Author: suchanatv24x7

  • ନାଳରେ ଭାସୁଛି ବିଡା ବିଡା ଟଙ୍କା

    ନାଳରେ ଭାସୁଛି ବିଡା ବିଡା ଟଙ୍କା

    ବିହାରର ସାସାରାମ ମୁଫସ୍ସିଲ ଥାନା ଅଧୀନସ୍ଥ ମୁରାଦାବାଦ ନିକଟରେ ଥିବା ଏକ ନାଳରେ ପସିଛନ୍ତି ବହୁ ଲୋକ। କୂଳକୁ ଆସିବା ବେଳକୁ ସେମାନଙ୍କ ହାତରେ ବିଡା ବିଡା ଟଙ୍କା। ଯିଏ ଯେତେ ପାରୁଛି ନାଳରୁ ସଂଗ୍ରହ କରି ଚାଲିଛି ଟଙ୍କା। ଦୃଶ୍ୟଟି କୌଣସି ଫିଲ୍ମର ସିନ ପରି ମନେ ହେଉ ଥିଲେ ମଧ୍ୟ ସତ୍ୟ। ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏସମ୍ପର୍କରେ ଜଣା ପଡିବା ପରେ ପ୍ରଶାସନ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି। ଏତେ ଟଙ୍କା କେଉଁଠୁ ଆସିଲା, କିଏ ପକାଇଲା ଓ କାହିଁକି ସହ ଟଙ୍କା ଅସଲି ନା ନକଲି ତାକୁ ନେଇ ହେଉଛି ଯାଞ୍ଚ।

    ଘଟଣାଟି ଶନିବାର ସକାଳୁ ମୁରାଦାବାଦ ନିକଟରେ ଥିବା ଏକ ନାଳରେ ବିପୁଳ ଟଙ୍କା ବିଡ଼ା ଭାସୁଥିବା ଖବର ବ୍ୟାପିବା ପରେ ନାଳ ପାଖକୁ ଶହଶହ ଲୋକଙ୍କ ସୁଅ ଛିଟିଥିଲା। ସମସ୍ତେ ଆଗପଛ ନ ଭାବି ନାଳକୁ ଡେଇଁ ପଡ଼ି ଟଙ୍କା ସଂଗ୍ରହରେ ଲାଗିଥିଲେ। ଯିଏ ଯେତେ ପାରିଲା ବ୍ୟାଗରେ ଭରି ଘରକୁ ଚାଲିଲା। ପାଣିରେ ଭାସୁଥିବା ଟଙ୍କା ବିଡାରେ ଥିଲା ୧୦,୧୦୦, ୫୦୦ ଓ ୨୦୦୦ର  ବିଡ଼ା ରହିଥିଲା ବୋଲି ଜଣାପଡ଼ିଛି। ନାଳରୁ ଟଙ୍କା ସଂଗ୍ରହ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

    ନାଳକୁ ଓହ୍ଲାଇ ଟଙ୍କା ଗୋଟାଉଥିବା ଲୋକଙ୍କ ଭିଡିଓକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜଣେ ରେକର୍ଡ କରି ନେଇଥିଲେ।  ପରେ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଭାଇରାଲ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନକୁ ସିଜ କରିବା ସହ ଲୋକଙ୍କୁ ନାଳରୁ ଉଠି  ଯିବାକୁ କହିଥିଲା। ଯାଞ୍ଚ ପରେ ହିଁ ଏହି ଘଟଣା ପଛର କାରଣ କ’ଣ ତାହା ଜଣାପଡ଼ିବ।

