ମହାରାଷ୍ଟ୍ରର ଜାଲଗାଓଁରେ ତୁମୁଳକାଣ୍ଡ, ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗା, ମନ୍ତ୍ରୀଙ୍କ ପରିବାରକୁ ନେଇ ଯାଉଥିବା ଗାଡିର ହର୍ନ ବାଜିବା ନେଇ ଉପୁଜିଲା ବିବାଦ

ମହାରାଷ୍ଟ୍ରର ଜାଲଗାଓଁରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। ଶିବସେନାର ମନ୍ତ୍ରୀ ଗୁଲାବ୍ ରାଓ ପାଟିଲଙ୍କ ପରିବାରକୁ ନେଇ ଯାଉଥିବା ଗାଡି ହର୍ନ ବଜାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ସୂଚନାନୁସାରେ, ମଙ୍ଗଳବାର ରାତିରେ ଜଲଗାଓଁ ଜିଲ୍ଲାର ପଲାଦ୍ଧି ଗ୍ରାମରେ ପଥର ଫିଙ୍ଗା ଓ ଅଗ୍ନିକାଣ୍ଡ ଘଟଣା ଘଟିଛି।

ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ ପରିବାରକୁ ନେଇ ଯାଉଥିବା ଗାଡିର ଡ୍ରାଇଭର ହର୍ନ ବଜାଇବା ପରେ ବିବାଦ ଆରମ୍ଭ ହୋଇଥିଲା, ଯାହାଫଳରେ ଲୋକମାନେ ରାଗି ଯାଇଥିଲେ । ଏହା ପରେ ଗ୍ରାମବାସୀ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ତୁତୁ-ମେମେ ହୋଇଥିଲା। ଏଥିରେ କ୍ରୋଧିତ ଜନତା ପଥର ଫିଙ୍ଗି ଦୋକାନ ଓ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଜଲଗାଓଁର ଅନେକ ଅଞ୍ଚଳରେ କଡା ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ପ୍ରାୟ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ପ୍ରାୟ ୧୦ ଜଣଙ୍କୁ ଅଟକ ରଖିଛି।

ଆଜି ସନ୍ଧ୍ୟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି
ଜଲଗାଓଁ ଏଏସପି କବିତା ନରକର କହିଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଗାଁରେ କର୍ଫ୍ୟୁ ଲାଗୁ କରାଯାଇଛି। ଆଇନ ବିରୁଦ୍ଧରେ ନ ଯାଇ ଶାନ୍ତି ବଜାୟ ରଖିବାକୁ ଗ୍ରାମବାସୀଙ୍କୁ ନିବେଦନ କରାଯାଇଛି। ସେ କହିଛନ୍ତି ଯେ ମଙ୍ଗଳବାର ରାତିରେ ଧରଣ ଗ୍ରାମ ପୋଲିସ ଷ୍ଟେସନ ଅନ୍ତର୍ଗତ ପାରଦା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ବିବାଦକୁ ନେଇ ଝଗଡା ଆରମ୍ଭ ହୋଇଥିଲା ଯେଉଁଥିରେ କିଛି ଦୋକାନରେ ନିଆଁ ଲଗା ଯାଇଥିଲା।

ସେ କହିଛନ୍ତି ଯେ ଏହା ପରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏହି ମାମଲାରେ ୨୦ ରୁ ୨୫ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *