
ରାଜ୍ୟରେ ଏବେ ପ୍ରକୃତିର ଅଜବ ଖେଳ। ଗୋଟିଏ ପଟେ ସୂର୍ଯ୍ୟଙ୍କ ପ୍ରକୋପରେ ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା, ତ ଅନ୍ୟପଟେ କାଳବୈଶାଖୀର ଆଶଙ୍କା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ରାଜ୍ୟର ପାରଦ ଏବେ ଉପରମୁହାଁ। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅସହ୍ୟ ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୩୯ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ରାଜ୍ୟର ପ୍ରାୟ ୧୩ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି, ଯାହା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି।

ତାତି ମଧ୍ୟରେ ବର୍ଷା ଓ ଘଡ଼ଘଡ଼ିର ମଧ୍ୟ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ସକ୍ରିୟ ଥିବା ଏକ ନିମ୍ନ ଚାପରେଖା ପ୍ରଭାବରେ କିଛି ସ୍ଥାନରେ ପାଗ ପରିବର୍ତ୍ତନ ହେବ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ, ଏହି ୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।