ଜାଲରେ ପଡିଲା ୨ କୋଟି ୪୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାର କାଣ୍ଟ ମାଛ। ଗଭୀର ସମୁଦ୍ରରେ ମାଛ ଧରୁଥିବା ବେଳେ ଜାଲରେ ପଡ଼ିଗଲେ କାଣ୍ଟ ମାଛ ର ଖେଦା। ସମୁଦ୍ରରେ ମାଛ ଧରୁଥିବା ସମୟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ବିପୁଳ ପରିମାଣର କାଣ୍ଟ ମାଛ। ପାଖାପାଖି ୬୦ ଟନ୍ରୁ ଅଧିକ କାଣ୍ଟ ମାଛ ଧରା ପଡ଼ିଥିବା ବେଳେ, ବଜାର ଦର ଅନୁଯାୟୀ ଏହାର ମୋଟ ମୂଲ୍ୟ ୨ କୋଟି ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବୋଲି ଆକଳନ କରାଯାଇଛି।

ଗତକାଲି ପାରାଦ୍ଵୀପ ଷଣ୍ଢକୁଦ ବସ୍ତି ଅଞ୍ଚଳର ମତ୍ସ୍ୟଜୀବୀ ସଖା ଦାରକଣ୍ଡା ନିଜ ଯନ୍ତ୍ରଚାଳିତ ଡଙ୍ଗା ନେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଗଭୀର ସମୁଦ୍ରରେ କାଣ୍ଟ ମାଛର ଏକ ବଡ଼ ଖେଦା ଦେଖିଥିଲେ। ସଙ୍ଗେ ସେ ଓ ତାଙ୍କ ସହଯୋଗୀମାନେ ଜାଲ ଘେରାଇ ମାଛ ଧରିବା କାମ ଆରମ୍ଭ କରିଥିଲେ। ଏହି ମାଛଧରାରେ ସମ୍ମିଳିତ ଥିବା ୧୦ଟି ଯନ୍ତ୍ରଚାଳିତ ଡଙ୍ଗା କାଣ୍ଟ ମାଛରେ ସମ୍ପୂର୍ଣ୍ଣ ଭରିଯାଇଥିଲା। ଏପର୍ଯ୍ୟନ୍ତ ସମସ୍ତ ମାଛ ଡଙ୍ଗା ଯୋଗେ ନେହେରୁବଙ୍ଗଳା ମାଛଧରା ବନ୍ଦରକୁ ଆଣାଯାଇଛି। ବନ୍ଦରରେ ଡଙ୍ଗା ଲାଗିବା ପରେ ଖବର ପାଇ ବାହାର ରାଜ୍ୟର ବ୍ୟବସାୟୀମାନେ ସେଠାରେ ପହଞ୍ଚିଥିଲେ। ଆଜି ସକାଳେ ମାଛଗୁଡ଼ିକୁ ବରଫରେ ପ୍ୟାକିଂ କରି କଲିକତାର ଦିଘା ବଜାରକୁ ପଠାଇ ଦିଆଯାଇଛି।
ପ୍ରତ୍ୟେକ କାଣ୍ଟ ମାଛର ଓଜନ ପାଖାପାଖି ୫୦୦ ରୁ ୬୦୦ ଗ୍ରାମ ଥିବା ବେଳେ ବଜାରରେ ଏହି ମାଛ କିଲୋ ପ୍ରତି ୪୦ ରୁ ୫୦ ଟଙ୍କା ଦରରେ ବିକ୍ରି ହୁଏ। ୪୦ ଟଙ୍କା ହିସାବରେ ମୋଟ ମାଛର ମୂଲ୍ୟ ୨ କୋଟି ୪୦ ଲକ୍ଷ ଟଙ୍କାରୁ ଅଧିକ ହେଉଛି। ମତ୍ସ୍ୟଜୀବୀମାନେ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ଓ ସରକାରଙ୍କ ମାଛଧରା କଟକଣା ଯୋଗୁଁ ବର୍ଷକୁ କେବଳ ୩ ମାସ ସମୁଦ୍ରରେ ମାଛ ଧରି ଜୀବନ ଚାଲୁଛି। ଏବେ ସମୁଦ୍ରରେ ପୂର୍ବ ଭଳି ମାଛ ମିଳୁନଥିବା ସମୟରେ ଏହି କାଣ୍ଟ ମାଛ ଧରା ପଡ଼ିବା ତାଙ୍କ ପାଇଁ ଏକ ବଡ଼ ସହାୟତା ହୋଇଛି। ଯଦି ଅନ୍ୟ କୌଣସି ମୂଲ୍ୟବାନ ମାଛ ପଡ଼ିଥାନ୍ତା, ତେବେ ଆଉ ଭଲ ଆୟ ହୋଇଥାନ୍ତା ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।