Bhubaneswar Crime : ରାଜଧାନୀରେ ସୋନୁ ହତ୍ୟାକାଣ୍ଡ ପଛରେ ବଡ଼ ରହସ୍ୟ! ପ୍ରଥମେ ବୋମାମାଡ଼, ପରେ ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳି!

ଭୁବନେଶ୍ବର : ବହୁଚର୍ଚ୍ଚିତ ସୋନୁ ଗୁଳିକାଣ୍ଡ ପଛରେ ଲୁଚିଛି କି ବଡ଼ ରହସ୍ୟ ? ଟଙ୍କା କାରବାରକୁ ନେଇ ହୋଇଥିବା ବିବାଦ ଶେଷରେ ନେଲା କି ରକ୍ତାକ୍ତ ରୂପ ? ଜଣଙ୍କୁ ଟାର୍ଗେଟ୍ କରି ଗୁଳିମାଡ଼ ହୋଇଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣାକୁ ନେଇ ଉଠିଛି ଅନେକ ପ୍ରଶ୍ନ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସୋନୁ ଓ ତାଙ୍କ ସାଙ୍ଗ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସିଥିବା ବେଳେ ଟଙ୍କା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ସମ୍ପର୍କୀୟଙ୍କ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ ହୋଇଥିଲା। ହେଲେ ବିବାଦ ସେତିକିରେ ଥମି ନଥିଲା ବୋଲି ସନ୍ଦେହ କରାଯାଉଛି।

ଅଭିଯୋଗ ଅନୁଯାୟୀ, ବିବାଦ ପରେ ସୋନୁ ଓ ତାଙ୍କ ସାଙ୍ଗ ଘରକୁ ଫେରି ନଥିଲେ। ରାତିରେ ବାଇକ୍‌ରେ ବୁଲିବା ସହ ଏକ କ୍ଲବ୍ ଘରେ ମଧ୍ୟ ରହିଥିଲେ। ତେବେ ଏହି ସମୟରେ କ’ଣ ଘଟିଥିଲା, କିଏ କାହା ସହ ଯୋଗାଯୋଗରେ ଥିଲା, ତାହାକୁ ନେଇ ରହସ୍ୟ ବଢ଼ିଛି।

ସବୁଠୁ ଚାଞ୍ଚଲ୍ୟକର କଥା ହେଉଛି, ରାତି ପ୍ରାୟ ୩ଟା ବେଳେ ସୋନୁ ରସୁଲଗଡ଼ ପେଟ୍ରୋଲ ପମ୍ପକୁ ଯାଉଥିବା ସମୟରେ ରାଧିକା କମ୍ପ୍ଲେକ୍ସ ନିକଟରେ ଆକ୍ରମଣକାରୀମାନେ ଛକି ରହିଥିବା କୁହାଯାଉଛି। ପ୍ରଥମେ ବୋମାମାଡ଼, ତା’ପରେ ବାଇକ୍ ଆଗରେ ଗାଡ଼ି ରଖି ରାସ୍ତା ଅବରୋଧ। ବନ୍ଧୁକ ଦେଖି ସୋନୁ ଜୀବନ ବିକଳରେ ଦୌଡ଼ିବାକୁ ଉଦ୍ୟମ କରିଥିଲେ।

କିନ୍ତୁ ଆକ୍ରମଣକାରୀଙ୍କ କବଳରୁ ଖସିପାରି ନଥିଲେ ସୋନୁ। ତିନିରୁ ଚାରିଜଣ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ ପରେ ସୋନୁ ଘଟଣାସ୍ଥଳରେ ଟଳିପଡ଼ିଥିବା ବେଳେ ଆକ୍ରମଣକାରୀମାନେ ସେଠାରୁ ଖସିଯାଇଥିଲେ।

ଏବେ ବଡ଼ ପ୍ରଶ୍ନ, ଏହା ଟଙ୍କା ପାଇଁ ହତ୍ୟା ନା ପୂର୍ବ ଯୋଜନାବଦ୍ଧ ଆକ୍ରମଣ? ସୋନୁଙ୍କ ଗତିବିଧି ସମ୍ପର୍କରେ ଆକ୍ରମଣକାରୀମାନେ କିପରି ଜାଣିଲେ? ତଦନ୍ତରୁ ହିଁ ସାମ୍ନାକୁ ଆସିବ ଏହି ରହସ୍ୟମୟ ଗୁଳିକାଣ୍ଡର ପ୍ରକୃତ ସତ୍ୟ।