ଅଷ୍ଟ୍ରେଲିଆ: ରାଜନୀତିର ମଞ୍ଚରେ ପ୍ରେମର ନିଆରା ଦୃଶ୍ୟ। ବିଦାୟୀ ଭାଷଣ ଦେବାକୁ ଆସିଥିଲେ, ହେଲେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଇ ସମସ୍ତଙ୍କୁ ଚକିତ କରିଦେଲେ। ଏଭଳି ଏକ ରୋମାଣ୍ଟିକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ ସଂସଦରେ। ନିଜର ଶେଷ ଭାଷଣ ସମୟରେ ଦୀର୍ଘ ୧୦ ବର୍ଷର ପ୍ରେମିକାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ଜୋର୍ଡାନ ଲେନ୍। ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି।
ସୂଚନା ଅନୁସାରେ, ନଭେମ୍ବର ୧୯ ତାରିଖରେ ଅଷ୍ଟ୍ରେଲିଆର ସିଡନୀ ସହରର ରାଇଡ୍ ନିର୍ବାଚନମଣ୍ଡଳୀର ସାଂସଦ ଜୋର୍ଡାନ ଲେନ୍ ସଂସଦରେ ନିଜର ବିଦାୟୀ ଭାଷଣ ଦେଉଥିଲେ। ଏହି ସମୟରେ ଦର୍ଶକ ଗ୍ୟାଲେରୀରେ ବସିଥିଲେ ତାଙ୍କ ଦୀର୍ଘଦିନର ପ୍ରେମିକା ନାଟାଲି ହିସି।
ଭାଷଣ ଶେଷ କରିବା ପୂର୍ବରୁ ହଠାତ୍ ଜୋର୍ଡାନ ନାଟାଲିଙ୍କ ଆଡ଼କୁ ଚାହିଁ ନିଜ ପକେଟରୁ ଏକ ମୁଦି ବାହାର କରିଥିଲେ। ଏହାପରେ ସେ ବାଚସ୍ପତିଙ୍କୁ ସମ୍ବୋଧନ କରି କହିଥିଲେ, ରାଇଡ୍ର ସାଂସଦ ଭାବେ ମୋର ଶେଷ ପ୍ରଶ୍ନ ମୋ ପ୍ରିୟ ନାଟାଲିଙ୍କ ପାଇଁ। ଏହାପରେ ନାଟାଲିଙ୍କୁ ପଚାରିଥିଲେ, ‘ତୁମେ ମୋତେ ବିବାହ କରିବ କି?’
ଏହି ଅପ୍ରତ୍ୟାଶିତ ପ୍ରସ୍ତାବ ଶୁଣି ସଂସଦରେ ଉପସ୍ଥିତ ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନାଟାଲି ହସି ହସି ବିବାହ ପ୍ରସ୍ତାବରେ ହଁ ଭରିଥିଲେ। ଏହାପରେ ସଂସଦ ଗୃହ କରତାଳି ଓ ଶୁଭେଚ୍ଛାରେ ପ୍ରକମ୍ପିତ ହୋଇଉଠିଥିଲା।
ପରେ ନାଟାଲି କହିଥିଲେ, ଏଭଳି ବିବାହ ପ୍ରସ୍ତାବ ବିଷୟରେ ସେ ଆଗରୁ କିଛି ଜାଣିନଥିଲେ। ଏହି ମୁହୂର୍ତ୍ତ ତାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ। ଅନ୍ୟପଟେ ସଂସଦର ବାଚସ୍ପତି ଗ୍ରେଗ୍ ପାଇପର୍ ମଜାଳିଆ ଢଙ୍ଗରେ କହିଥିଲେ ଯେ, ଏହି ସଂସଦକୁ ପ୍ରେମର ସଂସଦ ଭାବେ ମନେ ରଖାଯିବ।
ଜୋର୍ଡାନ ଲେନ୍ ଆସନ୍ତା ୨୦୨୭ ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଛନ୍ତି। ରାଜନୈତିକ ଜୀବନର ବିଦାୟୀ ଭାଷଣକୁ ଏଭଳି ଏକ ସ୍ମରଣୀୟ ପ୍ରେମ କାହାଣୀରେ ପରିଣତ କରି ସେ ଏବେ ଚର୍ଚ୍ଚାରେ ରହିଛନ୍ତି।