ରାଜ୍ୟସଭାରେ କଟ୍ଟର ବିରୋଧୀ ଭୂମିକା ତୁଲାଇବ ବିଜେଡି

ବଦଳିଲା ବିଜେଡିର ରଣନୀତି। ଆଉ ପ୍ରୋ ଗଭମେଣ୍ଟ ପାର୍ଟି ହୋଇ ରହିବ ନାହିଁ। ରାଜ୍ୟସଭାରେ ବିରୋଧୀ ଭୂମିକାକୁ ଓହ୍ଲାଇବ ବିଜେଡି। ରାଜ୍ୟର ସ୍ବାର୍ଥ ପାଇଁ ଆବଶ୍ୟକ ହେଲେ ଗୃହର ମଧ୍ୟଭାଗକୁ ଓହ୍ଲାଇବ ଦଳ। ଏଣିକି କଠୋର ଆଭିମୁଖ୍ଯ ରଖିବ ବିଜେଡି ବୋଲି ଆଜି ମୁଖ୍ଯମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକ ପରେ ବିଜେଡି ରାଜ୍ୟସଭା ସାଂସଦଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଛି। ବିଜେପି ସହ ମେଣ୍ଟ କରି ସରକାରକୁ ଆସିଥିବା ବିଜେଡି। ସେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିଲା। ସହଯୋଗୀ ଦଳ ଭାବେ ବିଜେଡି କାର୍ଯ୍ୟ ତୁଲାଇଥିଲା।

ପରବର୍ତ୍ତୀ ସମୟରେ, ଅର୍ଥାତ୍ ୨୦୦୪ରେ କେନ୍ଦ୍ରରେ ବିଜେପିର ପରାଜୟ ପରେ ମନମୋହନ ସିଂହ ସରକାର ଆସିଲା। ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗିଦେଲା ବିଜେଡି। ଏହା ପରେ ନବୀନ ସରକାରର ଗୋଟିଏ ଆଭିମୁଖ୍ଯ ରହି ଆସିଥିଲା, କୌଣସି ଦଳ ସହ ମେଣ୍ଟ କରିବ ନାହିଁ, ହେଲେ କେନ୍ଦ୍ରରେ ଯିଏ ସରକାର ଗଠନ କରିବ ବାହାରୁ ବିଭିନ୍ନ ପ୍ରସ୍ତାବରେ ଶାସକ ଦଳକୁ ଯୋଗାଇଦେବ ସମର୍ଥନ। ତେଣୁ ୨୦୧୪ରୁ ବିଜେପି କେନ୍ଦ୍ରରେ ସରକାର ଗଠନ କରିବା ପରେ ବିଭିନ୍ନ ବିଲ ପାଶ ସମୟରେ ବା ସଙ୍କଟ ସମୟରେ ବିଜେଡି ରାଜ୍ୟସଭା ଓ ଲୋକସଭାରେ ସମର୍ଥନ ଜଣାଇଥିଲା। ବହୁ ବଡ ବଡ ବିପଦରୁ ମୋଦି ସରକାରକୁ ମୁକୁଳାଇ ଚାଲିଥିଲା। ହେଲେ ଚଳିତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ବଦଳିବାକୁ ଯାଉଛି ଦୃଶ୍ୟପଟ୍ଟ।

ଲୋକସଭାରେ ବିଜେଡି ଖାତା ଖୋଲି ନ ଥିବା ବେଳେ ରାଜ୍ୟସଭାରେ ଦଳର ୯ ସାଂସଦ ରହିଛନ୍ତି। ଚଳିତ ଥର ଆଉ ବିଜେପିକୁ ଆବଶ୍ୟକ ସମୟରେ ସମର୍ଥନ ନ କରି ରାଜ୍ୟ ସ୍ବାର୍ଥ ପାଇଁ ଦଳୀୟ ସାଂସଦ କାର୍ଯ୍ୟକରିବେ ବୋଲି ନିଷ୍ପତ୍ତି ହୋଇଛି। ସୋମବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ବୈଠକରେ ଚଳିତ ଥର ଦଳର କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଯାଇଛି। ବୈଠକ ପରେ ଚଳିତ ଥର ରାଜ୍ୟସଭାରେ ବାଜେଡି ବିରୋଧୀର ରୋଲ ତୁଲାଇବ ବୋଲି କୁହାଯାଇଛି। ଏଥିରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ଜାତୀୟ ରାଜପଥ, ଗ୍ରାମାଞ୍ଚଳ ପକ୍କାଘର, ରେଲୱେ ଓ ଯୋଗାଯୋଗକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ଆଜିର ଏହି ବୈଠକର ଫଟୋ ଓ ଭିଡିଓକୁ ସାଂସଦ ମାନସ ମଙ୍ଗରାଜ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ବୈଠକରେ ଡ ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ, ଦେବାଶିଷ ସାମନ୍ତରାୟ, ମୁନା ଖାଁ, ସୁଜିତ କୁମାର, ମମତା ମହାନ୍ତ, ନିରଞ୍ଜନ ବିଷି, ଶୁବାଶିଷ ଖୁଣ୍ଟିଆ ରହିଥିଲେ।

Leave a Reply

Your email address will not be published. Required fields are marked *