ବ୍ରିଟେନରେ ରାଜତନ୍ତ୍ର ଶେଷ କରିବାକୁ ଆନ୍ଦୋଳନ, ଅନେକ ଗିରଫ

ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କୁ ବିରୋଧ। ଶନିବାର ଚାର୍ଲ୍ସ୩ଙ୍କ ରାଜ୍ୟାଭିଷେକ କାଳରେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ବିରୋଧକାରୀ ଚାର୍ଲ୍ସଙ୍କ ବିରୋଧରେ ନଟ ମାଇଁ କିଙ୍ଗ ବା ମୋ ରାଜା ନୁହଁ ପରି ନାରା ଦେଇଥିଲେ। ବିଶ୍ବର ପ୍ରାୟ ସବୁ ରାଷ୍ଟ୍ରରୁ ରାଜ ପରମ୍ପରା ହଟିଯାଇଥିବା ବେଳେ କେବଳ ବ୍ରିଟେନରେ ଏହି ପରମ୍ପରା ଜାରି ରହିଛି, ଯାହାକୁ କିଛି ଲୋକେ ବିରୋଧ କରୁଛନ୍ତି। ରାଜତନ୍ତ୍ର ହଟାଇବାକୁ ବ୍ରିଟେନରେ ହୋଇଆସୁଛି ତୀବ୍ର ବିରୋଧ। ଶନିବାର ଚାର୍ଲ୍ସ ୩ଙ୍କ ଅଭିଷେକ ଧୂମ ଧାମରେ ଚାଲିଥିବା ବେଳେ କିଛି ରାଜତନ୍ତ୍ର ବିରୋଧକାରୀ ରାଜାଙ୍କ ବିରୋଧରେ ନାରାବାଜି କରିବାରୁ ପୋଲିସ କିଛିଙ୍କୁ ଗିରଫ କରିଛି।

ଡାଇମଣ୍ଡ ଜୁବଲି ଷ୍ଟେଟ କୋଚରେ ଥିବା ୱେଷ୍ଟମିନିଷ୍ଟର ଆବେରେ ରାଜ୍ୟାଭିଷେକ ଚାଲିଥିଲା। ଏହା ପୂର୍ବରୁ ଶୁକ୍ରବାରଠାରୁ ୱେଷ୍ଟମିନିଷ୍ଟର ଆବେ ବାହାରେ ଲୋକଙ୍କ ଭିଡ ଜମିଥିଲା। ଲୋକେ ରାଜାଙ୍କ ସପକ୍ଷରେ ବିଭିନ୍ନ ନାରା ଦେଉଥିଲେ। ଏହାରି ଭିତରେ ସେଠାକାର ରାଜତନ୍ତ୍ର ବିରୋଧୀ ଗୋଷ୍ଠୀ ନଟ୍ ମାଇଁ କିଙ୍ଗର ନାରା ଦେଇଥିଲେ। ସେଠାରେ ଉପସ୍ଥିତ ଅଧିକାରୀମାନେ ବିଦ୍ରୋହୀଙ୍କୁ ଶାନ୍ତ ରହିବାକୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ କୌଣସି ବାରଣ ମାନି ନଥିଲେ।  ରାଜତନ୍ତ୍ର ବିରୋଧରେ ଦେଇଥିଲେ ୫୦ରୁ ଅଧିକ ନାରାବାଜୀ।

