ଏହି ଘଟଣା ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ପୁଣିଥରେ ସାମ୍ନାକୁ ଆଣିଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକର ବରିଆଳି ଗାଁର ଜଣେ ନାବାଳକ ଦାଦନ ଶ୍ରମିକ ହାଇଦ୍ରାବାଦରେ ଟ୍ରାକ୍ଟର ଚାପାରେ ପ୍ରାଣ ହରାଇଥିବା ଖବର ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ। ଅଭିଯୋଗ ଅନୁସାରେ, ମୃତ୍ୟୁ ପରେ ଇଟାଭାଟି ମାଲିକ ଶବକୁ ଗାଁକୁ ଆଣି ପରିବାରକୁ କିଛି ଟଙ୍କା ଦେଇ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ, ଯାହା ସ୍ଥାନୀୟ ଅଞ୍ଚଳରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ମକାରୁ ଧରୁଆଙ୍କ ନାବାଳକ ପୁଅ ପାଖାପାଖି ୫ ମାସ ପୂର୍ବରୁ ଗାଁର ଅନ୍ୟ କିଛି ପରିବାର ସହ ହାଇଦ୍ରାବାଦକୁ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ଟ୍ରାକ୍ଟର ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଘଟଣା ପରେ ଶ୍ରମିକ ସୁରକ୍ଷା, ନାବାଳକ ଶ୍ରମ ଓ ଦାଦନ ପ୍ରଥା ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକମାନେ ଘଟଣାର ନିଷ୍ପକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ପରିବାରକୁ ଯଥୋଚିତ କ୍ଷତିପୂରଣ ଦାବି କରୁଛନ୍ତି।ତୁରେକେଲା ବ୍ଲକର ଗଭରା ଗାଁର ଜଣେ ଦାଦନ ସର୍ଦ୍ଦାର ଆଗୁଆ ବଇନା ଦେଇ ଶ୍ରମିକମାନଙ୍କୁ ବାହାର ରାଜ୍ୟର ଇଟାଭାଟିକୁ ପଠାଇଥିବା ବେଳେ ସେଠାରେ କାମ କରୁଥିବା ସମୟରେ ଜଣେ ନାବାଳକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଘଟଣା ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ଲୁଚାଇବାକୁ ଚେଷ୍ଟା ହୋଇଥିବା ଅଭିଯୋଗ ଅଧିକ ସନ୍ଦେହ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ନାବାଳକଙ୍କ ମୃତ୍ୟୁ ପରେ ସେଠାକାର ଇଟାଭାଟି ମାଲିକ ସ୍ଥାନୀୟ ପୁଲିସ କିମ୍ବା ପ୍ରଶାସନକୁ ଖବର ନଦେଇ ନିଜେ ଶବକୁ ଗାଁକୁ ଆଣିଥିଲେ। ପରେ ପରିବାରକୁ ଶବ ହସ୍ତାନ୍ତର କରିବା ସହ ମାମଲାକୁ ଚପାଇବା ପାଇଁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସହଯୋଗ ରାଶି ଦେବା ପ୍ରସ୍ତାବ ଦେଇଥିବା ଏବଂ ଏହି ବିଷୟରେ କାହାକୁ କିଛି ନକହିବାକୁ କହିଥିବା ଜଣାପଡ଼ିଛି।
ଏହି ଘଟଣା ପରେ ବେଆଇନ ଦାଦନ ଚାଲାଣ, ନାବାଳକ ଶ୍ରମିକ ନିଯୁକ୍ତି ଏବଂ ଶ୍ରମିକ ସୁରକ୍ଷା ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ଦାଦନ ସର୍ଦ୍ଦାର ଓ ଇଟାଭାଟି ମାଲିକ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଘଟଣାର ନିଷ୍ପକ୍ଷ ତଦନ୍ତ ଦାବି କରିଛନ୍ତି। ସେହିପରି ମୃତ ନାବାଳକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଓ ନ୍ୟାୟ ପ୍ରଦାନ କରିବାକୁ ମଧ୍ୟ ଦାବି ଉଠିଛି।