ଛତିଶଗଡ଼ର ଦାନ୍ତେୱାଡାରେ ଗତ ସପ୍ତାହରେ ହୋଇଥିବା ମାଓ ଆକ୍ରମଣ ପରେ ରାଜ୍ୟ ସରକାର ସମସ୍ତ ସୀମାନ୍ତକୁ ହାଇ ଆଲର୍ଟରେ ରଖିଛନ୍ତି। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାର ସୀମାନ୍ତ ଇଲାକାକୁ ପୂର୍ବରୁ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିକୁ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିଜି (ଅପରେସନ) ଅମିତାଭ ଠାକୁର।
ସେ ଆହୁରି କହିଛନ୍ତି କି, ଆମ ରାଜ୍ୟକୁ 90 ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥାନ୍ତି । ତେଣୁ ଛତିଶଗଡ ସୀମାନ୍ତ ଉପରେ ତୀକ୍ଷ୍ନ ନଜର ରହିଛି। ଦାନ୍ତେୱାଡା ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀମାନେ ରାଜ୍ୟକୁ ନ ଆସିବେ ସେ ନେଇ ଛତିଶଗଡ ସୀମାନ୍ତବର୍ତ୍ତୀ ସମସ୍ତ ଜିଲ୍ଲାର ସଂଯୋଗ ପଥକୁ ସିଲ କରି ଦିଆଯାଇଛି । ଏଥିସହ ସୀମାନ୍ତ ଜିଲ୍ଲାର ଏସପିମାନଙ୍କ ସହ ନିୟମିତ ଭିଡିଓ କନ୍ଫେରେନ୍ସି ଜରିଆରେ ସ୍ଥିତିର ଅନୁଧ୍ୟାନ କରାଯାଉଛି ।
ଠାକୁର ମାଓ ସଂଗଠନରେ ଥିବା ମହିଳା ମାଓବାଦୀଙ୍କ ଯୌନ ଶୋଷଣକୁ ନେଇ କହିଛନ୍ତି କି, ଯେତେବେଳେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି ସେମାନେ ମାଓ କ୍ୟାମ୍ପରେ ସେମାନଙ୍କ ସହ ହେଉଥିବା ଯୌନ ଶୋଷଣର କାହାଣୀ ପୋଲିସ ଆଗରେ କହୁଛନ୍ତି । ତେଣୁ ସମସ୍ତ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରାଯାଉଛି ।