
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଆହୁରି ତୀବ୍ର ହୋଇଛି। ସେପ୍ଟେମ୍ବର ୮ ତାରିଖରେ ଆମେରିକୀୟ ସେନା ପାର୍ସିକ ଉପସାଗର ଏବଂ ଖାର୍ଗ ଦ୍ୱୀପ ନିକଟରେ ଇରାନ ସହ ସମ୍ପର୍କିତ ୫ଟି ତେଲ ଟ୍ୟାଙ୍କରକୁ ଟାର୍ଗେଟ୍ କରି ଧ୍ୱଂସ କରିଥିବା କହିଛି।ଆମେରିକାର ଦାବି ଅନୁସାରେ, ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ—IRGC—ଗତ ଦୁଇ ଦିନରେ ଆମେରିକାର ଏକ ନୌସେନା ଯୁଦ୍ଧଜାହାଜକୁ ବାଲିଷ୍ଟିକ୍ ମିସାଇଲ୍ରେ ଦୁଇଥର ଟାର୍ଗେଟ୍ କରିଥିଲା। ଯୁଦ୍ଧଜାହାଜଟି ମିସାଇଲ୍ ଆକ୍ରମଣରୁ ବର୍ତ୍ତି ଯାଇଥିବା ଏବଂ କୌଣସି ଆମେରିକୀୟ ସେନା ଆହତ ହୋଇନଥିବା କୁହାଯାଇଛି।

ଏହାପରେ ଆମେରିକା ପକ୍ଷରୁ ତେଲ ଟ୍ୟାଙ୍କର ଉପରେ ବଡ଼ ଆକ୍ରମଣ କରାଯାଇଛି। ଆମେରିକୀୟ ସେନା କହିଛି, ଆକ୍ରମଣ ପୂର୍ବରୁ ଟ୍ୟାଙ୍କରରେ ଥିବା କ୍ରୁ ସଦସ୍ୟଙ୍କୁ ଜାହାଜ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଆମେରିକାର ଏହି ଆକ୍ରମଣ ପରେ ଇରାନ ମଧ୍ୟ ପାଲଟା ଜବାବ ଦେଇଛି। ଇରାନ ଜୋର୍ଡାନରେ ଥିବା ଏକ ଆମେରିକୀୟ ସାମରିକ ଘାଟିକୁ ବାଲିଷ୍ଟିକ୍ ମିସାଇଲ୍ରେ ଟାର୍ଗେଟ୍ କରିଥିବା ଦାବି କରିଛି। ଜୋର୍ଡାନ ପକ୍ଷରୁ ୨୦ଟି ମିସାଇଲ୍ରୁ ୧୮ଟିକୁ ଏୟାର ଡିଫେନ୍ସ ଅଟକାଇଥିବା କୁହାଯାଇଛି।ଏହା ସହିତ ଖାଡ଼ି ଅଞ୍ଚଳରେ ତେଲ ଯୋଗାଣ ଏବଂ ସମୁଦ୍ରପଥର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଯୁଦ୍ଧର ଏହି ନୂଆ ମୋଡ଼ ବିଶ୍ୱ ତେଲ ବଜାର ଉପରେ ମଧ୍ୟ ପ୍ରଭାବ ପକାଉଛି ।