  • ଝିଆରୀ ଅନ୍ୟ ଜାତିରେ ବିବାହ କରିବାରୁ ମାରିଦେଲା ଦାଦା

    ଝିଆରୀ ଅନ୍ୟ ଜାତିରେ ବିବାହ କରିବାରୁ ମାରିଦେଲା ଦାଦା

    ଉତ୍ତର ପ୍ରଦେଶର ସୀତାପୁରରେ ଅନର କିଲିଙ୍ଗର ପୁନରାବୃତ୍ତି।  ଝିଆରୀ ଅନ୍ୟ ଜାତିର ଯୁବକ ସହ ଘରୁ ପଳାଇ ଯାଇ ବିବାହ କରିଥିବାରୁ ଦାଦା ହତ୍ୟା କରିଛି ଝିଆରୀକୁ।  ଜଘଣ୍ୟ ହତ୍ୟାକାଣ୍ଡ ଘଟାଇବା ପରେ ଦାଦା ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ପୋଲିସ ଅଭିଯୁକ୍ତଠାରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି। ସୀତାପୁରର ପିସାୱାନା ଥାନା ଅଧୀନ ବାଜନଗର ଗାଁରେ ଶନିବାର ଏହି ହତ୍ୟାକାଣ୍ଡ ହୋଇଛି।  ପୋଲିସ ମାମଲାକୁ ନେଇ କହିଛି କି, ଏହା ସମ୍ପୂର୍ଣ୍ଣରୂପେ ଅନର କିଲିଂ ମାମଲା। ଅଭିଯୁକ୍ତ ମଧ୍ୟ ନିଜ ଦୋଷ ମାନି ନେଇଛି।

    ସୂଚନାକ ମୁତାବକ, ସେହି ଗାଁର ରୁପ ଚନ୍ଦ୍ର ମୌର୍ୟ୍ୟ ନାମକ ଜଣେ ବ୍ୟକ୍ତି ସହ ମୃତ ୨୦ ବର୍ଷୀୟା ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। କିନ୍ତୁ ଉକ୍ତ ଯୁବକ ପୂର୍ବରୁ ବିବାହିତ ଥିଲେ। ଉଭୟଙ୍କ ସମ୍ପର୍କ ବିଷୟରେ ଯୁବତୀଙ୍କ ପରିବାର ଜାଣିବା ପରେ ଯୁବତୀଙ୍କ ଦାଦା ରାଗରେ ହିତାହତ ଜ୍ଞାନ ହରାଇ ବସିଥିଲେ ଓ ଯୁବତୀଙ୍କୁ ଏକ ଧାରୁଆ ଛୁରୀରେ ଭୁଷି ଚାଲିଥିଲେ। ଫଳରେ ଯୁବତୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୌଣସି ବ୍ୟକ୍ତି ପୋଲିସକୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ ଓ ଏସପିଙ୍କ ସହ ପୋଲିସ ଟିମ ସେଠାରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

    ପୋଲିସ ତଥ୍ୟ ମୁତାବକ ପୀଡିତାର ରୁପ ଚନ୍ଦ୍ର ସହ ସମ୍ପର୍କ ଗଢିଉଠିଥିଲା। ପରିବାର ଲୋକେ ସେମାନଙ୍କୁ ବିବାହ କରିବାକୁ ଦେବେ ନାହିଁ ଜାଣି ନଭେମ୍ବର ମାସରେ ଉଭୟ ଗାଜିଆୱାଦ ପଳାଇଯାଇ ସେଠାରେ କୋର୍ଟ ମ୍ୟାରେଜ କରିଥିଲେ ଓ ସେଠାରେ ଏକାଠି ରହିଥିଲେ। କିଛି ଦିନ ତଳେ ଉଭୟ ଗାଁକୁ ଆସିଥିଲେ। ତେବେ ଝିଆରୀ ଘରୁ ପଳାଇବା ପରଠାରୁ ଦାଦା ତାକୁ ମାରିବାକୁ ଅପେକ୍ଷା କରି ବସିଥିଲା। ଯେତେବେଳେ ସେମାନେ ଗାଁକୁ ଫେରିଲେ ଦାଦା ଝିଆରୀକୁ ଛୁରାମାଡ କରିଥିଲା ବୋଲି ପୋଲିସ ସୂଚନା ଦେଇଛି।

    ଏନେଇ ରୁପଚନ୍ଦ୍ରର ପରିବାର ପକ୍ଷରୁ ଥାନାରେ ଏକ ଅଭିଯୋଗ ହୋଇଛି। ଘରେ ପସି ପୀଡିତାର ପରିବାର ଲୋକେ ତାକୁ ଘୋଷାଡି ନେବା ସହ ହତ୍ୟା କରିଥିବା ଆଭିଯୋଗରେ ଉଲ୍ଳେଖ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ତେବେ ଏହା ପୂର୍ବରୁ ଗତ ଡିସେମ୍ୱରରେ ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ଅନର କିଲିଂ ମାମଲାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ବାପା ଝିଅର ପ୍ରେମିକକୁ ମାରିଦେଇଥିବା ଅଭିଯୋଗ ହୋଇଥିଲା।

