
୧୨ ମେ’ ୨୦୨୫, ଭାରତୀୟ କ୍ରିକେଟ ଇତିହାସର ଏମିତି ଏକ ତାରିଖ, ଯାହା କ୍ରିକେଟ ପ୍ରେମୀଙ୍କ ହୃଦୟରେ ସବୁଦିନ ପାଇଁ ଏକ ଭାଙ୍ଗି ଦେଇଥିଲା | ସେଦିନ କେବଳ ଜଣେ ଖେଳାଳି ପଡ଼ିଆ ଛାଡ଼ି ନଥିଲେ, ବରଂ ଟେଷ୍ଟ କ୍ରିକେଟର ସବୁଠାରୁ ବଡ଼ ବ୍ରାଣ୍ଡ୍ ଆମ୍ବାସଡର ‘କିଙ୍ଗ’ କୋହଲି ଧଳା ଜର୍ସିକୁ ସବୁଦିନ ପାଇଁ ବାଏ ବାଏ କହିଥିଲେ।
ଯେଉଁ ସମୟରେ ପ୍ରଶଂସକମାନେ ଆଶା କରିଥିଲେ ଯେ ବିରାଟ ଆଗାମୀ ଇଂଲଣ୍ଡ ଗସ୍ତରେ ନିଜର ପୁରୁଣା ଦମଦାର ଅବତାରକୁ ଫେରିବେ, ଠିକ୍ ସେତିକି ବେଳେ ତାଙ୍କର ଏହି ନିଷ୍ପତ୍ତି ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଅବସରର କିଛି ଦିନ ପରେ ଆରସିବି ପଡକାଷ୍ଟରେ ବିରାଟ ଯେତେବେଳେ ମୁହଁ ଖୋଲିଲେ, ସେତେବେଳେ ସମସ୍ତେ ବୁଝିପାରିଲେ ଯେ ଏହି ନିଷ୍ପତ୍ତି କେବଳ ଖରାପ ଫର୍ମ ପାଇଁ ନଥିଲା।

ବିରାଟ କହିଥିଲେ,“ମୁଁ ଏମିତି ପରିବେଶରେ ରହିବାକୁ ଚାହେଁନାହିଁ, ଯେଉଁଠି ମୋତେ ମୋର ଯୋଗ୍ୟତା ବାରମ୍ବାର ପ୍ରମାଣ କରିବାକୁ ପଡ଼ିବ।” ଏହି ଶବ୍ଦଗୁଡ଼ିକ ସିଧାସଳଖ ଭାରତୀୟ କ୍ରିକେଟର କୋଚ୍ Gautam Gambhir ଏବଂ ମୁଖ୍ୟ ଚୟନକର୍ତ୍ତା Ajit Agarkarଙ୍କ ଆଡ଼କୁ ଇଙ୍ଗିତ କରୁଥିବା ପରି ମନେ ହେଉଥିଲା। ଏହି ‘ମାନସିକ ଦ୍ୱନ୍ଦ୍ୱ’ ହିଁ ବିରାଟଙ୍କୁ ରେଡ୍ ବଲ୍ କ୍ରିକେଟରୁ ଦୂରେଇ ଦେଇଥିଲା।
୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି ବିରାଟଙ୍କ କ୍ୟାରିୟରର ସବୁଠାରୁ କଷ୍ଟର ସମୟ ଥିଲା। ଅଷ୍ଟ୍ରେଲିଆ ମାଟିରେ ଯେଉଁଠି ସେ ଦିନେ ରାଜ୍ କରୁଥିଲେ, ସେଠାରେ ୯ଟି ଇନିଂସରେ ମାତ୍ର ୧୯୦ ରନ୍ କରିବା ତାଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଥିଲା। ପର୍ଥ ଟେଷ୍ଟର ସେହି ଶତକଟି ତାଙ୍କ ପ୍ରତିଭାର ଶେଷ ଝଲକ ଥିଲା, କିନ୍ତୁ ବାକି ୮ଟି ଇନିଂସରେ ମାତ୍ର ୯୦ ରନ୍ ହିଁ ତାଙ୍କ ବିଦାୟର ପଥ ପରିଷ୍କାର କରିଦେଇଥିଲା। ମେ’ ୨୦୨୫ର ସେହି ସପ୍ତାହ ଭାରତୀୟ କ୍ରିକେଟ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ୭ ମେ’ରେ Rohit Sharmaଙ୍କ ବିଦାୟ ପରେ ପ୍ରଶଂସକଙ୍କ ଆଖିରୁ ଲୁହ ଶୁଖି ନଥିବା ବେଳେ, ୧୨ ମେ’ରେ Virat Kohliଙ୍କ ଅବସର ସବୁକିଛି ଓଲଟପାଲଟ କରିଦେଇଥିଲା। ରୋହିତ-ବିରାଟଙ୍କ ଯୋଡ଼ି ଭାରତୀୟ କ୍ରିକେଟର ଯେଉଁ ସୁବର୍ଣ୍ଣ ଭିତ୍ତିଭୂମି ସ୍ଥାପନ କରିଥିଲେ, ତାହା ମାତ୍ର ୫ ଦିନ ମଧ୍ୟରେ ଭୁଶୁଡ଼ି ପଡ଼ିଥିଲା।
ବିରାଟ ଚାହିଁଥିଲେ ୨୦୨୭ ବିଶ୍ୱକପ ଯାଏଁ ଖେଳିପାରିଥାନ୍ତେ, କିନ୍ତୁ ସେ ସ୍ୱାଭିମାନ ସହ ବଞ୍ଚିବାକୁ ଶ୍ରେୟସ୍କର ମଣିଲେ। ଟେଷ୍ଟ କ୍ରିକେଟକୁ ସେ ଯେଉଁ ନୂଆ ପରିଚୟ ଓ ଆକ୍ରମଣାତ୍ମକ ରୂପ ଦେଇଥିଲେ, ତାହା ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ‘କିଙ୍ଗ’ କୋହଲି ପଡ଼ିଆରୁ ବିଦାୟ ନେଇଥିଲେ ସତ, କିନ୍ତୁ ଟେଷ୍ଟ କ୍ରିକେଟରେ ତାଙ୍କର ଶୂନ୍ୟସ୍ଥାନ ପୂରଣ କରିବା ହୁଏତ ଆଗାମୀ ଦଶନ୍ଧି ପାଇଁ ଅସମ୍ଭବ ହୋଇ ରହିବ।