ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳୀ ବଜାରରେ ଘଟିଛି ଏକ ବଡ଼ ଧରଣର ଚୋରି ଘଟଣା। ଗୋଟିଏ ରାତିରେ ବଜାରର ପ୍ରାୟ ୧୦ଟି ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟପାଟ କରିଥିବା ଅଭିଯୋଗ ହୋଇଛି। ସକାଳେ ଦୋକାନୀମାନେ ଦୋକାନ ଖୋଲିବାକୁ ଆସିବା ପରେ ତାଲା ଭଙ୍ଗା ଓ ସାମଗ୍ରୀ ଚୋରି ହୋଇଥିବା ଦେଖି ହତବାକ୍ ହୋଇଯାଇଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ସୁନା ଦୋକାନ ଏବଂ ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା ଘଟିଥିଲା। କିନ୍ତୁ ଅନେକ ଘଟଣାରେ ଚୋରମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇନଥିବାରୁ ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।ଏହି ଘଟଣା ପରେ ବଜାର କମିଟି ପୋଲିସର କାର୍ଯ୍ୟକଳାପକୁ ନେଇ କ୍ଷୋଭ ପ୍ରକାଶ କରିଛି। କମିଟିର ସଦସ୍ୟମାନେ କହିଛନ୍ତି ଯେ, ବାରମ୍ବାର ଚୋରି ଘଟଣା ସତ୍ତ୍ୱେ ଯଦି ପୋଲିସ ଚୋରମାନଙ୍କୁ ଧରିବାରେ ବିଫଳ ହୁଏ, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ। ଏପରିକି ରାସ୍ତାରୋକୋ ଭଳି ପଦକ୍ଷେପ ନେବାକୁ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ଘଟଣାର ଖବର ପାଇ ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ବେଳେ, ଚୋରମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି। ତେବେ ବାରମ୍ବାର ଘଟୁଥିବା ଏଭଳି ଚୋରି ଘଟଣା ଉପରେ ପୋଲିସ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ଏବଂ ଦୁର୍ବୃତ୍ତମାନଙ୍କୁ ଧରିବାରେ କେବେ ସଫଳ ହେବ, ତାହାକୁ ନେଇ ସାଧାରଣ ଲୋକଙ୍କ ନଜର ରହିଛି।