ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ତେଜିଲା ରାଜନୀତି! BDO ଅଫିସରୁ ଥାନା ପର୍ଯ୍ୟନ୍ତ ବଢ଼ିଲା ବିବାଦ

ସରପଞ୍ଚ ଚାମେଲି ଓଝାଙ୍କୁ ନେଇ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ବିବାଦ ଆହୁରି ତୀବ୍ର ହୋଇଛି। ଚାମେଲୀ ଓଝା ଅଭିଯୋଗ କରିଛନ୍ତି ଯେ ବିଡିଓ କାର୍ଯ୍ୟାଳୟରେ ତାଙ୍କୁ ଅପମାନ ଓ ଆକ୍ରମଣ କରାଯାଇଥିଲା। ଏହି ଘଟଣାକୁ ନେଇ ବିରୋଧୀ ଦଳ ଓ ବିଭିନ୍ନ ସରପଞ୍ଚ ସଂଘ ତୀବ୍ର ପ୍ରତିବାଦ କରୁଛନ୍ତି। ସରପଞ୍ଚ ସଂଘ ଚାମେଲି ଓଝାଙ୍କ ସମର୍ଥନରେ ଆସି ଏସପି ଅଫିସ ଘେରାଉ ଓ ଅସହଯୋଗ ଆନ୍ଦୋଳନ ଘୋଷଣା କରିଛି ।

ଅନ୍ୟପଟେ ପୋଲିସ ପକ୍ଷରୁ ଚାମେଲି ଓଝାଙ୍କ ବିରୋଧରେ ପୋଲିସକୁ ଆକ୍ରମଣ ଓ ଧମକ ଦେବା ଅଭିଯୋଗ ମଧ୍ୟ ଉଠିଛି। ମହାକାଳପଡ଼ା ବିଡିଓଙ୍କ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।ଚାମେଲି ଓଝା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି। ଆବଶ୍ୟକ ପଡ଼ିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।ଚାମେଲି ଓଝାଙ୍କ ଘଟଣା ଏବେ କେବଳ ଜଣେ ସରପଞ୍ଚ ଓ ବିଡିଓଙ୍କ ମଧ୍ୟରେ ବିବାଦ ହୋଇ ରହିନାହିଁ। ଏହା ଓଡ଼ିଶାରେ ପଞ୍ଚାୟତ ପ୍ରତିନିଧିଙ୍କ ଅଧିକାର, ପ୍ରଶାସନର ଭୂମିକା ଏବଂ ରାଜନୈତିକ ହସ୍ତକ୍ଷେପକୁ ନେଇ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଏବଂ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।