାଁ । ଅନ୍ତରର ବେଦନା ଆଖିର ଲୁହ ହୋଇ ଝରି ଯାଉଥିଲା । ଯେଉଁ ପିଲାଙ୍କ ଭବିଷ୍ୟତ ପାଇଁ ଜମିବାଡି ହାତେଇବାକୁ ଦୁଇ ଭାଇ ମଧ୍ୟରେ ଲାଗିରହିଥିଲା ବିବାଦ, ସେହି ଜମିତ ଅଛି ହେଲେ ନାହାନ୍ତି ପିଲାମାନେ । ଏହି ଘଟଣାରେ ପୋଲିସ ଦୁଇଟି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଏଠାରେ କହିରଖୁଛୁ କି, ସନାତନ ବାହାରେ ରହି କାମ କରୁଥିବା ବେଳେ କିଛି ଦିନ ତଳେ ଗାଁକୁ ଆସିଥିଲେ ।

ଭଦ୍ରକରୁ ଶୁଭ୍ରକାନ୍ତ ରାଉତରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *