ଅପରେସନ ପାଇଁ ୪୦ ହଜାର ଲାଞ୍ଚ ମାଗିଲେ ଡାକ୍ତର

ଲାଞ୍ଚୁଆ ଡାକ୍ତରଙ୍କ ପାଇଁ ପୁଣି କଳଙ୍କିତ ହେଲା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ।  ‘ ଜଣେ ଗରିବ ନିରୀହ ଆଦିବାସୀ ଶିଶୁର ଆଙ୍ଗୁଠି ଅସ୍ତ୍ରୋପଚାର ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ମେଦିନୀପୁର ଅଞ୍ଚଳର ଗରିବ ଆଦିବାସୀ ସୌଦାମିନୀ ମୁଣ୍ଡାଙ୍କ  ଚାରି ବର୍ଷର ଝିଅର ଆଙ୍ଗୁଠିରେ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। DMF ପକ୍ଷରୁ ନିଯୁକ୍ତ  ଅସ୍ତିଶଲ୍ୟ  ଡାକ୍ତର ଅନିଲ କୁମାର ପଣ୍ଡା ଶିଶୁର ଚିକିତ୍ସା କରିଥିଲେ। ହେଲେ ଅର୍ଥ ଲୋଭରେ ଡାକ୍ତର ସେଠାରେ ଅସ୍ତ୍ରୋପଚାର ନକରି ଏକ ଘରୋଇ ମେଡିକାଲର ଦଲାଲ ସାଜିଥିଲେ ଓ ଶିଶୁ ଟିକୁ ସେଠାକୁ ଯିବାକୁ ପ୍ରବର୍ତ୍ତାଇଥିଲେ। ଏଥିସହ ଅସ୍ତ୍ରୋପଚାର ପାଇଁ  ୪୦ ହଜାର ଟଙ୍କା ଦାବି କରିଥିଲେ। ଡାକ୍ତରଙ୍କ ଏତେ ଟଙ୍କା ଦାବି ଖବର ଜଣାପଡିବା ପରେ ସ୍ଥାନୀୟ ଲୋକେ ଏହାକୁ ନିନ୍ଦା କରିବା ସହ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

 ଡାକ୍ତରଙ୍କ ଲାଞ୍ଚଖୋର ମନୋବୃତ୍ତି ସମ୍ପର୍କରେ ଜାଣି ସ୍ଥାନୀୟ ଓକିଲ ସଂଘ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରିଥିଲେ । ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ପ୍ରକାଶ ପାଇଥିଲା ଉତେଜନା । ପରେ   ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଭିଯୋଗକୁ ସ୍ୱୀକାର କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ଆଜିର ଏହି ବିବାଦୀୟ ଡାକ୍ତର ମଧ୍ୟ ପୂର୍ବରୁ ଜଣେ ରୋଗୀଙ୍କ  ଚିକିତ୍ସା ପାଇଁ ଟଙ୍କା ମାଗି ହଟହଟା ହୋଇଥଲେ । ଏନେଇ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା ।

ଏଠାରେ କହିରଖୁଛୁ କି,  ଜିଲାରେ ଡାକ୍ତର ଅଭାବ ରହିଛି। ଏହି ଅଭାବ ପୂରଣ ପାଇଁ ଜିଲା ଖଣିଜ ପାଣ୍ଠିରୁ ଲକ୍ଷାଧିକ ଟଙ୍କାରେ  ଅସ୍ଥାୟୀ ଡାକ୍ତର ନିଯୁକ୍ତି ଦିଆଯାଉଛି । ସରକାରୀ  ଡାକ୍ତରଙ୍କ ଠାରୁ ଏମାନେ ଅଧିକ ପାଉଣା ପାଉଛନ୍ତି। କିନ୍ତୁ ବାରମ୍ବାର ଏମାନଙ୍କ ନାମରେ ଆସୁଛି ନାନା ଅଭିଯୋଗ । କିଛି ଦିନ ପୂର୍ବରୁ ତେଲକୋଇ  ଡାକ୍ତରଖାନାରେ ଏପରି ଜଣେ ଅସ୍ଥାୟୀ ଡାକ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ମାଗିବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। 

Leave a Reply

Your email address will not be published. Required fields are marked *