Tamil Nadu Road Accident : ଖୁସିର ଉତ୍ସବରୁ ଫେରିବା ବେଳେ ମାଡ଼ି ଆସିଲା ମୃତ୍ୟୁ, ଗଛରେ ପିଟିହେଲା ମିନିଭ୍ୟାନ୍, ଚାଲିଗଲା ୮ ଜୀବନ

ତାମିଲନାଡୁ: ଖୁସିର ଉତ୍ସବରୁ ଫେରୁଥିବା ବେଳେ ମାଡ଼ି ଆସିଲା ମୃତ୍ୟୁ। ହସଖୁସିରେ ଘରକୁ ଫେରିବା ବାଟରେ ଛକି ବସିଥିଲା ଯମ। ରାସ୍ତା କଡ଼ରେ ଥିବା ଗଛରେ ପିଟିହେଲା ମିନିଭ୍ୟାନ୍। ଆଉ ନିମିଷକେ ଲିଭିଗଲା ୮ ଜୀବନ ଦୀପ। ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲାରେ ଘଟିଛି ଏଭଳି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଥୁରାଇୟୁର-ମୁସିରି ରାଜପଥରେ ଏକ ମିନିଭ୍ୟାନ୍ ନିମ୍ବ ଗଛରେ ପିଟିହେବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ଖୁସିର ଉତ୍ସବରେ ଯୋଗଦେଇ ମିନିଭ୍ୟାନ୍‌ରେ ଫେରୁଥିଲେ ଯାତ୍ରୀମାନେ। ସମସ୍ତେ ଘରକୁ ଫେରୁଥିବା ସମୟରେ ହଠାତ୍ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା। ରାସ୍ତା କଡ଼ରେ ଥିବା ଏକ ନିମ୍ବ ଗଛ ସହ ମିନିଭ୍ୟାନ୍‌ଟି ଜୋରଦାର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଯାଇଛି।

ଯେଉଁ ଯାତ୍ରା ଖୁସି ଓ ଆନନ୍ଦରେ ଆରମ୍ଭ ହୋଇଥିଲା, ତାହା ଶେଷରେ ଏକ ଦୁଃଖଦ ଘଟଣାରେ ପରିଣତ ହୋଇଛି। ମୃତ୍ୟୁର ଏହି ଖବର ସମ୍ପୃକ୍ତ ପରିବାରଗୁଡ଼ିକ ପାଇଁ ବଡ଼ ଆଘାତ ଆଣିଦେଇଛି।

ପୋଲିସ ସୂଚନା ଅନୁସାରେ, ନଭେମ୍ବର ୨୨ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ିରେ ମୋଟ ୧୦ ଜଣ ଥିଲେ। ସେମାନେ ନାମାକ୍କାଲ ଜିଲ୍ଲାରେ ଏକ କର୍ଣ୍ଣବେଧ ଉତ୍ସବରେ ଯୋଗଦେଇ ତଞ୍ଜାଭୁର ଫେରୁଥିଲେ। କୋଥୁରପଟ୍ଟି ଛକ ନିକଟରେ ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଗଛରେ ପିଟିହୋଇଥିଲା।

ଦୁର୍ଘଟଣାରେ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଏହି ଦୁଃଖଦ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।