ଭାରସାମ୍ୟ ହରାଇଲା ବସ୍, ବ୍ରିଜ୍ ତଳକୁ ଖସି ୧୫ ମୃତ

ମଧ୍ୟପ୍ରଦେଶର ଖରଗୋନ ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ହଥିନି ନଦୀ ପାର୍‌ ହେଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।

ଦୁର୍ଟଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ପୋଲିସ୍‌ ପହଞ୍ଚି ଆମ୍ବୁଲାନ୍ସରେ ଗୁରୁତରଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲା । ଆହତ ଏବଂ ଗୁରୁତର ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି । ଇନ୍ଦୋର ଅଭିମୁଖେ ଘରୋଇ ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ବସ୍‌ଟି ହାଥିନୀ ନଦୀ ଉପରେ ଯାଉଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ ।

ଗାଡ଼ିଟି ଭାରସାମ୍ୟ ହରାଇ ପୋଲ ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ କିଛି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପୋଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଦୁର୍ଘଟଣାର କାରଣ ଜଣାପଡ଼ିନି । ଦ୍ରୁତ ଗତି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଏଭଳି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଲେଖାଏଁ ମିଳିବ ବୋଲି ସିଏମ୍ କହିଛନ୍ତି । ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୁଃଖପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *