ବିକ୍ରି ହେଉଥିଲା ପେଟ୍ରୋଲ ଓ ଡିଜେଲ, ଚଢ଼ାଉ କରି ଜବତ କଲା ଯୋଗାଣ ବିଭାଗ

କଳା ବଜାରୀରେ ବିକାଜାଉଅଛି ପେଟ୍ରୋଲ ଓ ଡିଜେଲ। କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଅଞ୍ଚଳରେ ବେଆଇନ ଭାବେ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଥିବା ଅଭିଯୋଗ ହୋଇଛି| ଅଭିଯୋଗ ପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଆଜି ଏକ ବଡ଼ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଶ୍ରୀରାମପଦାସ୍ଥିତ ଏକ ହାର୍ଡୱେର ଦୋକାନରୁ ପ୍ରାୟ ୧୪୦ ଲିଟର ପେଟ୍ରୋଲ ଓ ଡିଜେଲ ଜବତ କରାଯାଇଥିବା ସୂଚନା ମିଳିଛି।

ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି କଳାବଜାରୀ ମାଧ୍ୟମରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସୁଥିଲା। ଏହାକୁ ଗୁରୁତ୍ୱର ସହ ନେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀମାନେ ଅଚାନକ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଦୋକାନରୁ ବହୁ ପରିମାଣର ଇନ୍ଧନ ଜବତ ହେବା ପରେ ଦୋକାନ ମାଲିକଙ୍କ ନାମରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଅଞ୍ଜନ କୁମାର ସୂଚନା ଦେଇ କହିଛନ୍ତି ଯେ, ବେଆଇନ ଭାବେ ଇନ୍ଧନ ମଜୁତ ଓ ବିକ୍ରି କରାଯାଉଥିବାର ପ୍ରମାଣ ମିଳିଥିବାରୁ ସମ୍ପୃକ୍ତ ଦୋକାନ ମାଲିକଙ୍କ ବିରୋଧରେ ମାମଲା ଦାଖଲ କରାଯାଇଛି। ଆଗାମୀ ଦିନରେ ଏଭଳି ବେଆଇନ କାରବାର ବିରୋଧରେ ଚଢ଼ାଉ ଜାରି ରହିବ ବୋଲି ସେ କହିଛନ୍ତି।

ଏହି ଚଢ଼ାଉରେ ଟିକାବାଲି ଯୋଗାଣ ଅଧିକାରୀଙ୍କ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ଚଢ଼ାଉ ଖବର ପ୍ରଚାର ହେବା ପରେ ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଥିବା କେତେକ ବ୍ୟବସାୟୀଙ୍କ ଦୋକାନରୁ ଇନ୍ଧନ ହଟାଇ ଦେଇଥିବା ଚର୍ଚ୍ଚା ହେଉଛି। ଜି.ଉଦୟଗିରି ଓ ଆଖପାଖ ଅଞ୍ଚଳରେ ଚାଲିଥିବା ସମସ୍ତ ବେଆଇନ ଇନ୍ଧନ ବିକ୍ରି କେନ୍ଦ୍ର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଯୋଗାଣ ବିଭାଗର ଏହି ପଦକ୍ଷେପ ପରେ ଅଞ୍ଚଳରେ କଳାବଜାରୀ ଇନ୍ଧନ ବ୍ୟବସାୟ ଉପରେ ଅଙ୍କୁଶ ଲାଗିବ ବୋଲି ଆଶା କରାଯାଉଛି।ସେପଟେ ଜିଲ୍ଲା ଯୋଗାଣ ବିଭାଗ ଆଗାମୀ ଦିନରେ ଏଭଳି ଚଢ଼ାଉ ଆହୁରି ଜୋରଦାର କରିବ ବୋଲି ସୂଚନା ମିଳିଛି।