Category: କେନ୍ଦ୍ରାପଡ଼ା

  • ବିଦେଶରେ ଜଲୱା ଦେଖାଇବେ ମହାକାଳପଡ଼ା ଝିଅ

    ବିଦେଶରେ ଜଲୱା ଦେଖାଇବେ ମହାକାଳପଡ଼ା ଝିଅ

    ଦିନେ ଯିଏ ଗାଁ ଦାଣ୍ଡରେ ଧୂଳିବାଲିରେ ଖେଳୁଥିଲା, ଆଜି ସେ ବିଦେଶ ମାଟିରେ ଖେଳିବେ । ନିଜର ନିଷ୍ଠା ଓ କଠିନ ପରିଶ୍ରମ ବଳରେ ବିଦେଶ ଗସ୍ତ କରିବେ ଶିବାନୀ । ବର୍ଲିନରେ ଆୟୋଜିତ ସ୍ଵତନ୍ତ୍ର ଅଲିମ୍ପିକ୍ସ, ବିଶ୍ୱ ଗ୍ରୀଷ୍ମକ୍ରୀଡ଼ାରେ ଅଂଶଗ୍ରହଣ କରିବେ ।

    ଭାରତୀୟ ବିଚ୍ ଭଲିବଲ ଦଳରେ ସାମିଲ ହେଲେ ଗାଁ ଝିଅ ଶିବାନୀ । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ବଡ଼ତୋଟା ଛପାଲି ଗାଁର ପବିତ୍ର ପରିଡ଼ା ଓ ରୀନାରାଣୀଙ୍କ ଝିଅ ଶିବାନୀ ପ୍ରିୟଦର୍ଶିନୀ । ସେ ବିଦେଶରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେବେ । ଜୁନ୍ ୧୨ରୁ ୨୬ ମଧ୍ୟରେ ଜର୍ମାନୀର ବର୍ଲିନରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ଅଲମ୍ପିକ୍ସ ବିଶ୍ୱ ଗ୍ରୀଷ୍ମକ୍ରୀଡ଼ା । ବିଚ୍ ଭଲିବଲ ଭାରତୀୟ ଦଳରେ ସ୍ଥାନ ପକ୍କା କରିଛନ୍ତି ଶିବାନୀ । ଏବେ ତାଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି ।

    ବହୁଦିନ ପରେ ଶିବାନୀଙ୍କ ସ୍ୱପ୍ନ ସାକାର ହୋଇଛି । ବିଦେଶରେ ଭଲ ପ୍ରଦର୍ଶନ କରି ଭାରତ ପାଇଁ ଗୌରବ ଆଣିବେ ବୋଲି ସେ ଆଶା ରଖିଛନ୍ତି ।

    ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର +୩ ପ୍ରଥମ ବର୍ଷ ଛାତ୍ରୀ ଶିବାନୀ । ପାଠ ପଢ଼ିବା ସହ ଗାଁର ଝିଅ ଏବେ ବିଦେଶରେ ନିଜ ଜଲୱା ଦେଖାଇବେ । ଏ ଖବର ପ୍ରଚାର ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ମହାକାଳପଡ଼ା ବ୍ଲକ୍ କ୍ରୀଡ଼ା ଶିକ୍ଷକ ଆସୋସିଏସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

  • ଭିତରକନିକାରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା ଶେଷ

    ଭିତରକନିକାରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା ଶେଷ

    ଭିତରକନିକା ଜାତୀୟ ଉଦ୍ୟାନରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ବା ନବରଙ୍ଗୀ ଚଢ଼େଇଙ୍କ ଗଣନା ଶେଷ ହୋଇଛି । ଏହା ଭିତରକନିକାରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବାବେଳେ ୫ଟି ରେଞ୍ଜରେ ଏହି ମ୍ୟାନଗ୍ରୁଭ ପିଟା ପକ୍ଷୀଙ୍କ ଗଣନା କରାଯାଇଛି ।

    ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ପ୍ରଥମ ଥର ପାଇଁ ବିରଳ ପ୍ରଜାତିର ପକ୍ଷୀ ମ୍ୟାନଗ୍ରୁଭ ପିଟାଙ୍କ ଗଣନା ହୋଇଛି । ରାଜନଗର ରେଞ୍ଜରେ ୧୧ଟି ଟିମ୍, କନିକାରେ ୧୦ଟି,ମହାକାଳପଡ଼ାରେ ୬ଟି, କୁଜଙ୍ଗରେ ୪ଟି ଏବଂ ଗହୀରମଥା ରେଞ୍ଜରେ ଗୋଟିଏ ଟିମ୍ ଗଣନା କରିଥିଲେ । ୩୨ଟି ଟିମରେ ଥିଲେ ୧୦୦ ବନ କର୍ମଚାରୀ । ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କ ନେତୃତ୍ୱରେ ଗଣନା ସରିଛି । ମ୍ୟାନଗ୍ରୁଭ ପିଟା ପକ୍ଷୀ ଘଞ୍ଚ ହେନ୍ତାଳ ଜଙ୍ଗଲରେ ସାଧାରଣତଃ ଦେଖାଯାଇଥାଏ । ଏସବୁ ପକ୍ଷୀ ଦେହରେ ଇନ୍ଦ୍ରଧନୁ ଭଳି ବିଭିନ୍ନ ରଙ୍ଗ ଦେଖାଯାଇଥାଏ । ଜଙ୍ଗଲରେ ବାସ କରୁଥିବାରୁ ଏହାର ନାଁ ମ୍ୟାନଗ୍ରୁଭ ପିଟା । ଏଥର ଭିତରକନିକାରେ ୧୭୯ଟି ମ୍ୟାନଗ୍ରୁଭ୍ ପିଟାଙ୍କୁ ଚିହ୍ନଟ କରାଯାଇଛି ।