ବ୍ରିଟେନ ରାଜତନ୍ତ୍ର ବିରୋଧରେ ଚାଲିଥିବା ଆନ୍ଦୋଳନର ପ୍ରତିନିଧିତ୍ୱ କରୁଥିବା ଏକ ଗୋଷ୍ଠୀ ହଳଦିଆ ରଙ୍ଗର ଟି ସର୍ଟ ପିନ୍ଧି ସେଠାରେ ଶନିବାର ସକାଳ ପର୍ଯ୍ୟନ୍ତ ନାରା ଦେଉଥିଲେ। ସେମାନଙ୍କ ହାତରେ ଥିଲା ରାଜାଙ୍କ ବିରୋଧରେ ଲେଖା ପ୍ଲାକାର୍ଡ। ଏଥିରେ ନଟ ମାଇଁ କିଙ୍ଗ ପରି ମେକ ମୋନାର୍ଚି ହିଷ୍ଟୋରୀ, ଆବୋଲିସ ଦ ମୋନାର୍ଚି ଲେଖା ପୋଷ୍ଟର ଧରିଥିଲେ ଆନ୍ଦୋଳନକାରୀ। ପ୍ରାୟ ୧୫୦୦ରୁ ଅଧିକ ଆନ୍ଦୋଳନକାରୀ ଏକାଠି ହୋଇ ରାଜ୍ୟାଭିଷେକ ବିରୋଧରେ ପ୍ରଦର୍ଶନ କରିଥିଲେ।  ପୋଲିସ ବିରୋଧ ପ୍ରଦର୍ଶନ କରୁଥିବା ରିପବ୍ଲିକର ୬ ଜଣଙ୍କୁ ଗିରଫ କରି ଜେଲରେ ପକାଇଛି। ସେମାନଙ୍କ ଭିତରେ ରିପବ୍ଲିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଗ୍ରହମ ସ୍ମିଥ ମଧ୍ୟ ରହିଛନ୍ତି।

ଏସମ୍ପର୍କରେ ପୋଲିସ କହିଛି, ୟୁରୋପିଆନ ରିପବ୍ଲିକାନ ଆନ୍ଦୋଳନର ଏକ ଶାଖା ଦ୍ବାରା ଏକ ଭିଡିଓ ଟୁଇଟ କରାଯାଇଥିଲା। ସେମାନେ ୟୁରୋପବ୍ୟାପୀ ରାଜତନ୍ତ୍ରର ଆବସାନ ଘଟାଇବାକୁ ଦାବି କରିଆସୁଛନ୍ତି। ରାଜ୍ୟାଭିଷେକ କାଳରେ ବିରୋଧ ପ୍ରଦର୍ଶନ କରିବା ନେଇ ମଧ୍ୟ ଟୁଇଟରେ କୁହାଯାଇଥିଲା। ତେବେ କାହିଁକି ପ୍ରଦର୍ଶନକାରୀଙ୍କୁ ଗିରଫ କରାଗଲା ତା ଉପରେ ଯେତେବେଳେ ପ୍ରଶ୍ନ କରାଗଲା ପୋଲିସ କିଛି କହି ନ ଥିଲା। ତେବେ ସେଣ୍ଟ୍ରାଲ ଲଣ୍ଡନରେ ପୋଲିସ ପକ୍ଷରୁ ଏହି ଆନ୍ଦୋଳନ ବିରୋଧରେ ଅଭିଯାନ ଆରମ୍ଭ ହୋଇଯାଇଛି। କାର୍ଲଟନ ହାଉସ ଟେରାସରେ ପୋଲିସ ଅନେକଙ୍କୁ ଗିରଫ କରିଛି। ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଛି। ସେହିପରି ରବିବାର ସକାଳୁ ସେଣ୍ଟ ମାର୍ଟିନ ଲେନ୍ସରେ ୪ ଜଣଙ୍କୁ ଗିରଫ କରାଯାଇଛି।

ଏହା ପୂର୍ବରୁ ଗତ ସେପ୍ଟମ୍ୱରରେ ଯେତେବେଳେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ହେଇଥିଲା, ଚାର୍ଲ୍ସ ତୃତୀୟଙ୍କୁ ରାଜା ଘୋଷିତ କରାଯାଇଥିଲା। କିନ୍ତୁ ତାଙ୍କ ରାଜ୍ୟାଭିଷେକ ହୋଇ ନ ଥିଲା। ଶନିବାର ତାହା ସମ୍ପନ୍ନ ହୋଇଛି। ସେତେବେଳେ ମଧ୍ୟ ରିପବ୍ଲିକାନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।

Leave a Reply

Your email address will not be published. Required fields are marked *