ପଞ୍ଜାବର ଅମୃତସରରେ ଆଜି ସକାଳ ୧୧:୩୦ ସମୟରେ ଘଟିଥିବା ଏକ ଗ୍ୟାଙ୍ଗଓ୍ବାରରେ ଗ୍ୟାଙ୍ଗଷ୍ଟର ଜରନେଲ ସିଂଙ୍କର ମୃତ୍ୟୁ ଘଟିଛି । ଅମୃତସର ଦେହାତର ଏସଏସପି ସତୀନ୍ଦର ସିଂ କହିଛନ୍ତି ଯେ, ଏହି ଘଟଣା ସାଠିୟାଲା ଗ୍ରାମରେ ଘଟିଛି, ଯେଉଁଠାରେ ଜରନେଲ ସିଂଙ୍କ ବିରୋଧି ଗ୍ୟାଙ୍ଗରୁ ତିନି ଜଣ ଆକ୍ରମଣକାରୀ ଗୁଳି ଚଳାଇଥିଲେ । ସେହି ଘଟଣା ସମୟର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି, ଯାହା ଆଧାରରେ ଅଧିକ ତଦନ୍ତ ଆରମ୍ଭ ହୋଇଛି ।
ଆକ୍ରମଣକାରୀ ମାନେ ଗ୍ୟାଙ୍ଗଷ୍ଟର ଜରନେଲ ସିଂଙ୍କ ଉପରେ ପ୍ରାୟ ୨୪ଟି ଗୁଳି ଚଳାଇଥିଲେ । ମୃତ ଜରନେଲ ସିଂ ଗୋପୀ ଘନଶ୍ୟାମପୁରିଆ ଗ୍ୟାଙ୍ଗର ସଦସ୍ୟ ବୋଲି କୁହାଯାଉଛି । ସାମ୍ନାକୁ ଆସିଥିବା ଘଟଣାର ସିସିଟିଭି ଫୁଟେଜରେ ୪ ଜଣ ଆକ୍ରମଣକାରୀ ନଜର ଆସିଛନ୍ତି । ଯେଉଁମାନେ ପ୍ରାୟ ୧୫ ମିନିଟ୍ ଗୁଳି ଚଳାଇ ଜରନେଲ ସିଂଙ୍କୁ ହତ୍ୟା କରିଥିଲା । ଫୁଟେଜରେ ଏହା ଦେଖିବାକୁ ମିଳୁଛି ଯେ, ଜରନେଲ ସିଂ ଦୋକାନରୁ ବାହାରିବା ମାତ୍ରେ ଆକ୍ରମଣକାରୀ ମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଯେଉଁଥି ପାଇଁ ଜରନେଲ ସିଂ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଆକ୍ରମଣକାରୀ ମାନେ ଏକ ସ୍ୱିଫ୍ଟ କାରରେ ଆସିଥିଲେ । କୁହାଯାଉଛି ଯେ, ଜରନେଲ ସିଂ କିଛି କାମ ପାଇଁ ଯାଉଥିଲେ । ଏହି ସମୟରେ ଆକ୍ରମଣକାରୀମାନେ ଏହାର ସୁଯୋଗ ନେଇ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି ।
ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ପଞ୍ଜାବର ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ ଦୁଇ ଦିନ ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ୪ ଜଣ ସୁଟରଙ୍କୁ ଗିରଫ କରିଥିଲା । ସେହି ସମୟରେ ସେମାନେ କୌଣସି ସ୍ଥାନରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ । ଏହି ଅଭିଯୁକ୍ତ ମାନଙ୍କ ଠାରୁ ୬ ଟି ପିସ୍ତଲ ସମେତ ୨୬ଟି ଲାଇଭ କାର୍ଟ୍ରିଜ ଉଦ୍ଧାର କରାଯାଇଛି ।