  • ଆମ୍ୱୁଲାନ୍ସ ନ ଆସିବାରୁ ଚାଲିଗଲା ରୋଗୀ ଜୀବନ

    ଆମ୍ୱୁଲାନ୍ସ ନ ଆସିବାରୁ ଚାଲିଗଲା ରୋଗୀ ଜୀବନ

    ରୋଗୀଙ୍କୁ ନେବାକୁ ଯାଉଥିବା ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗି ଜଳିଯାଇଥିବା ବେଳେ ଆମ୍ବୁଲାନ୍ସ ଆପେକ୍ଷାରେ ଥିବା ରୋଗୀ ଶେଷରେ ଆଖି ବୁଜିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ପଞ୍ଚାୟତ ଗୁଲିମିଗୁଡା ଗାଁରେ। ଏପରି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ସରକାରୀ ଅମ୍ବୁଲାନ୍ସ ନ ପହଞ୍ଚିବାରୁ ଏପରି ହୋଇଥିବାରୁ କ୍ଷତିପୂରଣ ଦାବି କରୁଛନ୍ତି ପରିବାର ଲୋକେ।

    ଗୁଲିମିଗୁଡାର ଜଣେ ବ୍ୟକ୍ତିଙ୍କୁ ଯନ୍ତ୍ରଣା ହେବାରୁ ଡାକ୍ତର ଖାନା ନେବାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ବନ୍ଧୁଗାଁ ମେଡିକାଲରୁ ଆମ୍ବୁଲାନ୍ସ ରୋଗୀଙ୍କୁ ଆଣିବାକୁ ବାହାରିଥିଲା। ଗାଁ ଆଡକୁ ଆମ୍ବୁଲାନ୍ସ ଆଗେଇ ଯାଉଥିବା ବେଳେ ହଠାତ୍ ଆମ୍ବୁଲାନ୍ସରେ ନିଆଁ ଲାଗି ପୋଡିଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ପୋଡିଯାଇଥିବା ଆମ୍ୱୁଲାନ୍ସ କିଛି ଦିନ ତଳେ ବନ୍ଧୁଗାଁ ମୋଡିକାଲକୁ ଭୁବନେଶ୍ୱରରୁ ପଠାଯାଇଥିଲା। ହେଲେ ଆମ୍ବୁଲାନ୍ସର ନ ଥିଲା ଫିଟନେସ ସାର୍ଟିଫିକେଟ। କାରଣ ଏହା ଥିଲା ୧୭ ବର୍ଷ ପୁରୁଣା ଗାଡି। ନୂଆ ନିୟମ ଆନୁଯାୟୀ ଏହି ଗାଡିକୁ ରାସ୍ତାରେ ଗଡିବା ମନା। ତେଣୁ ଏହି ନୂଆ ନିୟମ ବିଷୟରେ ଜାଣି ନ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସରକାରୀ କଳ ପଠାଇ ଦେଇ ବାହାବା ନେବାକୁ ଚେଷ୍ଟା କରିଥିଲା। ସେପଟେ, ଆମ୍ବୁଲାନ୍ସକୁ ଅପେକ୍ଷା କରି ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜି ଦେଇଛନ୍ତି ରୋଗୀ।

    ଆମ୍ବୁଲାନ୍ସରେ ନିଆଁ ଲାଗିବାକୁ ନେଇ ପ୍ରାଥମିକ ତଦନ୍ତ ପରେ ଜଣାପଡିଛି କି, ବାଟରେ ସଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଆମ୍ବୁଲାନ୍ସଟି ପୁରୁଣା ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଜଳିଯାଇଛି। ଅନ୍ୟପଟେ ଆମ୍ବୁଲାନ୍ସ ଆସୁଥିବା ଜାଣି ରୋଗୀଙ୍କ ପରିବାର ତାଙ୍କୁ ହସ୍ପିଟାଲ ନେବାକୁ ଅନ୍ୟ କୌଣସି ଉପାୟ ଆପଣେଇ ନ ଥିଲେ। ଆଉ ରୋଗୀ ଯନ୍ତ୍ରଣାରେ ଦୀର୍ଘ ସମୟ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବାରୁ ଏହି ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରି କ୍ଷତିପୂରଣ ଦାବି କରିଛନ୍ତି ପୀଡିତ ପରିବାର।

