ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ, କାଲିଠାରୁ ପୁଣି ବର୍ଷା !

ପୁଣି ଏକ ଲଘୁଚାପ ପାଇଁ ସୂଚନା ମିଳିଛି । ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ଥରେ ବର୍ଷା ଆରମ୍ଭ ହେବ । ଆସନ୍ତା ୪ ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ହେଲେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ବିଶେଷ କିଛି ହ୍ରାସ ଘଟିନି । ଗୁଳିଗୁଳି ବି ପୂର୍ବପରି ରହିଛି । ଗତ ଦୁଇଦିନ ହେଲା ଏଭଳି ପାଗ ରହିଥିବା ବେଳେ ଆସନ୍ତାକାଲି ଠାରୁ ଏଥିରେ ପରିବର୍ତ୍ତନ ହେବା ନେଇ ସୂଚନା ମିଳିଛି । ୪ ତାରିଖରୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ୬ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେପଟେ ଆଜି କିଛି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ,ଗଜପତି,ମୟୂରଭଞ୍ଜ,କେନ୍ଦୁଝର,ଢେଙ୍କାନାଳ,ଭଦ୍ରକ,ବାଲେଶ୍ୱର, ଯାଜପୁର,କେନ୍ଦ୍ରାପଡ଼ା,କଟକ,ଜଗତସିଂହପୁର,ପୁରୀ ଭଳି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ଆଜିଠାରୁ ପାଣିପାଗରେ ପରିବର୍ତ୍ତନ ଆସିବ । କିଛି ଦିନ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଜାରି ରହିଛି । ତେଣୁ ରାଜ୍ୟରେ କିଛି ଦିନ ହେଲା ବର୍ଷାର ମାତ୍ରା କମ୍ ରହିଥିବା ବେଳେ ତାପମାତ୍ରାରେ ବି ବୃଦ୍ଧି ଘଟିଛି ।

Leave a Reply

Your email address will not be published. Required fields are marked *