    ଦେଶର ମାତ୍ର ୨ଟି ସ୍ଥାନରେ ଦେଖାଯାଉଥିବା ବେଳେ ମ୍ୟାନଗ୍ରୁଭ ପିଟା ଭିତରକନିକାର ସବୁଠୁ ସୁନ୍ଦରତମ ପକ୍ଷୀ । ୨ ପ୍ରକାର ପିଟାଙ୍କ ମଧ୍ୟରୁ ପ୍ରଥମଟି ଇଣ୍ଡିଆନ ପିଟା ଯାହା ଓଡ଼ିଶାର ପ୍ରାୟ ସବୁ ଜଙ୍ଗଲରେ ଦେଖାଯାଏ । ଦ୍ୱିତୀୟଟି କେବଳ ଭିତରକନିକା ଓ ସୁନ୍ଦରବନରେ ଦେଖାଦିଏ । ଏହି ପକ୍ଷୀ ଛୋଟ କଙ୍କଡ଼ା ଓ ଶିଉଳି ଖାଇଥାନ୍ତି । ଏହି ପକ୍ଷୀଠାରେ ୯ଟି ରଙ୍ଗ ଥିବାରୁ ଏହାକୁ କୁହାଯାଏ ନବରଙ୍ଗୀ । ଭିତରକନିକାର ରାଣୀ ଓ ଗର୍ବ ବୋଲି ମଧ୍ୟ ବେଶ୍ ଜଣାଶୁଣା । ମ୍ୟାନଗ୍ରୁଭ ପିଟା ପକ୍ଷୀଙ୍କ ଗଣନା ପ୍ରତିବର୍ଷ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ….

  • ଗହିରମଥାରେ ଅଣ୍ଡାଦାନ ପ୍ରକ୍ରିୟା ଶେଷ, ଏଥର ୧୧ ହଜାର ଅଧିକ

    ଗହିରମଥାରେ ଅଣ୍ଡାଦାନ ପ୍ରକ୍ରିୟା ଶେଷ, ଏଥର ୧୧ ହଜାର ଅଧିକ

    ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଶେଷ ହୋଇଛି ବିରଳ ଅଲିଭ ରିଡେଲ କଇଁଛଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା । ଏକ ସପ୍ତାହ ଧରି ଅଲିଭ ରିଡେଲ କଇଁଛ ବାବୁବାଲି ଓ ନାଶି–୨ରେ ସମୁହ ଅଣ୍ଡାଦାନ କରିଛନ୍ତି । ଏଥର ପାଗ ଅନୁକୂଳ ଥିବାରୁ କଇଁଛଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି ।

    ଗହିରମଥା ଯାହା ବିରଳ ଅଲିଭ ରିଡେଲ କଇଁଛଙ୍କ ଏନ୍ତୁଡ଼ିଶାଳ । ଚଳିତବର୍ଷ ୫ ଲକ୍ଷ ୧୨ ହଜାର କଇଁଛ ସମୁହ ଅଣ୍ଡାଦାନ କରିଛନ୍ତି । ଗତବର୍ଷ ତୁଳନାରେ ଏଥର ୧୧ ହଜାର କଇଁଛ ଅଧିକ ରହିଛି ଯାହାକୁ ନେଇ ପରିବେଶବିତ୍ ଓ ପ୍ରାଣୀ ବିଜ୍ଞାନୀ ଖୁସି ହୋଇଛନ୍ତି । ପ୍ରତିବର୍ଷ ନଭେମ୍ବର ୧ରୁ ଗହିରମଥାରେ ମାଛ ମାରିବା ଓ ଯନ୍ତ୍ର ଚାଳିତ ଡଙ୍ଗା ଉପରେ କଟକଣା ଜାରି କରାଯାଏ । କାରଣ ବଂଶବିସ୍ତାର ପାଇଁ ଗହିରମଥା ସୁରକ୍ଷିତ ଥିବାରୁ ବିଦେଶୀ କଇଁଛଙ୍କ ଆଗମନ ହୋଇଥାଏ । ବେଳାଭୂମିରେ ୧.୫ରୁ ୨ ଫୁଟ୍ ଗାତ ଖୋଳି ପ୍ରତି କଇଁଛ ୮୦ରୁ ୧୦୦ଟି ଅଣ୍ଡା ଦେଇଥାନ୍ତି । ୪୫ ଦିନ ପରେ ଅଣ୍ଡାରୁ ଛୁଆ ଫୁଟିବା ପରେ ସେମାନେ ସମୁଦ୍ରକୁ ଚାଲିଯାଅନ୍ତି ।

    ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ,କୋଷ୍ଟଗାଡ,ମେରାଇନ ପୋଲିସ୍ ନିୟୋଜିତ କରାଯାଉଛି କିନ୍ତୁ ଅମାନିଆ ମତ୍ସ୍ୟଜୀବୀଙ୍କ ଯୋଗୁଁ ହଜାର ହଜାର ବିରଳ କଇଁଛଙ୍କ ମୃତ୍ୟୁ ହେଉଛି । ତେଣୁ ବନ ବିଭାଗ କଟକଣାକୁ କଡ଼ାକଡ଼ି କରିବାକୁ ପରାମର୍ଶ ଦିଆଯାଇଛି ।