ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ

ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦଙ୍କ ଉପରେ ଆକ୍ରମଣ। ଏହି ଆକ୍ରମଣ ପଶ୍ଚିମ ଜାପାନର ଏକ ବନ୍ଦର ଗସ୍ତ କାଳରେ ହୋଇଥିଲା। ୱାକାୟାମାରେ ସେ ପହଞ୍ଚିବା ପରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା, କିନ୍ତୁ ତାଙ୍କୁ ସୁରକ୍ଷିତ ସେଠାରୁ ବାହାର କରି ନିଆଯାଇଥିଲା। କୁହାଯାଉଛି, ଏକ ଗ୍ୟାସ ବା ପାଇପ ବମ ତାଙ୍କ ଉପରକୁ ପକାଯାଇଥିଲା। ସୁରକ୍ଷାବଳ ଆକ୍ରମଣକାରୀକୁ ଧରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି।

ଜାପାନ ଗଣମାଧ୍ୟମ ସୂଚନା ମୁତାବକ, ପିଏମ କିଶିଦା ଏକ ବନ୍ଦରରେ ନିର୍ବାଚନୀ ପ୍ରଚାର ପାଇଁ ପହଞ୍ଚିବା ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା, ଏହା ପରେ ସ୍ଥାନୀୟ ଅଞ୍ଚଳ ଧୂଆଁରେ ଭରିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ହେଲେ ଏସମ୍ପର୍କରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଆସିନଥିଲା। ନାସନାଲ ବ୍ରଡକାଷ୍ଟର ଏନଏଚକେ ଗହଳି ଭିତରୁ ଜଣେ ବ୍ୟକ୍ତିଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବା ଦେଖିବାକୁ ମିଳିଥିଲା। ଘଟଣା ପରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

ଦେଶରେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ କିଶିଦା ତାଙ୍କର ଜଣେ ପ୍ରାର୍ଥିଙ୍କ ପାଇଁ ୱାକାୟାମାକୁ ପ୍ରଚାର ପାଇଁ ଯାଇଥିଲେ।  ଏପରି ଘଟଣା ଗଣତନ୍ତ୍ରର ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ସୂଚନାଯୋଗ୍ୟ, ଜୁଲାଇ 2022ରେ ଏକ କାର୍ଯ୍ୟକ୍ରମରେ ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଭାଷଣ ଦେଉଥିବା ବେଳେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଜାପାନର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି ବଢାଇ ଦିଆଯାଇଥିଲା। ତାଙ୍କର ଚର୍ଚ୍ଚ ସହ ସମ୍ବନ୍ଧକୁ ନେଇ ହତ୍ୟାକାରୀ ଟେଟସୁୟା ୟାମାଗାମି ତାଙ୍କ ଉପରେ ଆକ୍ରମଣ କରିଥିଲା, ଯାହା ଜାପାନରେ ରଜନେତା ଓ ସମ୍ପ୍ରଦାୟଙ୍କ ମଧ୍ୟରେ ସମ୍ପର୍କରୁ ଉଜାଗର କରିଥିଲା।

Leave a Reply

Your email address will not be published. Required fields are marked *