    ତେବେ ଆମ୍ୱୁଲାନ୍ସକୁ ନେଇ ଏପରି ଅଘଟଣ ରାଜ୍ୟରେ ନୂଆ ନୁହେଁ। କିଛି ଦିନ ତଳେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ରୋଗଗ୍ରସ୍ତ ଶିଶୁକୁ ହସ୍ପିଟାଲ ଆଣିବାକୁ ଆମ୍ୱୁଲାନ୍ସ ପାଇଁ ଫୋନ ହୋଇଥିଲା। ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଆମ୍ୱୁଲାନ୍ସ ଗାଁରେ ପହଞ୍ଚି ନ ଥିଲା ଆଉ ଶିଶୁର ମୃତ୍ୟୁ ହୋଇଥିଲା।

  • ମେ’ ଶେଷ ସୁଦ୍ଧା ଉଭୟ ମାଟ୍ରିକ୍ ଓ +୨ ରେଜଲ୍ଟ

    ମେ’ ଶେଷ ସୁଦ୍ଧା ଉଭୟ ମାଟ୍ରିକ୍ ଓ +୨ ରେଜଲ୍ଟ

    ମେ’ ତୃତୀୟ ସପ୍ତାହରେ ମାଟ୍ରିକ୍ ଫଳ ପ୍ରକାଶ ପାଇବ । ସେହିପରି ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବଶୀଘ୍ର ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷାଫଳ ବାହାରିବା ନେଇ ତାରିଖ ଘୋଷଣା କରାଯିବ ।
    ଚଳିତବର୍ଷ ରାଜ୍ୟରେ ପ୍ରାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାଚାଲିଛି । ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇଥିବା ଖାତାଦେଖାରେ ୧୩ ହଜାର ଶିକ୍ଷକ,ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି ।

    ଯୁକ୍ତ ଦୁଇ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଖାତାଦେଖା ରବିବାର ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତମାସ ଶେଷ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ୍ୟ ରଖିଛି । କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁନ୍‌‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ । ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ ଇଣ୍ଟରନାଲ୍‌‌ ଆସେସମେଣ୍ଟର ୨୦%କୁ ବିଚାରକୁ ନେଇ ପିଲାଙ୍କ ପ୍ରତ୍ୟେକ ବିଷୟର ମୂଲ୍ୟାୟନ କରାଯିବ ।

    ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇଛି ବୋର୍ଡ । ରେଜଲ୍ଟ ପ୍ରକାଶରେ ଯେପରି ତ୍ରୁଟି ରହିବ ନାହିଁ କି କୌଣସି ଅଭିଯୋଗ ଆସିବ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଖୁବଶୀଘ୍ର ରେଜଲ୍ଟ ପ୍ରକାଶ ପାଇବା ଖବର ମିଳିବା ପରେ ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

  • ଝାରସୁଗୁଡା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

    ଝାରସୁଗୁଡା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

    ଝାରସୁଗୁଡା ଉପନିର୍ବାଚନ ୧୦ ତାରିଖରେ ହେବାକୁ ଥିବା ବେଳେ ସବୁ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଆଜି ବିଜେଡି ପ୍ରାର୍ଥିନୀ ଦିପାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ପ୍ରଚାର କରୁଛନ୍ତି। ସେପଟେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହେଉଛି। ପ୍ରଥମଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନର ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯିବ ।

