ପାରାଦ୍ଵୀପ ପୋଲିସର ବଡ଼ ସଫଳତା: ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ

ନିଶା କାରବାରର ମୂଳୋତ୍ପାଟନ ପାଇଁ ପାରାଦ୍ଵୀପର ନୂତନ ଅତିରିକ୍ତ ଏସପି ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଗତ ଦୁଇ ଦିନ ମଧ୍ୟରେ ପାରାଦ୍ଵୀପ ଆଦର୍ଶ ଥାନା ଏବଂ ଲକ୍ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଦୁଇଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରାଯାଇଛି। ୧୯.୫୪ ଗ୍ରାମ ବ୍ରାଉନ ସୁଗାର, ଯାହାର ବଜାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା। ନିମିଢି ଗ୍ରାମର ବଲ୍ଲଭ ସ୍ୱାଇଁଙ୍କୁ ଗିରଫ କରାଯାଇଛି। ବଲ୍ଲଭଙ୍କ ନିକଟରୁ ଗୋଟିଏ ସ୍ମାର୍ଟଫୋନ୍ ଏବଂ ନଗଦ ୫୦୦ ଟଙ୍କା ଜବତ ହୋଇଛି।

ଅତିରିକ୍ତ ଏସପି ଆଜିଙ୍କ୍ୟ ମାଣେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ଗିରଫଦାରୀ କେବଳ ଏକ ଆରମ୍ଭ। ଏହି ବ୍ୟବସାୟୀଙ୍କ ପଛରେ ଥିବା ମୁଖ୍ୟ ଡିଲର ମାନଙ୍କୁ ଧରିବା ପାଇଁ ତଦନ୍ତ ପ୍ରକ୍ରିୟା ତେଜିଆନ୍ କରାଯାଇଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବନ୍ଦର ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଏବଂ ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା ପାଇଁ ‘କ୍ଲିନ୍ ସ୍ୱିପ୍’ ଅଭିଯାନ ଅଧିକ ଜୋରଦାର ହେବ। ନିଶା କାରବାର ସମ୍ପର୍କରେ କୌଣସି ସୂଚନା ମିଳିଲେ ତୁରନ୍ତ ସ୍ଥାନୀୟ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି। ପରିଚୟ ଗୋପନ ରଖାଯିବ।