ବେଳାଭୂମିରେ ପ୍ରବାସୀ ଭାରତୀୟ, ଉତ୍ସବମୁଖର ପୁରୀ ସହର

ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ପୁରୀ ସହର। ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ପାଇଁ ସାରା ସହର ସଜେଇ ହୋଇଥିବା ବେଳେ ପୁରୀ ବେଳାଭୂମିରେ ବିଚ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଚ୍ ଫେଷ୍ଟିଭାଲ ଉଦ୍‌ଘାଟନ କରିଛନ୍ତି । ସେ କହିଛନ୍ତି, ୧୮ ତମ ପ୍ରବାସୀ ଭାରତୀୟ ଦିବସ ଓଡିଶାର ଭୁବନେଶ୍ବରରେ ଆୟୋଜିତ ହେଉଥିଲେ ମଧ୍ୟ ପୁରୀ ସମସ୍ତ ପ୍ରବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଛି । ମହାପ୍ରଭୁଙ୍କ ଦର୍ଶନ ସହ ସ୍ବର୍ଣ୍ଣିମ ବେଳାଭୂମି ର ବ୍ଲୁ ଫ୍ଲାଗ ବିଚ, କଳାଗ୍ରାମ ରଘୁରାଜପୁର,ଅପରୂପା ଚିଲିକା ସାତପଡ଼ା, ସୂର୍ଯ୍ୟ ମନ୍ଦିର କୋଣାର୍କ, ରାମଚଣ୍ଡୀ, ପିପିଲି ର ପ୍ରସିଦ୍ଧ ଚାନ୍ଦୁଆ ସେମାନଙ୍କ ପାଇଁ ଉତ୍ସାହ ଆଣିବ । ଏହା କେବଳ ପ୍ରବାସୀ ନୁହେଁ ଆମ ନିଜ ଦେଶର ଲୋକ ମାନଙ୍କୁ ମଧ୍ୟ ଆକୃଷ୍ଟ କରିଛି ।

ପୁରୀର ପ୍ରଚାର ପ୍ରସର ହୋଇ ପାରିଲେ ବିଦେଶୀ ଅତିଥିଙ୍କ ସଂଖ୍ୟା ବଢ଼ିବ । ପୁରୀ ବୁଲିବାକୁ ଆସୁଥିବା ପ୍ରବାସୀମାନେ ଆମର ବଳିଷ୍ଟ ମାଧ୍ୟମ ପାଲଟିବେ । ତେବେ ପ୍ରବାସୀ ଭାରତୀୟଙ୍କ ପାଇଁ ପୁରୀକୁ ସୁନ୍ଦର କରିବା ସହ ସେମାନଙ୍କୁ ଉତ୍ତମ ଆତିଥେୟତା ଦେବା ଆମର କର୍ତବ୍ୟ ବୋଲି ଶ୍ରୀମତି ପରିଡ଼ା କହିଛନ୍ତି । ଏହି ଅବସରରେ ଶ୍ରୀମତି ପରିଡ଼ା ନିମାପଡ଼ାରୁ ପୁରା ଆସିବା ବେଳେ ରାସ୍ତାରେ ଉଗାଣ୍ଡାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଭେଟି ତାଙ୍କ ସହ ସମୟ ଅତିବାହିତ କରିଥିବା ଅନୁଭୂତି ବଖାଣି ଥିଲେ ।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରବାସୀ ଭାରତୀୟ ମାନଙ୍କ ସମ୍ମାନାର୍ଥେ ଆୟୋଜିତ ଏହି ସମାରୋହ ଆମ ସଂସ୍କୃତି, ଐତିହ୍ୟ ଓ ଗୌରବକୁ ପୁନର୍ଜିବିତ କରିଛି ବୋଲି କହିଥିଲେ |ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆକର୍ଷଣୀୟ ଡ୍ରୋନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ଡ୍ରୋନ ସଜେଇ ହୋଇ ରଥଯାତ୍ରାଠାରୁ ଆରମ୍ଭ କରି କୋଣାର୍କ ଚକ୍ର ପ୍ରଦର୍ଶିତ କରିଥିଲେ |ହଜାର ହଜାର ପାର୍ଯ୍ୟଟକ ବେଳାଭୂମିରେ ଏହି ଡ୍ରୋନ ସୋ ର ମଜା ନେଇଥିଲେ |

Leave a Reply

Your email address will not be published. Required fields are marked *