ଅଭିଯୁକ୍ତ କୁ ଗିରଫ କରିବାକୁ ଯାଇ ଆକ୍ରମଣ ର ଶିକାର ହେଲା ପୋଲିସ|ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କଚୁଆପଡ଼ା ଗ୍ରାମରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ପୋଲିସ ଦଳ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।ଏହି ଘଟଣାରେ ବାଲିଆପାଳ ଥାନାଧିକାରୀ ଆଇଆଇସି ସାଲଖାନ ମୁର୍ମୁ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ବସ୍ତା ଏସଡିପି ଓ ସମର୍ଥ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, କଚୁଆପଡ଼ା ଗ୍ରାମର ଶିବ କୁମାର ଜେନାଙ୍କ ପୁଅ ଉତ୍ତମ ଜେନାଙ୍କ ନାମରେ ଗତକାଲି ବାଲିଆପାଳ ଥାନାରେ ଏକ ଅଭିଯୋଗ ରୁଜୁ ହୋଇଥିଲା। ସେହି ଅଭିଯୋଗ ଆଧାରରେ ଆଜି ସକାଳେ ବାଲିଆପାଳ ଆଇଆଇସି ସାଲଖାନ ମୁର୍ମୁ ତାଙ୍କ ଟିମ୍ ସହ ଉତ୍ତମ ଜେନାଙ୍କ ଘରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ଉତ୍ତମ ଜେନାଙ୍କ ପରିବାର ସଦସ୍ୟମାନେ ପୋଲିସକୁ ବିରୋଧ କରିଥିଲେ। ଏହି ସମୟରେ ଉତ୍ତମଙ୍କ ସ୍ତ୍ରୀ ଓ ପୁଅ ଆଇଆଇସିଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଏହି ଆକ୍ରମଣରେ ଆଇଆଇସିଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବା ସୂଚନା ମିଳିଛି।
ଘଟଣା ପରେ ବାଲିଆପାଳ ପୋଲିସ ଉତ୍ତମ ଜେନାଙ୍କ ଘର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିବା ବେଳେ ବସ୍ତା ଏସଡିପିଓ ସମର୍ଥ ବେହେରା ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।ଘଟଣାର ପ୍ରକୃତ କାରଣ ଏବଂ ଆକ୍ରମଣ ସମ୍ପର୍କିତ ସମସ୍ତ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।