ଟାଲକମ୍ ପାଉଡରରୁ କ୍ୟାନ୍ସର !…’ଜନସନ୍ ଆଣ୍ଡ ଜନସନ୍’ ଗଣିବ ତଣ୍ଡ

ଆମେରିକାର ଅନ୍ୟତମ ବୃହତ୍ତମ ଫାର୍ମାସ୍ୟୁଟିକାଲ କମ୍ପାନୀ ଜନସନ ଆଣ୍ଡ ଜନସନ (Johnson & Johnson) ନିଜ ଉପରେ ଥିବା 9 ବର୍ଷ ପୁରୁଣା ମାମଲାର ସମାଧାନ ପାଇଁ 890 କୋଟି ଆମେରିକୀୟ ଡଲାର ବା ଆନୁମାନିକ 730,086 କୋଟି ଟଙ୍କା ଦେବାକୁ ରାଜି । ଜନସନ ଆଣ୍ଡ ଜନସନ ଟେଲକମ ପାଉଡରରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ନେଇ ଅଭିଯୋଗ ପରେ ମାମଲା କୋର୍ଟକୁ ଯାଇଥିଲା ।

ନ୍ୟୁ ଜର୍ସି ଭିତ୍ତିକ କମ୍ପାନୀ ପକ୍ଷରୁ କୁହାଯାଇଛି କି,ଏହି ପ୍ରସ୍ତାବିତ ସମାଧାନ ତଥାପି ଏକ ଦେବାଳିଆ କୋର୍ଟର ଅନୁମୋଦନ ଆବଶ୍ୟକ କରୁଛି। ଏଥିସହ କସମେଟିକ ଟାଲକ୍ ବିରୋଧରେ ଥିବା ସମସ୍ତ ଅଭିଯୋଗର ସମାଧାନ, ଦକ୍ଷତା ଓ ପ୍ରବାବଶାଳୀ ଢଙ୍ଗରେ କରିବା ଦିଗରେ କାର୍ଯ୍ୟ କରିବ ।

କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି କି,ଏହି ସମାଧାନ କୋର୍ଟ ତଥା ଅଧିକାଂଶ ଅଭିଯୋଗକାରୀଙ୍କ ପକ୍ଷରୁ ଅନୁମୋଦିତ ହେଲେ 890 କୋଟି ଡଲାରର ସମାଧାନ ଯୁକ୍ତରାଷ୍ଟ୍ରର ସର୍ବ ବୃହତ୍ତ ଆପୋଷ ବୁଝାମଣା ଆଧାରରେ ହୋଇଥିବା ସମାଧାନ ଭିତରୁ ଅନ୍ୟତମ ହେବ । ପୂର୍ବରୁ ଏପ୍ରକାର ବୁଝାମଣା କେବଳ ତମାଖୁ ଓ ଅଫିମ ଉତ୍ପାଦନକାରୀ ସଂସ୍ଥା ଦ୍ୱାରା ହୋଇଛି ।

ସୂଚନା ଯୋଗ୍ୟ,ଜନସନ ଆଣ୍ଡ ଜନସନ ବିରୋଧରେ ଏକ ହଜାରରୁ ଅଧିକ ମାମଲା ବିଚାରାଧୀନ ଅଛି । ଜନସନ ଆଣ୍ଡ ଜନସନ ଟେଲକମ ପାଉଡରରେ ଓଭାରିୟାନ କର୍କଟ ସୃଷ୍ଟିକାରୀ ଆଜବେଷ୍ଟସ ରହିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଏହାକୁ କମ୍ପାନୀ ଖଣ୍ଡନ କରି ଆସୁଥିଲା । ହେଲେ କମ୍ପାନୀ ପକ୍ଷରୁ 2020 ମେ ମାସରୁ ଆମେରିକା ଓ କାନାଡାରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଉଡର ବିକ୍ରି ବନ୍ଦ କରାଯାଇଥିଲା ।

କମ୍ପାନୀର ଆଇନ ମୁଖ୍ୟ ଏରିକ ହାସ ଏକ ବିବୃତ୍ତିରେ କହିଛନ୍ତି କି,କମ୍ପାନୀ ବିଶ୍ୱାସ କରେ କି, ଏହିସବୁ ଅଭିଯୋଗ ଭ୍ରମାତ୍ମକ ଓ ବୈଜ୍ଞାନିକ ଆଧାର ବିହୀନ । ଜନସନ ଆଣ୍ଡ ଜନସନ ପକ୍ଷରୁ କୁହାଯାଇଛି କି,କମ୍ପାନୀର ସହଯୋଗୀ ଏଲଟିଏଲ ମ୍ୟାନେଜମେଣ୍ଟ ଏଲଏଲସି ଆସନ୍ତା 25 ବର୍ଷରେ ହଜାର ହଜାର ଦାବିଦାରଙ୍କୁ 890 କୋଟି ଡଲାର ଦେବାକୁ ରାଜି । ଦେବାଳିଆ ସ୍ଥିତିରୁ ସୁରକ୍ଷା ପାଇଁ ତଥା ଅଭିଯୋଗର ସାମ୍ନା କରିବାକୁ ଏଲଟିଏଲ ମ୍ୟାନେଜମେଣ୍ଟ ଏଲଏଲସି ଗଠନ କରାଯାଇଥିଲା ।

ଏଲଟିଏଲ ମ୍ୟାନେଜମେଣ୍ଟ ଏଲଏଲସି ଦ୍ୱାରା ପୂର୍ବରୁ ଦିଆଯାଇଥିବା ଏକ ପ୍ରସ୍ତାବକୁ କୋର୍ଟ ଖାରଜ କରିଦେଇଥିଲେ । ବର୍ତ୍ତମାନ କୋର୍ଟ ଏଲଟିଏଲ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ପୂର୍ବ ପ୍ରସ୍ତାବ ଅନୁଯାୟୀ କମ୍ପାନୀ 2 ବିଲିୟନ ଡଲାର ଦେବାକୁ ପ୍ରସ୍ତାବ ଦେଇଥିଲେ ।

Leave a Reply

Your email address will not be published. Required fields are marked *