    ଝାରସୁଗୁଡ଼ା ବିଧାନସଭା  ମଣ୍ଡଳୀରେ ଥିବା ମୋଟ ବୁଥ ଭିତରୁ ୪୦% ସମ୍ବେଦନଶୀଳ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନକୁ ସୁରୁଖୁରୁ ଓ ଶୃଙ୍ଖଳିତ ଢଙ୍ଗରେ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ ନିର୍ବାଚନ ସମୟରେ ବିଧାନସଭା ମଣ୍ଡଳୀରେ ଆଇନଶୃଙ୍ଖଳା ରକ୍ଷା ହେବ ତା ଉପରେ ଅଧିକାରୀଙ୍କ ସହଯୋଗ ଲୋଡିଛନ୍ତି ଧଳ। ଏଥିସହ ନିର୍ବାଚନ ପାଇଁ ସବୁ ବୁଥକୁ ଭୋଟଗ୍ରହଣ ସାମଗ୍ରୀ ପହଞ୍ଚାଇବା, କାଳବୈଶାଖି ଓ ଝଡ଼ବାତ୍ୟାର ଆଗୁଆ ଆକଳନ, ଏକଜିଟ୍ ପୋଲ୍ ଉପରେ କଟକଣା, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାନଚ ଅଧିକାରୀ ।

    ଅଧିକାରୀଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଧଳ କହିଛନ୍ତି କି, ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ସ୍ଥିତି ଠିକଠାକ୍ ରହିଛି । ଝାରସୁଗୁଡ଼ାରେ ୪୦ ପ୍ରତିଶତ ବୁଥ ସମ୍ବେଦନଶୀଳ ଅଛି । ଓଡ଼ିଶାର ସବୁ ବୁଥରେ ଆଗକୁ ୱେବକାଷ୍ଟିଂ ହେବାକୁ ଥିବାବେଳେ ଝାରସୁଗୁଡ଼ା ଉପନିର୍ବାଚନରେ ଏହାର ଆରମ୍ଭ ହେବ । ଫଳରେ ଭୋଟଦାନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନିର୍ବାଚନ ଅଧିକାରୀମାନେ ସିଧାସଳଖ ତଦାରଖ କରିପାରିବେ ।

    ଧଳ ଆହୁରି ସୂଚନା ଦେଇଛନ୍ତି କି, ଦୁଇ ଦଳ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ କମିଶନଙ୍କ ଯାଞ୍ଚ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଆଜିର ଏହି ବୈଠକରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଆଇଏସ୍ ଦେବକ୍ରିଷ୍ଣା ତିୱାରୀ, ପୁଲିସ ପର୍ଯ୍ୟବେକ୍ଷକ ଆଇପିଏସ୍ ହମିତ୍ ଅଖତାର, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଇଆରଏସ୍ ରବିରାଜ ସାହୁରାଜ ଖୋଗରେ, ରାଜ୍ୟ ଆଇନଶୃଙ୍ଖଳା ଆଇଜି ପ୍ରବୀଣ କୁମାର, ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍ ନରୱଣେ ଓ ଏସପି ସ୍ମିଥ ପି ପୁରୁଷୋତ୍ତମ ଦାସ ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ ।

    ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ଆସନ୍ତା ୧୦ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ଓ ମୋଟ ୨.୨୧ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।

  • ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, କାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର

    ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, କାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର

    ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଲଘୁଚାପ କ୍ଷେତ୍ରକୁ ଅପେକ୍ଷା । ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
    ୯ ତାରିଖରେ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । ପରେ ଅଧିକ ଘନୀଭୂତ ହୋଇ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆସନ୍ତାକାଲି ଅର୍ଥାତ ୮ ତାରିଖ ଶେଷ ସୁଦ୍ଧା ବାତ୍ୟାର ତୀବ୍ରତା ଏବଂ ଏହାର ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ପାଣିପାଗ ବିଭାଗ କହିଛି ।

    ଯଦି ବାତ୍ୟା ଆସେ ତେବେ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିନି । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶା ପ୍ରତି ସେମିତି କିଛି ବିପଦ ନାହିଁ । ଗତିବିଧି ଏବଂ ପ୍ରଭାବର ପୂର୍ବାନୁମାନ ସହ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସମସ୍ତ ଅପଡେଟ୍ ଖବର ଦିଆଯିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିପାରେ ।

    ଆଣ୍ଡାମାନ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଏଥିସହ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ବାରଣ କରାଯାଇଛି । ୮ ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ନେଇ ସୂଚନା ମିଳିଛି । କାଳବୈଶାଖୀ ପ୍ରଭାବ କମିବା ସହିତ ତାତି ବୃଦ୍ଧି ପାଇପାରେ । ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ ଆଲର୍ଟ କରାଯାଇଛି । ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି ।

