Bhubaneswar Accident : ଭୁବନେଶ୍ୱର ଓମଫେଡ୍ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଆରୋହୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗାମୀ ହାଇୱା ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଓମଫେଡ୍ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ମୃତ ବାଇକ୍ ଆରୋହୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ବାଇକ୍ ଆରୋହୀ ଜଣକ ରାସ୍ତାରେ ଯାଉଥିବା ସମୟରେ ପଛପଟୁ ଏକ ଦ୍ରୁତଗାମୀ ହାଇୱା ଆସି ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବାଇକ୍ ଆରୋହୀ ଜଣକ ଗାଡ଼ିରୁ ଛିଟିକି ରାସ୍ତା ଉପରେ ପଡ଼ିଯାଇଥିଲେ। ଏହାପରେ ହାଇୱାଟି ତାଙ୍କ ଉପରେ ଚଢ଼ିଯାଇଥିବା କୁହାଯାଉଛି। ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ଜୀବନ ଚାଲିଯାଇଛି।

ସବୁଠାରୁ ବଡ଼ କଥା ହେଉଛି, ଦୁର୍ଘଟଣା ଘଟାଇବା ପରେ ହାଇୱା ଚାଳକ ଘଟଣାସ୍ଥଳରେ ନ ଅଟକି ଗାଡ଼ି ନେଇ ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ପୁଣିଥରେ ରାଜଧାନୀରେ ଭାରୀଯାନ ଚଳାଚଳ ଓ ସଡ଼କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।

ତେବେ ମୃତ ବ୍ୟକ୍ତି ଜଣକ କିଏ, କେଉଁଠାରୁ ଆସୁଥିଲେ ଏବଂ କେଉଁଆଡ଼େ ଯାଉଥିଲେ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଦୁର୍ଘଟଣା ଘଟାଇଥିବା ହାଇୱା ଓ ଏହାର ଚାଳକଙ୍କ ପରିଚୟ ମଧ୍ୟ ଜଣାପଡ଼ିନାହିଁ।

ଏବେ ପ୍ରଶ୍ନ ଉଠୁଛି, ଫେରାର ହାଇୱା ଚାଳକ କେବେ ଧରାପଡ଼ିବେ? ଦୁର୍ଘଟଣାର ପ୍ରକୃତ କାରଣ କ’ଣ? ମୃତ ବାଇକ୍ ଆରୋହୀଙ୍କ ପରିଚୟ କେବେ ମିଳିବ? ତେବେ ପୋଲିସ ତଦନ୍ତ ପରେ ହିଁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ।