Sonu Sood Puri Visit : ବଡ଼ଦାଣ୍ଡରେ ବଲିଉଡ୍‌ ଅଭିନେତା, ମହାପ୍ରଭୁଙ୍କ ଦର୍ଶନ କଲେ ସୋନୁ ସୁଦ୍‌

ପୁରୀ: ଶ୍ରୀକ୍ଷେତ୍ରରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୋନୁ ସୁଦ୍‌। ପୁରୀ ବଡ଼ଦାଣ୍ଡରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ସୋନୁ। ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ତାଙ୍କୁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଆଗକୁ ସୋନୁ ସୁଦ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ନନ୍ଦୀ’ର କାମ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଅଭିନେତା।

ସିନେମା ଜଗତରେ ନିଜର ଅଭିନୟ ଓ ସମାଜସେବା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୋନୁ ସୁଦ୍‌। ହିନ୍ଦୀ ସିନେମା ସମେତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ସେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି। ପରଦାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ସୋନୁ ବାସ୍ତବ ଜୀବନରେ ଅନେକ ଅସହାୟ ଲୋକଙ୍କ ପାଇଁ ସାହାରା ପାଲଟିଛନ୍ତି।

ବିଶେଷକରି କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ସହଯୋଗ କରି ସେ ଦେଶବାସୀଙ୍କ ହୃଦୟ ଜିଣିଥିଲେ। ଏଥିସହ ଅସହାୟ ଲୋକଙ୍କ ଚିକିତ୍ସା ଓ ଗରିବ ପିଲାଙ୍କ ଶିକ୍ଷା ପାଇଁ ମଧ୍ୟ ସହାୟତା କରିଆସୁଛନ୍ତି।

ଅନ୍ୟପଟେ, ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ନନ୍ଦୀ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ରହିଛି। ଏହି ଚଳଚ୍ଚିତ୍ରରେ ସୋନୁ କେଉଁ ଭୂମିକାରେ ନଜର ଆସିବେ ଏବଂ ଫିଲ୍ମର କାହାଣୀ କ’ଣ ରହିବ, ତାହା ଜାଣିବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି।

ପୂର୍ବରୁ ମଧ୍ୟ ବଲିଉଡ୍‌ର ଅନେକ ନାମୀଦାମୀ କଳାକାର ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଦେଶର କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଜୀବନର ନୂଆ ଅଧ୍ୟାୟ ଆରମ୍ଭ ପୂର୍ବରୁ ଅନେକ କଳାକାର ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥାନ୍ତି।