    ସେପଟେ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ, SRCଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକ କରିଛନ୍ତି । ଏଥିପାଇଁ ସମସ୍ତେ ସଜାଗ ଏବଂ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ସବୁ କାର୍ଯ୍ୟ ଶେଷ କରିବାକୁ କହିଛନ୍ତି ନବୀନ ।

  • ବ୍ରିଟେନରେ ରାଜତନ୍ତ୍ର ଶେଷ କରିବାକୁ ଆନ୍ଦୋଳନ, ଅନେକ ଗିରଫ

    ବ୍ରିଟେନରେ ରାଜତନ୍ତ୍ର ଶେଷ କରିବାକୁ ଆନ୍ଦୋଳନ, ଅନେକ ଗିରଫ

    ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କୁ ବିରୋଧ। ଶନିବାର ଚାର୍ଲ୍ସ୩ଙ୍କ ରାଜ୍ୟାଭିଷେକ କାଳରେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ବିରୋଧକାରୀ ଚାର୍ଲ୍ସଙ୍କ ବିରୋଧରେ ନଟ ମାଇଁ କିଙ୍ଗ ବା ମୋ ରାଜା ନୁହଁ ପରି ନାରା ଦେଇଥିଲେ। ବିଶ୍ବର ପ୍ରାୟ ସବୁ ରାଷ୍ଟ୍ରରୁ ରାଜ ପରମ୍ପରା ହଟିଯାଇଥିବା ବେଳେ କେବଳ ବ୍ରିଟେନରେ ଏହି ପରମ୍ପରା ଜାରି ରହିଛି, ଯାହାକୁ କିଛି ଲୋକେ ବିରୋଧ କରୁଛନ୍ତି। ରାଜତନ୍ତ୍ର ହଟାଇବାକୁ ବ୍ରିଟେନରେ ହୋଇଆସୁଛି ତୀବ୍ର ବିରୋଧ। ଶନିବାର ଚାର୍ଲ୍ସ ୩ଙ୍କ ଅଭିଷେକ ଧୂମ ଧାମରେ ଚାଲିଥିବା ବେଳେ କିଛି ରାଜତନ୍ତ୍ର ବିରୋଧକାରୀ ରାଜାଙ୍କ ବିରୋଧରେ ନାରାବାଜି କରିବାରୁ ପୋଲିସ କିଛିଙ୍କୁ ଗିରଫ କରିଛି।

    ଡାଇମଣ୍ଡ ଜୁବଲି ଷ୍ଟେଟ କୋଚରେ ଥିବା ୱେଷ୍ଟମିନିଷ୍ଟର ଆବେରେ ରାଜ୍ୟାଭିଷେକ ଚାଲିଥିଲା। ଏହା ପୂର୍ବରୁ ଶୁକ୍ରବାରଠାରୁ ୱେଷ୍ଟମିନିଷ୍ଟର ଆବେ ବାହାରେ ଲୋକଙ୍କ ଭିଡ ଜମିଥିଲା। ଲୋକେ ରାଜାଙ୍କ ସପକ୍ଷରେ ବିଭିନ୍ନ ନାରା ଦେଉଥିଲେ। ଏହାରି ଭିତରେ ସେଠାକାର ରାଜତନ୍ତ୍ର ବିରୋଧୀ ଗୋଷ୍ଠୀ ନଟ୍ ମାଇଁ କିଙ୍ଗର ନାରା ଦେଇଥିଲେ। ସେଠାରେ ଉପସ୍ଥିତ ଅଧିକାରୀମାନେ ବିଦ୍ରୋହୀଙ୍କୁ ଶାନ୍ତ ରହିବାକୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ କୌଣସି ବାରଣ ମାନି ନଥିଲେ।  ରାଜତନ୍ତ୍ର ବିରୋଧରେ ଦେଇଥିଲେ ୫୦ରୁ ଅଧିକ ନାରାବାଜୀ।

    ବ୍ରିଟେନ ରାଜତନ୍ତ୍ର ବିରୋଧରେ ଚାଲିଥିବା ଆନ୍ଦୋଳନର ପ୍ରତିନିଧିତ୍ୱ କରୁଥିବା ଏକ ଗୋଷ୍ଠୀ ହଳଦିଆ ରଙ୍ଗର ଟି ସର୍ଟ ପିନ୍ଧି ସେଠାରେ ଶନିବାର ସକାଳ ପର୍ଯ୍ୟନ୍ତ ନାରା ଦେଉଥିଲେ। ସେମାନଙ୍କ ହାତରେ ଥିଲା ରାଜାଙ୍କ ବିରୋଧରେ ଲେଖା ପ୍ଲାକାର୍ଡ। ଏଥିରେ ନଟ ମାଇଁ କିଙ୍ଗ ପରି ମେକ ମୋନାର୍ଚି ହିଷ୍ଟୋରୀ, ଆବୋଲିସ ଦ ମୋନାର୍ଚି ଲେଖା ପୋଷ୍ଟର ଧରିଥିଲେ ଆନ୍ଦୋଳନକାରୀ। ପ୍ରାୟ ୧୫୦୦ରୁ ଅଧିକ ଆନ୍ଦୋଳନକାରୀ ଏକାଠି ହୋଇ ରାଜ୍ୟାଭିଷେକ ବିରୋଧରେ ପ୍ରଦର୍ଶନ କରିଥିଲେ।  ପୋଲିସ ବିରୋଧ ପ୍ରଦର୍ଶନ କରୁଥିବା ରିପବ୍ଲିକର ୬ ଜଣଙ୍କୁ ଗିରଫ କରି ଜେଲରେ ପକାଇଛି। ସେମାନଙ୍କ ଭିତରେ ରିପବ୍ଲିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଗ୍ରହମ ସ୍ମିଥ ମଧ୍ୟ ରହିଛନ୍ତି।

    ଏସମ୍ପର୍କରେ ପୋଲିସ କହିଛି, ୟୁରୋପିଆନ ରିପବ୍ଲିକାନ ଆନ୍ଦୋଳନର ଏକ ଶାଖା ଦ୍ବାରା ଏକ ଭିଡିଓ ଟୁଇଟ କରାଯାଇଥିଲା। ସେମାନେ ୟୁରୋପବ୍ୟାପୀ ରାଜତନ୍ତ୍ରର ଆବସାନ ଘଟାଇବାକୁ ଦାବି କରିଆସୁଛନ୍ତି। ରାଜ୍ୟାଭିଷେକ କାଳରେ ବିରୋଧ ପ୍ରଦର୍ଶନ କରିବା ନେଇ ମଧ୍ୟ ଟୁଇଟରେ କୁହାଯାଇଥିଲା। ତେବେ କାହିଁକି ପ୍ରଦର୍ଶନକାରୀଙ୍କୁ ଗିରଫ କରାଗଲା ତା ଉପରେ ଯେତେବେଳେ ପ୍ରଶ୍ନ କରାଗଲା ପୋଲିସ କିଛି କହି ନ ଥିଲା। ତେବେ ସେଣ୍ଟ୍ରାଲ ଲଣ୍ଡନରେ ପୋଲିସ ପକ୍ଷରୁ ଏହି ଆନ୍ଦୋଳନ ବିରୋଧରେ ଅଭିଯାନ ଆରମ୍ଭ ହୋଇଯାଇଛି। କାର୍ଲଟନ ହାଉସ ଟେରାସରେ ପୋଲିସ ଅନେକଙ୍କୁ ଗିରଫ କରିଛି। ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଛି। ସେହିପରି ରବିବାର ସକାଳୁ ସେଣ୍ଟ ମାର୍ଟିନ ଲେନ୍ସରେ ୪ ଜଣଙ୍କୁ ଗିରଫ କରାଯାଇଛି।

    ଏହା ପୂର୍ବରୁ ଗତ ସେପ୍ଟମ୍ୱରରେ ଯେତେବେଳେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ହେଇଥିଲା, ଚାର୍ଲ୍ସ ତୃତୀୟଙ୍କୁ ରାଜା ଘୋଷିତ କରାଯାଇଥିଲା। କିନ୍ତୁ ତାଙ୍କ ରାଜ୍ୟାଭିଷେକ ହୋଇ ନ ଥିଲା। ଶନିବାର ତାହା ସମ୍ପନ୍ନ ହୋଇଛି। ସେତେବେଳେ ମଧ୍ୟ ରିପବ୍ଲିକାନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।